ଗାଁ ଗାଁକୁ ଡେଉଁଛି କାଳିଆ କଳି


କାଳିଆ ଯୋଜନାରେ ଫର୍ମ ବିକ୍ରି ଅବଧିକୁ ଆଉ ୫ ଦିନ ବଢାଇଛନ୍ତି ସରକାର

ଭୁବନେଶ୍ୱର : କାଳିଆ ଯୋଜନାକୁ ନେଇ ବଢୁଛି ବିବାଦ । କିଏ କିଭଳି ଏହି ଯୋଜନାରୁ ଅର୍ଥ ହାତେଇବେ ସେଥିପାଇଁ ଆରମ୍ଭ ହୋଇଗଲାଣି ଛକାପଞ୍ଝା । କେଉଁଠି ଫର୍ମ ମିଳୁନି ତ ଆଉ କେଉଁଠି ଦଳୀୟ କର୍ମୀଙ୍କୁ ଆଗ ଏହି ଯୋଜନାରେ ସାମିଲ ପାଇଁ ମସୁଧା ହେଉଥିବା ଅଭିଯୋଗ ଆସିଲାଣି । ଆବେଦନ ପାଇଁ ଆଜିଠାରୁ ଆଉ ୫ ଦିନ ଅଧିକା ସମୟ ବଢାଯାଇଥିଲେ ବି ଲୋକଙ୍କ ଭିତରେ ଯେଭଳି କାଳିଆ ଯୋଜନାରେ ସାମିଲ ପାଇଁ ପ୍ରତିଯୋଗିତା ଚାଲିଲାଣି ତାହା ଆଗକୁ କେଉଁ ମୋଡ ନେବ କହି ହେଉନି । ଏଭଳି ସ୍ଥିତିରେ କାଳିଆ ଯୋଜନାକୁ ସନ୍ଦେହ କରିବା ଆରମ୍ଭ କଲେଣି ବିରୋଧି ।।

ଗାଁ ଗାଁରେ ଏବେ କାଳିଆ କଳି, କାଳିଆ ଯୋଜନାକୁ ନେଇ ଆଗ୍ରହ ଯେତିକି ବିବାଦ ବି ସେତିକି । କାଳିଆ ଯୋଜନାରେ କିଭଳି ସରକାରୀ ଆର୍ଥିକ ସହାୟତା ରାଶି ଆଗେ ହାତେଇ ସେଥିପାଇଁ ଚାଲିଛି ଦୌଡ । କିଛି ଲୋକତ ଯୋଗ୍ୟ ହିତାଧିକାରୀ ତାଲିକାରେ ନଥାଇ ବି ଅର୍ଥ ହଡପ ଯୋଜନା ମାତି ଉଠିଲେଣି । ଆଉ କେଉଁଠି ଦଳୀୟ ଭିତ୍ତିରେ ଏହି ଯୋଜନାରେ ଫାଇଦା ହାତେଇବାକୁ ଫନ୍ଦି ଚାଲିଥିବା  ଚର୍ଚ୍ଚା। କାଳିଆ ଯୋଜନାରେ ଫର୍ମ ଲୋକଙ୍କ ପାଖେ ପହଁଚି ପାରୁ ନଥିବାରୁ ତାକୁ ନେଇ ଅସନ୍ତୁଷ୍ଟ ଲୋକେ । ଯୋଜନାକୁ ନେଇ ଲୋକଙ୍କ ରୋଷ । ଜଗତସିଂହପୁ ଜିଲ୍ଲାରେ ଫର୍ମବଣ୍ଟା ଅନିୟମିତତା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆଉ ସିମୁଳିଆରେ ତ ବ୍ଲାକ୍‌ରେ ବିକ୍ରି ହେଉଛି ଫର୍ମ । ଚାଲିଛି ମାରଧର । ସାନଖେମୁଣ୍ଡିର ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ରଖିଛନ୍ତି । ବାଙ୍କିର ଫର୍ମ ନେବାକୁ ଲମ୍ବା ଲାଇନରେ ଠିଆ ହୋଇଛନ୍ତି ଆଶାୟୀ । ବାଲେଶ୍ବରରେ ଫର୍ମ ବିକା ଜାଲିଆତି ଘଟଣା ସାମ୍ନାକୁ ଆସିବାପରେ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ଏହାଭିତରେ କାଳିଆ ଯୋଜନାରେ ଫର୍ମ ବିକ୍ରି ଅବଧିକୁ ଆଉ ୫ ଦିନ ବଢାଇଛନ୍ତି ସରକାର ।  ହେଲେ ଏ ବିବାଦର ସମାଧାନ ଏତେ ଶୀଘ୍ର ହେବାଭଳି ଲାଗୁନି । କାରଣ ସବୁ ଆବେଦନକାରୀଙ୍କର ଆଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ଫୋନ୍ ନମ୍ବର ଓ ଭୋଟର ଆଇକାର୍ଡ ଆଦି ଠିକ୍ ଠାକ୍ ଥିବା ନେଇ ସନ୍ଦେହ ରହିଛି । ଯେହେତୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଅର୍ଥ ପ୍ରଦାନ କରାଯିବ ସେନେଇ ବାଧା ଉପୁଜିବ ବୋଲି କୁହାଯାଉଛି । ସେପଟେ ୫୭ ଲକ୍ଷ କୃଷକଙ୍କୁ କାଳିଆ ଯୋଜନାରେ ସାମିଲ ପାଇଁ ବ୍ୟବସ୍ଥା ଥିବାବେଳେ ୨୧ ଲକ୍ଷ ଲୋକଙ୍କର ଡିବିଟି ଆକାଉଣ୍ଟ ଥିବାରୁ ଏହା ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହାଭିତରେ ଦଳୀୟ ଭିତ୍ତିରେ ହିତାଧିକାରୀଙ୍କୁ ସାମିଲ ପାଇଁ ଯେଉଁ ଅଭିଯୋଗ ଆସୁଛି ତାକୁ ନେଇ ରାଜନୀତି ଜୋର ଧରିଲାଣି ।

କାଳିଆ ଯୋଜନାରେ ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ । ଯେଉଁମାନଙ୍କର ଅଢେଇ ଏକରରୁ ୫ ଏକର ଜମିଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ । ଭୂମିହୀନ ପରିବାର ମଧ୍ୟ ଏହି ଯୋଜନାରେ ଜୀବନ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ପାଇବେ । ସେହିଭଳି ଯେଉଁ ଚାଷୀ ଓ କୃଷି ଶ୍ରମିକ ଆର୍ଥିକ ସ୍ବଚ୍ଛଳ ନଥିବ ସେମାନ ବି ଏହିଯୋଜନାରେ ରହିବେ । ଏହାବାଦ୍ ଚାଷୀ ମାନଙ୍କୁ ଜୀବନବୀମା ସୁରକ୍ଷା ଦେବା ମଧ୍ୟ ରହିଛି । ସେହିଭଳି ଏସବୁ ବର୍ଗର ଚାଷୀ ଓ କୃଷି ଶ୍ରମିକଙ୍କୁ ବିନା ସୁଧରେ କୃଷିଋଣ ଦେବାର ବ୍ୟବସ୍ଥା ବି ଅଛି କାଳିଆ ଯୋଜନାରେ । ତେବେ ଏହିଯୋଜନା କିଭଳି କାର୍ଯ୍ୟକାରୀ ହେବ ସେନେଇ ଉପୁଜିବାର ଲାଗିଛି ନୂଆ ନୂଆ ବିବାଦ ।

Leave A Reply

Your email address will not be published.