ଖୋର୍ଦ୍ଧା:ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା, କଟକ ଓ ବୌଦ୍ଧ ଜିଲ୍ଲାରେ ବନ୍ୟା ଆସିଛି । ଖୋର୍ଦ୍ଧାରେ ୫ଟି ପଞ୍ଚାୟତର ୨୦ଟି ଗାଁ ବନ୍ୟା ପାଣି ଘେରରେ ରହିଥିବାବେଳେ କଟକ ଓ ବୌଦ୍ଧରେ ଜଳସ୍ତର କମୁଥିବା ଦେଖାଯାଇଛି । ମାତ୍ର ସ୍ଥିତି ସ୍ୱାଭାବିକ ହୋଇନାହିଁ ।
ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀରେ ବନ୍ୟା ଆସିଛି । ଫଳରେ ଜିଲ୍ଲାର ୫ଟି ପଞ୍ଚାୟତ ଯଥା ଓରବରସିଂ, ମାନପୁର ଓ ନରଣଗଡ଼ର ୨୦ ଟି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ ବନ୍ୟା ଘେରରେ ରହିଛନ୍ତି । ଲୋକମାନେ କୌଣସି ସ୍ଥାନାକୁ ଯିବା ଆସିବା କରିପାରୁ ନାହିଁ । ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହା ସହିତ ଏକର ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଛି । ଏ ଯାଏଁ ଲୋକଙ୍କ ନିକଟରେ କୌଣସି ସରକାରୀ ସହାୟତା ପହଁଚି ନ ଥିବା ଅଭିଯୋଗ ହୋଇଛି । ଫଳରେ ବନ୍ୟା ପୀଡ଼ିତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ବୌଦ୍ଧ ଓ କଟକ ଜିଲ୍ଲାରେ ବନ୍ୟା ପାଣି କମିଛି । ମାତ୍ର ଏବେବି ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ମହାନଦୀରେ ପାଣି କମୁଥିବାରୁ କଟକ ବଡ଼ମ୍ବା ଭଟ୍ଟାରିକା ମନ୍ଦିରରେ ପାଣି କମିଛି । ପ୍ରାୟ ୭ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ସେହିପରି ବୌଦ୍ଧ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପାଣି କମିଥିଲା ସୁଦ୍ଧା ଏବେବି ଏକର ଏକର ଚାଷ ଜମି ଉପରେ ବନ୍ୟା ପାଣି ରହିଛି । ସମ୍ଭାବ୍ୟ ବନ୍ୟାକୁ ଦେଖି ବାଲିବସ୍ତା ମହଜୁତ ରଖାଯାଇଛି । ଏହି ବନ୍ୟାରେ ହରଭଙ୍ଗା ବ୍ଲକ୍ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।
