ଆଜିଠୁ ପ୍ରବଳ ଛେଚିବ ,୧୪ ଜିଲ୍ଲା ଭସେଇବ, ସତର୍କ ସୂଚନା ଜାରି

ଭୁବନେଶ୍ୱର : ଉତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃଣ୍ଣିବଳୟ ଲଘୁ ଚାପ ରୂପ ନେଇଛି । ଏହାର ପ୍ରଭାବରେ ୪୮ ଘଣ୍ଟା ବର୍ଷା ନାଦିବ । ଅଧା ଓଡିଶା ପାଣିରେ ଭସେଇବ । କଲବଲ ହେବେ ୧୪ ଜିଲ୍ଲାବାସୀ । ଏମିତି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୪ ଜିଲ୍ଲାରେ ସ୍ଥି ସଙ୍ଗୀନ ବି ହୋଇପାରେ ।

ବର୍ଷାର ଭୟାବହତାକୁ ଲକ୍ଷ୍ୟ କରି ଆଜି ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି କରିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବା ଲାଗି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ବିଭିନ୍ନ ନଦୀରେ କାଳେ ଜଳପତ୍ତନ ବୃଦ୍ଧି ପାଇବ, ଘାଇ ସୃଷ୍ଟି ହେବ, ସେ ନେଇ ପରିସ୍ଥିତି ଉପରେ ନଜର ରଖିବା ଲାଗି ଜଳସଂପଦ ବିଭାଗ ନିଜର ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିବା ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ତେବେ ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ଅଧିକ ବିପଦ ଥିବା କୁହାଯାଉଛି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଯଦିଓ ଆଜିଠାରୁ ବର୍ଷା ଆରମ୍ଭ ହୋଇଗଲାଣି, ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବଢିବ। ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାୟଗଡ଼ା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା, କଟକ, ନୟାଗଡ଼, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ସୋନପୁର, ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ। ଏଥିସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ୧୫ ତାରିଖ ରାତି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏହାପରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହ୍ରାସ ପାଇବ। କିନ୍ତୁ ଉତ୍ତର ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ସ୍ଥିତି ଗମ୍ଭୀର ଥିବା ବେଳେ ପାଣିପାଗ ବିଶେଷଜ୍ଞମାନେ ଆଉ ଏକ ଘୂର୍ଣ୍ଣିବଳୟ ହେବା ନେଇ ଆଜି ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଅର୍ଥାତ୍‌ ୨୦ ତାରିଖ ଯାଏ ବର୍ଷା ଲାଗିରହିବ। ଲଘୁଚାପ ଦ୍ୱାରା ବର୍ଷାର ପ୍ରଭାବ କ୍ରମଶଃ ଦକ୍ଷିଣରୁ ଉତ୍ତର ଓଡ଼ିଶା ଆଡ଼କୁ ଗତି କରିବ। ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ବର୍ଷା କମ୍‌ ରହିବ। ୧୫ ଓ ୧୬ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ହେବ। ୧୬ ତାରିଖରେ ବର୍ଷାର ପ୍ରକୋପ କମିବ। ତେବେ ଏହାପରେ ପୁଣି ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପୁଣିଥରେ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି।

Leave A Reply

Your email address will not be published.