ଭୁବନେଶ୍ବର : ଭଉଣୀଙ୍କ ମୃତ୍ୟୁ ପରେ ଶେଷ କୃତ ପାଇଁ ସ୍ବର୍ଗ ଦ୍ବାର ଆସିଥିଲେ ଭାଇ । ସ୍ବର୍ଗଦ୍ବାରରେ ଶେଷକୃତ୍ୟ ପରେ ସିଂହଦ୍ବାର ପାଖରେ ମୁଣ୍ଡିଆ ମାରୁ ମାରୁ ଟଳି ପଡିଲେ । ଏମିତି ଅଭାବନିୟ ଘଟଣା ଘଟିଛି ପୁରୀ ସିଂହ ଦ୍ବାର ଆଗରେ । ଶନିବାର ଘଟିଛି ଏହି ଘଟଣା ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଭାଇ ଭଉଣୀ ଦୁହେଁ ହେଉଛନ୍ତି ବାଲେଶ୍ବର ଜିଲ୍ଲାର । ଭାଇଭଉଣୀଙ୍କ ମୃତ୍ୟୁ ନେଇ ସିଂହଦ୍ବାର ଓ ପୁରୀ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଥିଲା । ଖଇରା ଅଂଚଳର ବ୍ରଜକିଶୋର ସାହୁ(୭୫) ବଡ଼ ଭଉଣୀ ବାସନ୍ତୀ ସାହୁ(୮୦)ଙ୍କ ମୃତଦେହ ଶେଷକୃତ୍ୟ ପାଇଁ ଶ୍ରୀକ୍ଷେତ୍ର ସ୍ବର୍ଗଦ୍ବାର ଆସିଥିଲେ । ଘୁସୁରିଗୋଡିଆ ଗାଁର ସୁରେନ୍ଦ୍ର ସାହୁଙ୍କ ପତ୍ନୀ ବାସନ୍ତୀଙ୍କର ଶୁକ୍ରବାର ମୃତ୍ୟୁ ହୋଇଥିଲା । ସେଦିନ ରାତିରେ ବ୍ରଜକିଶୋର ଓ ପରିବାରବର୍ଗ ବାସନ୍ତୀଙ୍କ ମୃତଦେହ ନେଇ ପୁରୀ ସ୍ବର୍ଗଦ୍ବାରରେ ପହଞ୍ଚିଥିଲେ । ସର୍ଗଦ୍ବାରରେ ଭଉଣୀର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏହା ପରେ ସମସ୍ତେ ସମୁଦ୍ରରେ ବୁଡ଼ ପକାଇ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ ।
ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ହେବ । ସଂହଦ୍ବାର ସମ୍ମୁଖରେ ବ୍ରଜକିଶୋର ମୁଣ୍ଡିଆ ମାରିଥିଲେ । ଏହି ସମୟରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ଶ୍ରୀମନ୍ଦିର ଆମ୍ବୁଲାନ୍ସ ଯୋଗେ ପୂରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ବ୍ରଜକିଶୋରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ପୁଣି ବ୍ରଜକିଶୋରଙ୍କ ମୃତଦେହକୁ ସ୍ବର୍ଗଦ୍ବାର ନେଇ ଶେଷକୃତ୍ୟ କରିଛନ୍ତି ପରିବାର ଲୋକେ । ଏହି ଘଟଣାକୁ ନେଇ ପୁରୀ ସହ ବାଲେଶ୍ବରରେ ବି ଚର୍ଚ୍ଚା ଚାଲିଛି ।
