ମୁକ୍ତିକାନ୍ତଙ୍କ ସମର୍ଥନରେ କଂଗ୍ରେସ : ମୋଦିଙ୍କୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ, ରାଉରକେଲାରେ ଜୁଏଲଙ୍କ କୁଶପୁତଳିକା ଦାହ କଲା ଦଳ
ଭୁବନେଶ୍ବର : ରାଉରକେଲାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲିରେ ଭେଟିବାକୁ ଯିଦ ଧରିଥିବା ମୁକ୍ତିକାନ୍ତଙ୍କ ସମର୍ଥନରେ ଖୋଲା ଖୋଲି ବାହାରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ବର୍ଷ ତଳେ ରାଉରକେଲାରେ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ତାହା ପୁରଣ ନହେବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତିକୁ ମନେ ପକାଇବା ପାଇଁ ୧୩୫୦ କିମି ଚାଲି ଦିଲ୍ଲୀରେ ପହଞ୍ଚିଛନ୍ତି ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ। ତେବେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବା ପାଇଁ ସୁଯୋଗ ଦେଉନଥିବାରୁ ମୁକ୍ତିକାନ୍ତ ଅନସନରେ ବସିଥିବାବେଳେ ପୋଲିସ ତାଙ୍କୁ ଉଠାଇ ନେଇଛି। ଯେଉଁ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ମୋଦିଙ୍କ ରାଉରକେଲା ଗସ୍ତକୁ ତିନିବର୍ଷ ପୂର୍ତି ହୋଇଥିଲେ ମଧ୍ୟ କାହିଁକି ଏପର୍ଯ୍ୟନ୍ତ କାମ ଆରମ୍ଭ କରାଯାଇନାହିଁ ସେ ନେଇ ପ୍ରଶ୍ନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ନରସିଂହ ।
ଇତିମଧ୍ୟରେ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆଦାୟ ହୋଇସାରିଛି । ଆଦାୟ ହୋଇଥିବା ଅର୍ଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ଏବଂ ହସ୍ପିଟାଲ୍ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇବା ଲାଗି କଂଗ୍ରେସ ବିଧାୟକ ଦଳର ଏକ ପ୍ରତିନିଧି ଦଳ ଦିଲ୍ଲୀ ଯିବେ । ଏଥିନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଫାକ୍ସ ଯୋଗେ ପ୍ରସ୍ତାବ ପଠାଯାଇ ସମୟ ଲୋଡ଼ାଯାଇଛି । ବିରୋଧୀଦଳ ନେତା ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ବିଧାୟକ ଦଳ ଯିବା ପାଇଁ ଏଥିରେ ଦର୍ଶାଯାଇଛି ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନରସିଂହ କହିଛନ୍ତି ଯେ ପ୍ରତିବାଦ କରିବା ପାଇଁ ସମସ୍ତଙ୍କର ଅଧିକାର ଅଛି। ତେବେ ପ୍ରତିଶ୍ରୁତିକୁ ମନେ ପକାଇବାକୁ ଯାଇଥିବା ଓଡିଆ ଯୁବକଙ୍କୁ ସାକ୍ଷାତ ନକରି ଓଲଟା ଅନସନ ପାଇଁ ସ୍ଥାନ ନଦେବା ଘଟଣା ନିନ୍ଦନୀୟ। ପୂର୍ବରୂ ଚାଷୀ ସମସ୍ୟାକୁ ନେଇ ବିଧାନ ସଭା ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ମୋଦି ସମୟ ଦେଇ ନଥିଲେ। ଗରିବ ଓଡିଆଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ ବୋଲି ନରସିଂହ କଟାକ୍ଷ କରିବା ସହ ମୋଦିଙ୍କ ଏପରି କାର୍ଯ୍ୟ ଦ୍ୱାରା ଗଣତନ୍ତ୍ରର ହତ୍ୟା ହୋଇ ଫାସିବାଦ ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମତ ଦେଇଛନ୍ତି ବିରୋଧୀ ଦଳ ନେତା । ମୁକ୍ତିକାନ୍ତଙ୍କ ସମର୍ଥନରେ ବାହାରିଛି କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁକ୍ତିକାନ୍ତଙ୍କ ପ୍ରତି ଉଚିତ ବ୍ୟବହାର ପ୍ରଦର୍ଶନ କରିନାହାନ୍ତି। ରାଉରକେଲା ବିର୍ଶାମୁଣ୍ଡା ଛକରେ ନାରାବାଜି ସହ ଜୁଏଲଙ୍କ କୁଶପୁତଳିକା ଦାହ କରିଛି କଂଗ୍ରେସ । ସେହିପରି ମୁକ୍ତିକାନ୍ତଙ୍କ ସମର୍ଥନରେ ରାଉରକେଲାର ଗୋପାଳ ଜେନା ସ୍ଥାନୀୟ ସେକ୍ଟର-୨ଛକ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ଅନଶନରେ ବସିଛନ୍ତି । ଏହାସହ ପ୍ରତିଦିନ ୧୦ ମିଲିଲିଲିଟର ରକ୍ତ ନିଜ ଶରୀରରୁ କାଢି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇବେ ବୋଲି ଗୋପାଳ କହିଛନ୍ତି।
ଧିରେ ଧିରେ ମୁକ୍ତିକାନ୍ତ ରାଜନୀତିର ଏକ ମୁଦ୍ଦା ପାଲଟିବାରେ ଲାଗିଛି। ମୁକ୍ତିକାନ୍ତଙ୍କୁ କେନ୍ଦ୍ର କରି ବିଜେପିକୁ ଘେରିବା ଲାଗି କଂଗ୍ରେସ ଚେଷ୍ଟା ଚଳାଇଥିବା ମାପିଚୁପି ପ୍ରତିକ୍ରିୟା ରଖୁଛି।
