ଭୁବନେଶ୍ୱର: କିଷାନ କଂଗ୍ରେସ ପକ୍ଷରୁ ୧୫ ରୁ ପର୍ଯ୍ୟାୟ କ୍ରମେ କିଷାନ କର୍ମଶାଳା ଆୟୋଜନ କରାଯିବ । ସ୍ଥାନୀୟ କଂଗ୍ରେସ ଭବନରେ କିଷାନ୍ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ଘୋଷଣା କରିଛନ୍ତି ଏଆଇସିସି କିଷାନ୍ କଂଗ୍ରେସ ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି। ଏହି କର୍ମଶାଳାରେ ଜିଲ୍ଲାର ଚାଷୀ ଓ ଲୋକଙ୍କ ଭିତରେ ସଚତନତା ସୃଷ୍ଟି କରାଯିବା ସହ ରାଜ୍ୟଠାରୁ ପଂଚାୟତ ସ୍ତର ପର୍ଯ୍ୟନ୍ତ କିଷାନ୍ କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ହୋଇଛି।
ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ସୋଲାଙ୍କି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୬ ବର୍ଷ ଶାସନକାଳରେ ଦେଶରେ ଚାଷୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି ନ ଘଟିବା, ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀଙ୍କ ବିକାଶ ପରିବର୍ତେ କମ୍ପାନି ପ୍ରୀତିରେ ଚାଲିଛି। ଆଜିର କେନ୍ଦ୍ର ବଜେଟ୍ ଚାଷୀଙ୍କ ପାଇଁ ଆଶାଶୂନ୍ୟ। ଉଭୟ ସରକାର କେବଳ ପ୍ରଚାର ସର୍ବସ୍ବ ବୋଲି ଶ୍ରୀ ସୋଲାଙ୍କି କହିଥିଲେ। ପିସିସି କିଷାନ୍ କଂଗ୍ରେସ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ କହିଥିଲେ, ଚାଷୀମାନଙ୍କ ଦାବିକୁ ଶାଣିତ କରିବା ପାଇଁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ। ବିଶେଷକରି କୃଷି ଋଣ ଛାଡ଼, ପ୍ରତି ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନ୍ସନ୍, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨,୯୩୦ ଟଙ୍କାକୁ ବୃଦ୍ଧି, ମଣ୍ଡି ସଶକ୍ତିକରଣ, ଚାଷ ପାଇଁ ଶତପ୍ରତିଶତ ଜଳସେଚନ, ଶୀତଳଭଣ୍ଡାର ପୁନରୁଦ୍ଧାର ପ୍ରଭୃତି ଉପରେ ଦୃଢ଼ ଦାବି କରାଯିବ ବୋଲି ସେ କହିଥିଲେ।
