ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ମିଳିଲା ପତା

କଟକ: ଏସସିବିରୁ ଚମ୍ପଟ ମାରିଥିବା କୋରୋନା ସନ୍ଦିଗ୍ଧଙ୍କ ପତା ମିଳିଛି । ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି ।ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ବହୁ ଖୋଜାଖୋଜି ପରେ ସନ୍ଦିଗ୍ଧ ବ୍ୟକ୍ତିଜଣକ ଭୁବନେଶ୍ୱରର ଏକ ହୋଟେଲ୍‌ରେ ରହିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏକ ନୂଆ ଟ୍ୱିଷ୍ଟ୍‌ ସାମ୍ନାକୁ ଆସିଛି। ଏସସିବି କର୍ତୃପକ୍ଷ ଗୋଟିଏ କଥା କହୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଆଉ ଏକ କଥା କହୁଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଂଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିବା ପରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା। ଏହାପରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରୁ ଏସସିବିକୁ ରେଫର କରାଯାଇଥିଲା। କିନ୍ତୁ ଗତକାଲି ରାତିରେ ଆୟର୍ଲାଣ୍ଡର ଏହି ନାଗରିକ ଜଣକ ଚମ୍ପଟ ମାରିଥିବା ନେଇ ମଙ୍ଗଳାବାଗ ଥାନାରେ ମୌଖିକ ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ, ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଜଣକ କ୍ୟାପିଟାଲ ହସ୍ପିଟାଲରୁ ରେଫର ହୋଇ ସହଯୋଗୀଙ୍କ ସହ କଟକ ଏସସିବି ଆସିଥିଲେ। ସନ୍ଦିଗ୍ଧଙ୍କ ଜଣେ ସହଯୋଗୀ ରେଫରାଲ ଟିକେଟ୍ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସନ୍ଦିଗ୍ଧଙ୍କୁ ଆଣି ଆଡମିଟ କରିବାକୁ ତାଙ୍କୁ କୁହାଯିବାରୁ ସେ ତାଙ୍କୁ ଆଣିବା ପାଇଁ ତଳକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ନ ଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହା ପରଠୁ ସନ୍ଦିଗ୍ଧ କେଉଁ ଆଡ଼େ ଫେରାର ହୋଇଯାଇଥିବା ପୋଲିସ ର ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ସେପଟେ ଫେରାର କଥାକୁ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷ ଖଣ୍ଡନ କରିଛନ୍ତି। ସନ୍ଦିଗ୍ଧ ଜଣଙ୍କ ଭୁବନେଶ୍ୱରର ଏକ ହୋଟେଲ୍‌ରେ ରହିଛନ୍ତି। ତାଙ୍କୁ ଏସସିବି ପଠାଯାଇଥିଲା। ହେଲେ ଆଡମିଟ୍ ହେବାକୁ ରାଜି ନ ହୋଇ ସେ ଫେରିଛନ୍ତି ବୋଲି କ୍ୟାପିଟାଲ୍ ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି।

Leave A Reply

Your email address will not be published.