ଭୁବନେଶ୍ବର : ନବୀନ ନନ୍ଦ ନିଲମ୍ବିତ । ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ନିନ୍ଦନୀୟ ଆଚରଣ ସଂପର୍କରେ ମିଳିଥିବା ତଥ୍ୟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଥିବା ଏକ ପ୍ରେସ ଇସ୍ତାହାରରେ ରାଜ୍ୟ ବିଜେଡି ସଂପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି । କୋଲକାତାରେ ନିଖୋଜ ଘଟଣାରେ ନୂଆ ଟ୍ବିଷ୍ଟ ଆସିବା ପରେ ନବୀନ ନନ୍ଦଙ୍କୁ ଦଳ ନିଲମ୍ବିତ କରିଛି । ଅବଶ୍ୟ ଆଗରୁ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଯୋଜନା କରିଥିଲା । କାରଣ ସେ ବିଭିନ୍ନ ସମୟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସମର୍ଥନ କରି ଦଳକୁ ସମାଲୋଚନା କରୁଥିଲେ । ବିଭିନ୍ନ ପ୍ରକାର ବିବାଦ ମନ୍ତବ୍ୟମାନ ମଧ୍ୟ ଦେଉଥିଲେ । ଏବେ ଦଳ ସମ୍ପୂର୍ଣ୍ଣ ହାତଛାଡ଼ିଦେଲା । ତାଙ୍କୁ ଦଳ ଏହି ଘଟଣା ପାଇଁ ନିଲମ୍ବିତ କଲା ।
ପୂର୍ବତନ ଢେଙ୍କାନାଳ ବିଧାୟକ ନବୀନ ନନ୍ଦ କୋଲକତାରେ ନିଖୋଜ ହେବା ଘଟଣାର ନୂଆ ଟୁଇଷ୍ଟ ଆସିଲା । ନବୀନ ନନ୍ଦଙ୍କୁ କୋଲକାତା ପୋଲିସ ଗିରଫ କରିଥିବା ଏବଂ ସେ ଜାମିନ୍ ରେ ଆସିଥିବା ଏବେ ସ୍ପଷ୍ଟ ହୋଇଯାଇଛି । ପାର୍କ ଷ୍ଟ୍ରିଟ୍ ର ଏକ ସ୍ପାରୁ ନବୀନଙ୍କୁ ଗିରଫ କରାଯାଇଥିବା କୋଲକାତା ପୋଲିସ ରିପୋର୍ଟରୁ ଜଣାପଡିଛି । ଅଲ ଏବାଉଟ ଫ୍ୟାମିଲି ନାମକ ଏହି ସ୍ପାରେ ଅନୈତିକ କାର୍ଯ୍ୟ ଚାଲିବା ଅଭିଯୋଗରେ ପୋଲିସ ଛାପା ମାରିବା ବେଳେ ଧରାପଡିଥିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ । ତାଙ୍କ ସହ ଅନ୍ୟ ୧୮ ଜଣଙ୍କୁ ଗିରଫ କରାଯାଇଥିଲା । ଏହାସହ ୯ ଜଣ ଦେହଜୀବୀଙ୍କୁ ମଧ୍ୟ ଧରିଥିଲା ପୋଲିସ । ଗିରଫ ପରେ ନବୀନ ନନ୍ଦ ଜାମିନରେ ଆସିଛନ୍ତି । ଘଟଣା ସଂପର୍କରେ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ଚୋର ପଛରେ ଯାଇ ମୁଁ ଫସିଗଲି । ପାର୍କ ଷ୍ଟ୍ରିଟ୍ ଏରିଆରେ ମାର୍କେଟିଂ କରୁଥିବା ବେଳେ ତାଙ୍କ ପର୍ସ ଚୋରି ହୋଇଯାଇଥିଲା । ଚୋରକୁ ପିଛା କରି ସେ ଏକ ସ୍ପାରେ ପଶି ଯାଇଥିଲି । ସେତେବେଳେ ସେଠି ପୋଲିସର ରେଡ୍ ଚାଲିଥିଲା । ପୋଲିସ ଧରି ନେଇ ତାଙ୍କୁ ରାତିରେ ଅଟକ ରଖିଥିଲା । ସକାଳେ ଜାମିନରେ ଆସିଥିବା ନବୀନ କହିଛନ୍ତି ।
