ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ବାଂଲାଦେଶରେ ସୃଷ୍ଟି ହୋଇଛି ପୁଣି ଏକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବ ବୋଲି ସତର୍କ ସୂଚନା ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଉପକୂଳର ୭ ଜିଲ୍ଲା- ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଏବଂ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଘଡ଼ିଘଡ଼ି ସହ ଏହି ସମୟ ମଧ୍ୟରେ ପ୍ରବଳ ବେଗରେ ପବନ ବହିବ ଓ ଏହାର ବେଗ କିମି ପ୍ରତି ୫୦ରୁ ୬୦ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଆସନ୍ତା ୪ରୁ ପୁଣି ଥରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି ।
ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିସ୍ତୃତ ବର୍ଷା ହେବ ନାହିଁ। ମନସୁନ୍ ସକ୍ରିୟ ରହିଥିବାରୁ ପ୍ରତିଦିନ କିଛି ସ୍ଥାନରେ ବର୍ଷା ହେବ। ହେଲେ ୫ ତାରିଖଠାରୁ ରାଜ୍ୟରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗତକାଲି ବାଲେଶ୍ୱରରେ ୩୪ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୨୯, କୋରାପୁଟରେ ୫, ମାଲକାନଗିରି ଓ ପାରାଦୀପରେ ୪, ଚାନ୍ଦବାଲିରେ ୨ ମିମି ବର୍ଷା ହୋଇଛି। ଭୁବନେଶ୍ୱର ସମେତ ପୁରୀ, ସମ୍ବଲପୁର, ଝାରସୁଗୁଡ଼ା, ଭବାନୀପାଟଣାରେ ହାଲୁକା ବର୍ଷା ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
