୧୧ ଦିନ ହେଲା ଗୁମ୍ଫାରେ ଫସିଛନ୍ତି ୧୨ ଜୁନିୟର ଫୁଟବଲ ଖେଳାଳି, ଉଦ୍ଧାର ଲାଗି ଉଦ୍ୟମ ଜାରି ,ଗୁମ୍ଫାରେ ପହଁଚିଲା ଔଷଧ ଓ ଖାଦ୍ୟ
ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡର ଏକ ଗୁମ୍ଫା ଭିତରେ ଗତ ୧୧ ଦିନ ଧରି ଫସି ରହିଥିବା ୧୨ ଜଣ ଜୁନିୟର ଫୁଟବଲ ଖେଳାଳି ଏବଂ ସେମାନଙ୍କ କୋଚକୁ ଉଦ୍ଧାର କରିବା ଲାଗି ଜୋରଦାର ଉଦ୍ୟମ ଜାରି ରହିଛି। ଆଜି ପିଲାମାନଙ୍କ ପାଖକୁ ଔଷଧ ଓ କିଛି ଖାଦ୍ୟପଦାର୍ଥ ପଠାଯାଇଛି। ଏକ ଡାକ୍ତରୀ ଟିମ୍ ପିଲାମାନଙ୍କ ସହିତ ଉପସ୍ଥିତ ରହିଛନ୍ତି। ତେବେ ପିଲାମାନଙ୍କୁ କେମିତି ଉଦ୍ଧାର କରାଯିବ ସେନେଇ କିଛି ଉପାୟ ବାହାରିନି।
ମୁଣ୍ଡ ଉପରେ ବିପଦ। କିଛି ବି ଘଟିପାରେ କେଉଁମୁହୂର୍ତ୍ତରେ। ତଥାପି ଏହି ପିଲାମାନେ ଏବେବି ଆଶ୍ବସ୍ତ ରହିଛନ୍ତି । ଭରସା ବୁଲନ୍ଦ ରହିଛି ଯେମିତି ବି ହେଉ ସେମାନେ ଉଦ୍ଧାର ପାଇଯିବେ ବୋଲି ଆଶା ରହିଛି । ଥାଇ ନ୍ୟାଭି ସିଲ୍ ପିଲାମାନଙ୍କର ଦ୍ବିତୀୟ ଭିଡିଓ ଆଜି ଜାରି କରିଛି। ଯେଉଁଥିରେ ପିଲାମାନେ ହସୁଥିବା ସହିତ ଏକ ଡାକ୍ତରୀ ଟିମ୍ ସେମାନଙ୍କର ଚିକିତ୍ସା କରୁଥିବା ଦେଖାଯାଇଛି । ଏଥିସହିତ ସେମାନଙ୍କୁ ଔଷଧ ଓ କିଛି ଖାଦ୍ୟପଦାର୍ଥ ଦିଆଯାଇଛି। ଏପଟେ ଗୁମ୍ଫା ବାହାରେ ଜାରି ରହିଛି ରେସ୍କ୍ୟୁ ଅପରେସନ। ଦେଖନ୍ତୁ ଏହି ଗ୍ରାଫିକ୍ସ। ଯେଉଁଥିରେ ଦେଖାଯାଉଛି ଗୁମ୍ଫା ମୁହଁରୁ ପ୍ରାୟ ଅଢେଇ କିଲୋମିଟର ଦୂରରେ ପିଲମାନ ଗୁମ୍ଫା ଭିତରେ ରହିଛନ୍ତି । ବାଟରେ ବିଭିନ୍ନ ସ୍ଥାନରେ ପାଣି ରାସ୍ତା ବନ୍ଦ କରିଦେଇଛି। ଡାଇଭରମାନେ ଏହି ନ୍ୟାରୋ ପ୍ୟାସେଜରେ ଭର୍ତ୍ତି ହୋଇଥିବା ପାଣିକୁ ବୁଡ଼ି କ୍ରସ କରି ପିଲାମାନଙ୍କ ନିକଟକୁ ଯାଉଛନ୍ତି। ତେବେ ସମାନ ଉପାୟରେ ପିଲାମାନଙ୍କୁ ବାହାରକୁ ଅଣାଯିବା ବିପଦପୂର୍ଣ୍ଣ ହୋଇପାରେ । ଯେହେତୁ ପିଲାମାନେ ସୁସ୍ଥ ଅଛନ୍ତି ତେଣୁ ତରବରିଆ ନିଷ୍ପତ୍ତି ନିଆଯାଉନାହିଁ। ଏଥିସହିତ ଗୁମ୍ଫାରେ ଜମି ରହିଥିବା ପାଣିକୁ ପମ୍ପ ଯୋଗେଁ ବାହାର କରିବା ଲାଗି ଚେଷ୍ଟା କରାଯାଉଛି। କିନ୍ତୁ ଏହା ଏତେ ସହଜ ନୁହେଁ। ସେପଟେ ଥାଇଲ୍ୟାଣ୍ଡରେ ଜୁଲାଇ ଅଗଷ୍ଟରେ ପ୍ରବଳ ବର୍ଷା ହୋଇଥାଏ ତେଣୁ ଗୁମ୍ଫାରେ ପାଣି ଅଧିକ ହେଲେ ପିଲାମାନଙ୍କ ପ୍ରତି ବିପଦ ବଢ଼ିପାରେ । ପିଲାମାନଙ୍କ ନିକଟକୁ ସ୍ବତନ୍ତ୍ର ଧରଣର ମୋବାଇଲ ଫୋନ ପଠାଯାଇଥିଲା। କିନ୍ତୁ ଏହା ପାଣିରେ ନଷ୍ଟ ହୋଇଯାଇଥିଲା। ଏବେ ଇସ୍ରାଏଲ ସାଟେଲାଇଟ ଫୋନର ସାହାଯ୍ୟ ନିଆଯାଉଛି । ପିଲାମାନଙ୍କ ସହିତ ଯୋଗାଯୋଗ ହୋଇପାରିଲେ ପରିବର୍ଗଙ୍କ ଆଶ୍ବସ୍ତି ବଢ଼ିବ ନିଶ୍ଚୟ। ଏଣେ ପୁରା ବିଶ୍ବ ନଜର ରଖିଛି କେମିତି ପିଲାମାନେ ଉଦ୍ଧାର ପାଇବେ। ବ୍ରିଟେନ, ଇସ୍ରାଏଲ,ର ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଆଜି ରାତିରେ ରେସ୍କ୍ୟୁ ଅପରେସନ ବାବଦରେ କିଛି ଠୋସ ନିଷ୍ପତ୍ତି ନିଆଯାଇପାରେ।
