୧୦ ଜିଲ୍ଲାରେ ପ୍ରବଳ ବର୍ଷିବ,ବଢୁଛି ନଦୀ ସ୍ତର

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଉପକୂଳ ଓଡିଶାରେ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଆହୁରି ୪୮ଘଣ୍ଟା ବର୍ଷିବାର ସମ୍ଭାବନା ରହିଛି । ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।  ଏହି ସବୁ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପୂର୍ବାହ୍ନ ୯.୩୦ରୁ ଦିନ ୧.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଭୁବନେଶ୍ବର ଏବଂ କଟକ ସମେତ ଉପକୂଳ ଓଡ଼ିଶାରେ ଗତକାଲି ସଂଧ୍ୟାରୁ ପ୍ରବଳ ବର୍ଷା ଲାଗିଛି। ଗତକାଲି ସଂଧ୍ୟାରୁ ମଧ୍ୟରାତ୍ରି ମଧ୍ୟରେ ଭୁବନେଶ୍ବରରେ ୧୦୨ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପାଣି ଜମା ହୋଇ ରହିଛି।  ଏପରିକି କିଛି ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ଜଣାପଡ଼ିଛି। ଜାତୀୟ ରାଜପଥ ଏବଂ ରାଜଧାନୀର ପ୍ରମୁଖ ଅଞ୍ଚଳରେ ପାଣିର ସୁଅ ଛୁଟୁଥିବାରୁ ଯାତାୟତରେ ଅସୁବିଧା ଉପୁଜିଛି।  ସେହିପରି କଟକ ସହରର ବିଭିନ୍ନ ଗଳି କନ୍ଦିରେ ପାଣି ସୁଅ ଛୁଟିଛି । ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ପମ୍ପ ଲଗାଯାଇଛି । ବର୍ଷା ପାଇଁ ୨୪ ଘଣ୍ଟା ଆଲର୍ଟ ରହିବାକୁ ସିଏମ୍ସିର ସମସ୍ତ କର୍ମଚରୀଙ୍କୁ କୁହାଯାଇଛି । ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଲେ ନିରାପତ୍ତା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୁରଭଞ୍ଜ, କଟକ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାପରେ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କେତେକ ଅଞ୍ଚଳରେ ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।  ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ବ୍ରାହ୍ମଣୀ ଏବଂ ବୈତରଣୀ ଫୁଲୁଛି । ଓଡ଼ିଶା ସମେତ ୫ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଏ ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଉତ୍ତରାଖଣ୍ଡର ସ୍ଥିତି ଅତି ସଂଗୀନ ହେବ ବୋଲି ଆଇଏମଡି ସତର୍କ କରାଇଦେଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଝଡ଼ ତୋଫାନ ଯୋଗୁଁ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ଲାଗି ବାରଣ କରାଯାଇଛି । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଆଶାନ୍ତ ରହିବା ଆଶଙ୍କା କରାଯାଇଛି ।

 

ପୁରୀ ବଡଦାଣ୍ଡରେ ୨ ଫୁଟ ଉଚ୍ଚର ପାଣି,ଟ୍ରେନ ଚଳାଚଳରେ ବାଧା

ଲଗାଣ ବର୍ଷା ଯୋଗୁ ପୁରୀ ବଡଦାଣ୍ଡରେ ୨ ଫୁଟ ଉଚ୍ଚର ପାଣି ଚାଲୁଛି । ସେହିପରି  ପୋଲିସ ଲାଇନ, ଗୋପିନାଥପୁର ନୂଆସାହି, ସିଦ୍ଧମହାବୀର, ମୁଟିପାଟଣାରେ ଘରେ ପାଣି ପଶିଯିବାରୁ ଲୋକେ ଅସୁବିଧାର ସାମ୍ନା କରୁଛନ୍ତି ।  ରାସ୍ତା ଉପରେ ଚାଲୁଥିବାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗଣାମଲ୍ଲ ସାହିରେ ବର୍ଷାରେ ୮ଟି ଦୁଇଚକିଆ ଯାନ ଭାସିଯାଇଥିବା ଜଣାପଡିଛି  । ୨୪ ଘଣ୍ଟା ମଧ୍ୟରେ ପୁରୀ ୨୩୬ ମିଲିମିଟର ବର୍ଷା ହୋଇଛି । ପୁରୀ ଜିଲ୍ଲାପାଳ ଅଫିସର ସମସ୍ତ ଅଧିକାରୀଙ୍କ ଘରେ ମଧ୍ୟ ପାଣି ପଶିଛି । ସେପଟେ ବର୍ଷା ପାଇଁ ବିଭିନ୍ନ ଟ୍ରେନ ବାତିଲ ହେବା ସହ ସମୟରେ ପରିବର୍ତ୍ତନ କରାଯାଇଛି । ବିଭିନ୍ନ ସ୍ଥାନରେ ଲାଇନ ବୁଡି ରହିଥିବାରୁ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଛି  । ପୁରୀ- କଟକ ସଟଲ ଟ୍ରେନ, ଗୁଣପୁର ପାସେଞ୍ଜର, ପୁରୀ ସାନ୍ତରାଗଚ୍ଛି ଏକ୍ସପ୍ରେସ ପ୍ରମୁଖ ବାତିଲ ହୋଇଛି । ସେହିପରି ଧଉଳି ଏକ୍ସପ୍ରେସ ଓ ନୀଳାଚଳ ଏକ୍ସପ୍ରେସ ୩ ଘଣ୍ଟା ବିଳମ୍ବରେ ଛାଡିବା ନେଇ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁରୀ ପର୍ଯ୍ୟନ୍ତ ନଆସି ଖୋର୍ଦ୍ଧା ରୋଡରୁ ଫେରିଯିବ ।

Leave A Reply

Your email address will not be published.