ଭୁବନେଶ୍ୱର : ଗ୍ୟାଙ୍ଗ୍ଷ୍ଟର ଡି’ ବ୍ରଦର୍ସ (ଧଳସାମନ୍ତ ଭ୍ରାତା) ଲିଙ୍କ୍ ଘଟଣାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ପାଖରେ ସେମାବାର ହାଜର ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ। ଏହି ମାମଲାରେ ଇଡି ତାଙ୍କୁ ନୋଟିସ୍ କରିଥଲା।କୁଖ୍ୟାତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିବା ଅଭିଯୋଗରେ ତାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରିଛି। ସାଢ଼େ ୩ ଘଣ୍ଟା ଧରି ତାଙ୍କୁ ଆଜି ଜେରାରେ ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଣବଙ୍କ କମ୍ପାନୀ “ବଳନ୍ତରାୟ ଟ୍ରାନ୍ସପୋର୍ଟ ଓ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍” ଏବଂ ଡି ବ୍ରଦର୍ସଙ୍କ ମଧ୍ୟରେ କିଭଳି ବ୍ୟବସାୟ ଚାଲିଥିଲା ଏମିତି ଅନେକ ପ୍ରଶ୍ନ ଇଡି ପ୍ରଣବଙ୍କୁ ପଚାରିଥିବା ଅନୁମାନ କରାଯାଉଛି।
ତେବେ ଇଡି ଅଫିସ୍ରୁ ବାହାରିବା ପରେ ପ୍ରଣବ କହିଛନ୍ତି-“ଇଡି ମାଗିଥିବା ଡକ୍ୟୁମେଣ୍ଟ ଜମା କଲି। ଧଳସାମନ୍ତ ବ୍ରଦର୍ସଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ।”୨୦୦୫ରୁ ୨୦୧୦ ମଧ୍ୟରେ ପ୍ରଣବ ବଳବନ୍ତରାୟଙ୍କ ପରିଚାଳିତ ପରିବହନ କମ୍ପାନି ସହ ଡି ବ୍ରଦର୍ସଙ୍କ ହୋଇଥିବା କାରବାର ସମ୍ପର୍କିତ ସମସ୍ତ କାଗଜପତ୍ର ସାଙ୍ଗରେ ଆଣିବା ଲାଗି ନୋଟିସ୍ରେ ଦର୍ଶାଯାଇଥଲା ।
ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟଙ୍କର ଗ୍ୟାଙ୍ଗ୍ଷ୍ଟର ଡି’ ବ୍ରଦର୍ସଙ୍କ ସହ ସମ୍ପର୍କ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ପୂର୍ବରୁ ଇଡି ଡି’ ବ୍ରଦର୍ସ ସମ୍ପର୍କରେ ଥିବା ଏକାଧିକ ବସ୍ ମାଲିକ, ଶିଳ୍ପପତି, ଖଣି ମାଲିକ, ବାଲି ମାଫିଆଙ୍କୁ ଡାକି ପଚରା ଉଚରା କରି ସାରିଛି।
