ନୂଆଦିଲ୍ଲୀ: ନ୍ୟାସନାଲ କମ୍ପାନି ଲ’ ଆପିଲେଟ୍ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଏଟି) ଆଜି ପୁଣି ଥରେ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନସ୍ର ଅଧ୍ୟକ୍ଷ ରୂପେ ପୁନଃ ଅବସ୍ଥାପିତ କରାଇଛନ୍ତି। ଏଥିସହ ବର୍ତମାନ ଟାଟା ସନସ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିବା ଏନ୍ ଚନ୍ଦ୍ରାଙ୍କ ନିଯୁକ୍ତିକୁ ବେଆଇନ୍ ବୋଲି କହିଛନ୍ତି ଏନ୍ସିଏଲ୍ଏଟି।
ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ଏନ୍ସିଏଲ୍ଏଟିର ଏକ ଖଣ୍ଡପୀଠ କହିଛନ୍ତି ଯେ ତିନିବର୍ଷ ତଳେ ରତନ ଟାଟା ସାଇରସ୍ ମିସ୍ତ୍ରୀଙ୍କୁ ଯେପରି ଢ଼ଙ୍ଗରେ ଟାଟା ସନସ୍ର ଅଧ୍ୟକ୍ଷ ପଦରୁ ଅପସାରଣ କରାଇଲେ ତାହା ଦମନମୂଳକ ଥିଲା ଏବଂ ତାଙ୍କ ସ୍ଥାନରେ ଯେଉଁ ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତ କଲେ ତାହା ମଧ୍ୟ ବେ ଆଇନ୍ ଥିଲା ବୋଲି କହିଛନ୍ତି ଟ୍ରିବ୍ୟୁନାଲ।
ଉଲ୍ଲେଖଯୋଗ୍ୟ, ୨୦୧୨ରେ ଟାଟା ସନସ୍ର ଅଧ୍ୟକ୍ଷ ପଦରୁ ରତନ ଟାଟା ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ସାଇରସ୍ ମିସ୍ତ୍ରୀ ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ। ସାଇରସ୍ ମିସ୍ତ୍ରୀ ଓ ତାଙ୍କ ପରିବାରର ୧୮.୪ ପ୍ରତିଶତ ଅଂଶଧନ ଟାଟା ସନସ୍ରେ ରହିଛି। ତେବେ, ଗତ ୨୦୧୬ ଅକ୍ଟୋବରରେ ଅତ୍ୟନ୍ତ ଅଶୋଭନୀୟ ଭାବେ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନସ୍ର ଅଧ୍ୟକ୍ଷ ପଦରୁ ଅପସାରିତ କରି ଦିଆ ଯାଇଥିଲା।
