କେନ୍ଦ୍ରାପଡା : ସତେ ଯେମିତି ସେ ଗ୍ୟାଙ୍ଗଷ୍ଟର ନୁହେଁ ଜଣେ ସେଲେବ୍ରିଟି । ଟିଟୋକୁ ଦେଖିବା ପାଇଁ କେନ୍ଦ୍ରାପଡା କୋର୍ଟରେ ଜମୁଥିବା ଭିଡକୁ ଦେଖିଲେ ଏମିତି କିଛି ଲାଗିବ । ଟିଟୋର ହାଜିରା ଆଗରୁ ଲୋକାରଣ୍ୟ ହୋଇ ଉଠେ କୋର୍ଟ ପରିସର । ଏପରିକି ରାସ୍ତାରେ ଯାଉଥିବା ଲୋକେ ଘଡିଏ ଅଟକି ଯାଆନ୍ତି ପୋଲିସ କବଜାରେ ଥିବା ଗ୍ୟାଙ୍ଗଷ୍ଟରକୁ ଦେଖିବାକୁ ।
ଆସୁଛି ଗ୍ୟାଙ୍ଗଷ୍ଟର । କୋର୍ଟରେ ହାଜିରା ଦେବା ପାଇଁ ଟିଟୋ ଆସିବା ଖବର ପ୍ରଚାର ହେବା କ୍ଷଣି ବଦଳିଯାଏ କେନ୍ଦ୍ରାପଡା ଏସ୍ଡିଜେଏମ୍ କୋର୍ଟ ପରିସରର ଚିତ୍ର । ଟିଟୋକୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବା ବେଳେ ହେଉ କି ରିମାଣ୍ଡ ସରିବା ପରେ କୋର୍ଟକୁ ଆଣିବା ବେଳେ ହେଉ, ଲୋକାରଣ୍ୟ ହୋଇ ଯାଏ କୋର୍ଟ ପରିସର। କୋର୍ଟ ଆଗ ରାସ୍ତା ଓ ଆଖପାଖ ପୋଲିସ ଛାଉଣୀରେ ବଦଳି ଯାଏ। ମୁଖ୍ୟରାସ୍ତାଠୁ ଗଳିକନ୍ଦି ସବୁଠି ବନ୍ଧୁକଧାରୀ ପୋଲିସ ପହରା ଲାଗେ । ଆଉ ଗୋଟିଏ ପଟେ କୋର୍ଟ ପରିସରରେ ଜମା ହୋଇଯାଆନ୍ତି ଆଖପାଖ ଅଞ୍ଚଳର ଶତାଧିକ ଲୋକ । ଏମିତିକି ସ୍କୁଲରୁ ଫେରୁଥିବା ଛାତ୍ର ଛାତ୍ରୀ ବି ଅଟକି ଯାଆନ୍ତି ଟିଟୋକୁ ଦେଖିବା ପାଇଁ ।
ବର୍ଷ ବର୍ଷ ଧରି ଅପରାଧ ସାମ୍ରାଜ୍ୟ ଚଳାଇଥିଲା ଟିଟୋ । ଗ୍ୟାଙ୍ଗଷ୍ଟର ନାଁରେ ରହିଛି ହତ୍ୟା, ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସି ଭଳି ସଂଗୀନ ମାମଲା । ନିଜ ଦୁର୍ଗ ଭିତରେ ରହି ସାରା କେନ୍ଦ୍ରାପଡାରେ ଚାଲିଥିଲା ଟିଟୋରାଜ । ଏବେ ଗୁମର ଫିଟିବା ପରେ ଟିଟୋ ପାଲଟି ଯାଇଛି ଅଭିଯୁକ୍ତ । ବୋଧହୁଏ ସେଥିପାଇଁ ତାକୁ ଦେଖିବାକୁ ଲୋକଙ୍କ ଭିତରେ ରହିଛି ଉତ୍ସୁକତା ।
କିଏ କୋର୍ଟ ଗ୍ରୀଲ୍ ରେ ଝୁଲି ରହିଛି ତ କିଏ ଗାଡି ଉପରେ ଚଢି ଛିଡା ହୋଇଛି। ଢୁ ଢୁ ବର୍ଷାରେ ବି ଅପେକ୍ଷା କରିଛନ୍ତି ସୟଦ୍ ଉସମାନ ଅଲ୍ଲୀ ଓରଫ ଟିଟୋ ଭାଇକୁ ଦେଖିବାକୁ । ପୁଣି କେହି ମୋବାଇଲ୍ ରେ ଟିଟୋର ଫଟୋ ମଧ୍ୟ ଉଠାଉଥାନ୍ତି । ଏମିତିକି ଟିଟୋକୁ ପୋଲିସ୍ ସାଙ୍ଗରେ ନେଇଯିବା ବେଳେ କିଛି ଲୋକ ପୋଲିସ ଗାଡି ପଛରେ କିଛି ବାଟ ଗୋଡଇ ଯାଆନ୍ତି । ଟିଟୋକୁ ଦେଖିବା ପାଇଁ ଜମୁଥିବା ଏହି ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୋଲିସକୁ ଯେ ନାକେଦମ ହେବାକୁ ପଡେ ।
