ବେଜିଂ: ଚାଇନାରେ କୋରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ କୋରୋନା ଭାଇରସ୍ ୨୫୯ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ୨୪ଘଂଟାରେ ମଧ୍ୟରେ ଏହି ଭାଇରସରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୭୯୧ରେ ପହଂଚି ଯାଇଛି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ପକ୍ଷରୁ ନିଜର ସୀମାକୁ ସିଲ କରିଦିଆଯାଇଛି। ଚାଇନାକୁ ଯାଉଥିବା କିମ୍ବା ଚାଇନାରୁ ଆସୁଥିବା ଲୋକଙ୍କ ଉପରେ ଆମେରିକା ପ୍ରଶାସନ କଟକଣା ଲଗାଇଛି। ବିଶେଷ କରି ଚାଇନାରୁ ଆସୁଥିବା ବିଦେଶୀ ନାଗରିକଙ୍କ ଆମେରିକା ପ୍ରବେଶ ଉପରେ ରୋକ ଲାଗିଛି। ସେହିପରି ଆମେରିକା ୩ଟି ଯାକ ମୁଖ୍ୟ ଏୟାରଲାଇନ୍ସ ପକ୍ଷରୁ ଆଜିଠାରୁ ଚାଇନାକୁ ଉଡ଼ାଣ ବାତିଲ କରିଦିଆଯାଇଛି।
ଅନ୍ୟପକ୍ଷରେ ଚାଇନାରେ ଯେମିତି ଏହି ଭାଇରସ ଅଧିକ ନ ବ୍ୟାପିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ଏକାଧିକ କଟକଣା ଲାଗୁ କରାଯାଇଛି। ଭାଇରସର କେନ୍ଦ୍ରସ୍ଥଳ ହୁବେଇ ପ୍ରଦେଶକୁ ଚାଇନାର ଅନ୍ୟ ପ୍ରାନ୍ତରୁ ବିଚ୍ଛିନ୍ନ କରିଦିଆଯାଇଛି। ଏଠାରେ ଗାଡ଼ି ମଟର ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି।
ତିଆନଜିନରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପରବର୍ତୀ ନିର୍ଦ୍ଦେଶ ଯାଏ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ କହିଛି। ଏଠାରେ ୧୫ ମିଲିୟନ ଲୋକ ରହୁଛନ୍ତି। ଚାଇନା ହେଲଥ କମିଶନ ପକ୍ଷରୁ କୁହାଯାଇଛି ଗତ ୨୪ ଘଂଟା ମଧ୍ୟରେ ଭାଇରସରେ ଆକ୍ରାନ୍ତ ହୋଇ ୨,୨୦୧ ଜଣ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୭୯୧ରେ ପହଂଚିଛି।
ହୁବେଇ ପ୍ରଦେଶରେ କେବଳ ୧,୩୪୭ ଜଣ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୧୫୩ରେ ପହଂଚିଛି। ହୁବେଇର ଉହାନରେ ଗତ ୨୪ ଘଂଟା ରେ ୫୭୬ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଉହାନରେ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ୧୯୨ରେ ପହଂଚିଛି।
