ମୁଜାଫରପୁର : ବିହାର ମୁଜାଫରପୁରରେ ଛାଞ୍ଚଲ୍ୟ । ସରକାରୀ ବାଳିକା ଗୃହରେ ଅନ୍ତେବାସୀ ନାବାଳିକାକୁ ବଳାତ୍କାର ପରେ ହତ୍ୟା । ମୃତ ଦେହକୁ ବାଳିକା ଆଶ୍ରମ ପରିସରରେ ହିଁ ପୋତି ଦେଇଛନ୍ତି ବାଳିକା ଆଶ୍ରମ କର୍ମକର୍ତ୍ତା ।ଏପରି ସଙ୍ଗୀନ ଅଭିଯୋଗ ପରେ ଏବେ ଖୋଜା ଚାଲିଛି ମୃତ ଦେହର ଅବଶିଷ୍ଟାଂଶ । ପୋଲିସ ଏନେଇ ମୋକଦ୍ଦମା ରୁଜ୍ଜୁ କରିଛି, ୭ ମହିଳାଙ୍କ ସହ ୧୦ ଜଣଙ୍କୁ ଗିରଫ କରିଛି ।
ବାଳିକା ଆଶ୍ରମରେ ବ୍ୟଭିଚାର….ଦୁଷ୍କର୍ମ ପରେ ପରେ ମାରି ପୋତିଦେଲେ ନାବାଳିକାଙ୍କ ମୃତ ଦେହ ….ବିହାର ମୁଜାଫରପୁରରେ ଏକ ସରକାରୀ ବାଳିକା ଆଶ୍ରମର ବିରୋଧରେ ଏହି ସାଂଘାତିକ ଅଭିଯୋଗ । ନାବାଳିକା ଅନ୍ତେବାସୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ମୃତ ଦେହକୁ ସେହି କ୍ୟାମ୍ପସରେ ପୋତି ଦିଆଯାଇଛି । ଅଭିଯୋଗ ପରେ ଏବେ ମାଟି ଖୋଳି ନାବାଳିକାର ମୃତଦେହ ଖୋଜା ଚାଲିଛି । ମାଜିଷ୍ଟ୍ରେଟ୍ଙ୍କ ଆଗରେ ବାଳିକା ଆଶ୍ରମର ଆଉ ଜଣେ ଦୁଷ୍କର୍ମ ପୀଡିତାଙ୍କ ଅଭିଯୋଗ ଭିତ୍ତିରେ ହୋଇଛି ପୋଲିସ ଆକ୍ସନ । ବର୍ତ୍ତମାନ ସୁଦ୍ଧା ଏନଜିଓ ମୁଖ୍ୟ, ୭ ମହିଳା କର୍ମଚାରୀ, ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମିଶାଇ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ ।
ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସର ଅଡିଟ ରିପୋର୍ଟ ପରେ ହିଁ ବାଳିକା ଆଶ୍ରମ ଉପରେ ଛିଡିଥିଲା ଖଣ୍ଡା । ଟିସ୍ ରିପୋର୍ଟରେ ବାଳିକା ଆଶ୍ରମରେ ନାବାଳିକାଙ୍କୁ ଯୌନ ଓ ଶାରିରୀକ ନିର୍ଯାତନା ଦିଆଯାଉଥିବା ଦର୍ଶା ଯାଇଥିଲା । ଗତ ମେ ୩୧ ରେ ଆଶ୍ରମ ପରିଚାଳନା କରୁଥିବା ଏନଜିଓ ସେବା ସଂକଳ୍ପ ଏବଂ ବିକାଶ ସମିତି ବିରୋଧରେ ଏଫଆଇଆର୍ ଦାୟର ହୋଇଥିଲା । ମୁଜାଫରପୁରର ଏହି ବାଳିକା ଆଶ୍ରମରେ ରହୁଥିବା ୪୪ ନାବାଳିକାଙ୍କ ମଧ୍ୟରୁ ୧୬ ଜଣ ଦୁଷ୍କର୍ମର ଶୀକାର ହୋଇଥିବା ଡାକ୍ତରୀ ରିପୋର୍ଟ କହୁଛି । ଏଫଆଇଆର ରୁଜ୍ଜୁ ପରେ ସମସ୍ତ ଅନ୍ତେବାସୀଙ୍କୁ ମଧୁବଣୀ ଓ ପାଟନାର ବିଭିନ୍ନ ବାଳିକା ଆଶ୍ରମକୁ ପଠାଇ ଦିଆଯାଇଛି ।ଅଭିଯୁକ୍ତଙ୍କ ନାମରେ ସପ୍ତାହେ ଭିତରେ ଚାର୍ଜସିଟ ଦାୟର ହେବ ବୋଲି ଏସଏସପି କହିଛନ୍ତି ।
ଏହି ଘଟଣା ନେଇ ବିହାରରେ ଗଭୀର ଆଲୋଡନ ଓ ପ୍ରତିକ୍ରିୟା । ଏହି ଘଟଣାର ସିବିଆଇ ତଦନ୍ତ ଲାଗି ମାଧେପୁରା ସାଂସଦ ପପୁ ଯାଦବ ଦାବା କରିଛନ୍ତି । ତେବେ ସରକାରୀ ଅଧିକାରୀ ସଂପୃକ୍ତ ଥିବା ଏହି ମହାବ୍ୟଭିଚାରଘଟଣାରେ ଦୋଷୀଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ବିହାର ବିରୋଧିଦଳ ନେତା ତେଜସ୍ୱୀ ଯାଦବ ।
