ଓଲିଉଡରେ ଟିଟୋ ଟଙ୍କା : ଜେରା ହେବେ ଅଭିନେତା

ଭୁୁବନେଶ୍ୱର : ଗ୍ୟାଙ୍ଗଷ୍ଟର୍ ଟିଟୋର ବେଆଇନ ସମ୍ପତ୍ତି ନେଇ ତାଙ୍କ ପତ୍ନୀ ବେନାଜିର୍ ଓ ଓଲିଉଡ୍ରେ ଅର୍ଥ ବିନିଯୋଗ ସଂପର୍କରେ ବିଶ୍ୱନାଥ ଚଳଚ୍ଚିତ୍ରର ହିରୋଙ୍କୁ ଏସ୍ଟିଏଫ୍ ଜେରା କରିବ ବୋଲି ଜଣାପଡ଼ିଛି । ଗତକାଲି ପର୍ଯ୍ୟନ୍ତ ଟିଟୋ ବିରୋଧରେ ପଦୁଟିଏ କହିବା ପାଇଁ ଡରୁଥିବା ଲୋକେ ଏବେ ଖୋଲାଖୋଲି ତା’ ନାଁରେ କ୍ରାଇମବ୍ରାଞ୍ଚର ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଛନ୍ତି । ସରୋଜିନୀ ମିଶ୍ର ନାମକ ଜଣେ ମହିଳା ତାଙ୍କଠାରୁ ଟିଟୋ ବନ୍ଧୁକ ଦେଖାଇ କେନ୍ଦ୍ରାପଡ଼ା ଅଞ୍ଚଳରେ ଥିବା ୩୨ ଗୁଣ୍ଠ ଜମିକୁ ଜୋରଜବରଦସ୍ତି ନେଇଥିବା ଅଭିଯୋଗ କରିଛନ୍ତି । ଜମି ନ ଦେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା ବୋଲି ସରୋଜିନୀ କହିଛନ୍ତି । ଏହି ଜମିକୁ ନିଜ ଦଖଲକୁ ନେବା ପରେ ଗ୍ୟାଙ୍ଗଷ୍ଟର ଟିଟୋ ସେଠାରେ ଗାଡ଼ି ରଖିବା ପାଇଁ ଏକ ଫାର୍ମ ହାଉସ୍ ନିର୍ମାଣ କରିଥିଲା । ଏପରିକି ଗୋଲଡେନ୍ ଲ୍ୟାଣ୍ଡ ଡେଭେଲପମେଣ୍ଟ କମ୍ପାନୀ ଟିଟୋ ନାଁରେ ମଧ୍ୟ ଜମି ଜବରଦଖଲ ନେଇ ସମାନ ଅଭିଯୋଗ ଆଣିଛି । ସେହିପରି ପ୍ରେମାନନ୍ଦ ଲେଙ୍କା ନାମକ ଜଣେ ଠିକାଦାର ଅଭିଯୋଗ କରିଛନ୍ତି ଯେ ରାଜନଗର ଅଞ୍ଚଳରେ ୭ କୋଟିର ଏକ ଠିକା କାମ ପାଇଁ ଟେଣ୍ଡର ଆବେଦନ କରିଥିଲେ । ଏହି କାମର ଟେଣ୍ଡର ବାବଦରେ ଟିଟୋ ଓ ତାଙ୍କର ସହଯୋଗୀମାନେ ତାଙ୍କଠାରୁ ୭୦ ଲକ୍ଷ ଟଙ୍କା ଭୟ ଦେଖାଇ ନେଇଥିବା ପ୍ରେମାନନ୍ଦ ଅଭିଯୋଗ କରିଛନ୍ତି । ତେବେ ଏସ୍ଟିଏଫ୍ର ଜେରା ବେଳେ ଆଜି ଗ୍ୟାଙ୍ଗଷ୍ଟର ଟିଟୋ ଏକ ବିଚିତ୍ର କଥା କହିଛି । ତା’ର ଏତେ କୋଟି ଟଙ୍କାର ସମ୍ପତ୍ତି କିପରି ହେଲ
ତାହାର ଉତ୍ତରରେ ଟିଟୋ କହିଛି ଯେ, ସେ କିଛି ବି ଜାଣି ନାହାନ୍ତି । ପତ୍ନୀ ବେନାଜିର ବିବି ହିଁ ସମସ୍ତ ବ୍ୟବସାୟ କଥା ବୁଝନ୍ତି । ଟିଟୋଠାରୁ ଏଭଳି ତଥ୍ୟ ପାଇବା ପରେ ଏସ୍ଟିଏଫ୍ ଅଧିକାରୀମାନେ ବେନାଜିରଙ୍କୁ ଖୁବ୍ଶୀଘ୍ର ଜେରା କରିବେ । କାରଣ ତଦନ୍ତ ବେଳେ ଏହା ଜଣାପଡ଼ିଛି ଯେ, ବେନାଜିର ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ତାଙ୍କ ନାମରେ କେତେକ ପେଟ୍ରୋଲ ପମ୍ପ୍ ରହିଛି । ବେନାଜିରଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ କୋଟି କୋଟି ଟଙ୍କା ଜମା ଥିବା ମଧ୍ୟ ଜଣାପଡ଼ିଛି । ଏଥିସହ ବେନାଜିରଙ୍କ ନାମରେ ଏକ ୯୦ ଲକ୍ଷ ଟଙ୍କାର ଅଡି କାର୍ ଥିବା ନେଇ ମଧ୍ୟ ଏସ୍ଟିଏଫ୍ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେଣୁ ଏତେ ପରିମାଣ ସମ୍ପତ୍ତିର ମାଲିକାଣୀ ବେନାଜିର କିପରି ହେଲେ ତାହା ତାଙ୍କୁ ଜେରା କରିବା ପରେ ହିଁ ସ୍ପଷ୍ଟ ହେବ । ଟିଟୋର ଟଙ୍କା ଓଲିଉଡରେ ବିନିଯୋଗ ହୋଇଥିବା ଜଣାପଡ଼ିବା ପରେ ଏହାର ମଧ୍ୟ ଛାନ୍ଭିନ୍ ଆରମ୍ଭ ହୋଇଛି । ସମ୍ପୃକ୍ତ ଫିଲ୍ମରେ ହିରୋ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଜଣଙ୍କ ଜଣେ ପୁଲିସ ଅଧିକାରୀଙ୍କ ପୁତ୍ର । ତେଣୁ ପୁଲିସ ବାବୁଙ୍କ ହିରୋ ପୁଅକୁ ମଧ୍ୟ ଏସ୍ଟିଏଫ୍ ଜେରା କରିବ । ଗତକାଲି ଟିଟୋର ବ୍ୟାଙ୍କ ଆକାଉଣ୍ଟସିଜ୍ କରିବାକୁ ଏସ୍ଟିଏଫ୍ ପକ୍ଷରୁ ବିଭିନ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ଆଜି ସେଥିମଧ୍ୟରୁ କେନ୍ଦ୍ରାପଡ଼ାର ବଜାର ବ୍ରାଞ୍ଚରେ ଥିବା ଟିଟୋ ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ବ୍ୟାଙ୍କ ଆକାଉଣ୍ଟରେ ୧୬ ଲକ୍ଷ ୪୨ ହଜାର ୫୬୫ ଟଙ୍କା ଅଛି । ଅନ୍ୟପକ୍ଷରେ ଆଜି ଏସ୍ଟିଏଫ୍ ଟିଟୋର ମୁଖ୍ୟ ସହଯୋଗୀ ବାପୁ ପରିଡ଼ାଙ୍କୁ ମାରାଥନ ଜେରା କରିଛି । ବାପୁ ନାମରେ ୨୫ଟି ସଙ୍ଗିନ୍ ମାମଲା ରହିଛି । ବାପୁ ଗ୍ୟାଙ୍ଗଷ୍ଟରର ଜଣେ ପ୍ରମୁଖ ସହଯୋଗୀ । ତା’ର ନିରାକାର ଡମ୍ପର ନାମକ ଏକ ଟ୍ରାନ୍ସପୋର୍ଟ ସଂସ୍ଥା ରହିଛି । ଯାହା ଅଧୀନରେ ଶତାଧିକ ଟ୍ରକ, ଟିପ୍ସର ଭଳି ଗାଡ଼ି ଚାଲିଛି ।

Leave A Reply

Your email address will not be published.