ଆଜି ମହାପ୍ରଭୁଙ୍କ ରଥଯାତ୍ରା

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ମଙ୍ଗଳବାର ଠାରୁ ଆରମ୍ଭ ହେଉଛି । ଆଶାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଏକମାତ୍ର ଭଉଣୀ ସଭଦ୍ରଙ୍କୁ ନେଇ ମାଉସୀ (ଶ୍ରୀଗୁଣ୍ଡିଚା ରାଣୀ)ଙ୍କ ନିକଟକୁ ୯ ଦିନ ପାଇଁ ଯାତ୍ରା କରିବେ । ଶ୍ରୀଜିଉମାଙ୍କର ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପ୍ରସ୍ତୁତ ହୋଇସାରିଛି । କୋଭିଡ-୧୯ ଗାଇଡଲାଇନ ଅନୁସାରେ ସେବାୟତମାନେ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖରୁ ଶରଧାବାଲି ଅଭିମୁଖେ ଟାଣି ନେବେ ।

ଚଳିତ ବର୍ଷର ଶ୍ରୀକ୍ଷେତ୍ର ରଥଯାତ୍ରା ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ । ରଥଯାତ୍ରାର ଆୟୋଜନ ନେଇ ସୁପ୍ରିମକୋର୍ଟ ଗତକାଲି ଆଦେଶ ଦେବା ପରେ ସମଗ୍ର ବିଶ୍ୱବାସୀଙ୍କୁ ଆଶ୍ୱସ୍ତି ମିଳିଛି । ମାତ୍ର ସୁପ୍ରିମକୋର୍ଟ ରଥଯାତ୍ରା କୋଭିଡ-୧୯ ଗାଇଡଲାଇନ ଅନୁସାରେ ପାଳନ କରିବାକୁ ଆଦେଶ ଦେଇଛନ୍ତି । ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ କୋଭିଡ-୧୯ ନେଗେଟିଭ ଥିବା କିଛି ଚୟନିତ ସେବାୟତଙ୍କ ଦ୍ୱାରା ରଥଟଣା ହେବ । ବାହାରୁ ପୁରୀକୁ ଭକ୍ତ ପ୍ରବେଶ ନହେବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଆଜି ଭୋର ସାଢ଼େ ୩ଟାରେ ଶ୍ରୀଜିଉମାନଙ୍କର ମଙ୍ଗଳ ଆଳତି ହୋଇଥିଲା । ଭୋର ୩ଟା ୧୩ରେ ମଇଲମ, ସାଢ଼େ ୩ଟା ୩୦ରେ ତଡପ ଲାଗି, ୪ଟାରେ ରୋଷହୋମ, ୪ଟା ୩୦ରେ ଅବକାଶ ନୀତି, ୪ଟା ୩୪ରେ ସୂର୍ଯ୍ୟପୂଜା, ୫ଟାରେ ଦ୍ୱାରପାଳ ପୂଜା, ୫ଟା ୩୦ରୁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ଆରମ୍ଭ କରାଯାଇଥିଲା । ଏହି ନୀତି ୧ ଘଣ୍ଟା ୧୫ ମିନିଟ ଧରି ଚାଲିଥାଏ ।

ସେହିପରି ମହାପ୍ରଭୁଙ୍କ ରଥଯାତ୍ରାର ମୁଖ୍ୟ ଆକର୍ଷଣ ରଥଗଡ଼ିବା କାମ ଆଜି ମଧ୍ୟାହ୍ନ ୧୨ଟାରୁ ହେବ ବୋଲି ନୀତିନିର୍ଘଣ୍ଟ ହୋଇଛି । ଏହା ପୂର୍ବରୁ ଚାରମାଳଫିଟା, ଘୋଡ଼ା ଓ ସାରଥୀ ଲାଗିବ । ରଥ ଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରିବେ । ଶ୍ରୀଜିଉମାନଙ୍କର ପହଣ୍ଡି ୭ଟାରୁ ଆରମ୍ଭ ହୋଇ ଦିନ ୧୦ଟାରେ ଶେଷ ହେବ । ଏହାପରେ ରଥଉପରେ ମଦନମୋହନ ବିଜେ ହେବେ । ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ମଧ୍ୟରେ ଚିତାଲାଗି, ୧୧ରୁ ୧୧ଟା ୩୦ ମଧ୍ୟରେ ବେଶ ଶେଷ ହେବ ।

Leave A Reply

Your email address will not be published.