ବୁରାରିରେ ୧୧ ଜଣଙ୍କ ମୃତ୍ୟୁ ଘଟଣା : ସାମ୍ମନାକୁ ଆସିଲା ନୂଆ ତଥ୍ୟ,ମଶାଣିରେ ଭୂତ ଖୋଜୁଥିଲେ ମୃତ୍ୟୁର ମାଷ୍ଟର ମାଇଣ୍ଡ ଲଳିତ !
ନୂଆଦିଲ୍ଲୀ : ଦିଲ୍ଲୀର ବୁରାରି ରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ମନାକୁ ଆସିବାରେ ଲାଗିଛି । ୧୧ ପାଇପ,୧୧ ରଡ ଓ ତନ୍ତ୍ର ମନ୍ତ୍ର ଓ ମୃତ୍ୟୁ ପୂର୍ବର ପ୍ରସ୍ତୁତିର ଭିଡିଓ ଆସିବା ପରେ ଏବେ ଡାଇରୀରୁ ମିଳିଛି ଆଉ ଏକ ନୂଆ ତଥ୍ୟ । ଭାଟିଆ ପରିବାର ସାନ ପୁଅ ଲଳିତ ମଶାଣୀକୁ ଯାଇ ଭୂତ ପ୍ରେତ ଖୋଜୁଥିଲେ ବୋଲି ଜଣା ପଡିଛି । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଛାତି ଥରାଇ ଦେବା ତଥ୍ୟ ଲାଗିଛି । ପରିବାର ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଘରର ସାନ ପୁଅ ଲଳିତ ବାରମ୍ବାର ବିଭିନ୍ନ ମଶାଣିକୁ ଯାଉଥିଲେ । ଭୂତ ଓ ପ୍ରେତଙ୍କୁ ଖୋଜିବା ଏବଂ ସେମାନଙ୍କ ସମ୍ପର୍କରେ ଜାଣିବା ପାଇଁ ସେ ଏଭଳି କରୁଥିଲେ ବୋଲି କ୍ରାଇମ୍ବ୍ରାଞ୍ଚ ଜାଣିବାକୁ ପାଇଛି । ପୁଲିସ୍ ଭାଟିଆ ପରିବାରର ମୃତଦେହ ମିଳିଥିବା ଘରୁ ଜବତ କରିଥିବା ଡାଏରୀରୁ ଏଭଳି ତଥ୍ୟ ପାଇଛି । ଏହି ଡାଏରୀକୁ ଲଳିତ ନିର୍ଦ୍ଦେଶରେ ତାଙ୍କ ଝିଆରୀ ପ୍ରିୟଙ୍କା ଲେଖୁଥିଲେ ବୋଲି ପୁଲିସ୍ କହିଛି । କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି, ପ୍ରିୟଙ୍କା ତାଙ୍କ ଦାଦାଙ୍କ ଭୂତ ଖୋଜିବା କଥା ଡାଏରୀରେ ଲେଖୁଥିଲେ । ଏପରି କି ସେ ଫେସବୁକରେ ଏକ ଭୂତ ସମ୍ପର୍କରେ ତଥ୍ୟ ଓ ଭିଡିଓ ଥିବା ପେଜ୍କୁ ଲାଇକ୍ କରିଥିଲେ । ଏହାବାଦ୍ ଆତ୍ମା, ପ୍ରଭାବିତ କରିପାରୁଥିବା ତଥ୍ୟ ସମ୍ବଳିତ ପେଜ୍ ଓ ଜୋତିର୍ବିଜ୍ଞାନ ସମ୍ବନ୍ଧୀୟ ପେଜ୍କୁ ମଧ୍ୟ ଲାଇକ୍ କରିଥିଲେ । ଲଳିତ ମୃତ୍ୟୁ ଓ ଅତୃପ୍ତ ଆତ୍ମାର ସନ୍ଧାନ କରୁଥିଲେ । ଲଳିତ ସର୍ବଦା ନିଜ ମୋବାଇଲ୍ରେ ଭୂତ ସମ୍ପର୍କିତ ଫିଲ୍ମ ଓ ଭିଡିଓ ଦେଖୁଥିଲେ । ଇଣ୍ଟରନେଟ୍ରେ ମଧ୍ୟ ଏ ସମ୍ପର୍କରେ ରିସର୍ଚ୍ଚ କରୁଥିଲେ । ତେଣୁ ମୃତ୍ୟୁ ପଛରେ ଏହାର କିଛି ସମ୍ପର୍କ ରହିଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଲଳିତ ପରିବାରର ସମସ୍ତ ସଦସ୍ୟଙ୍କୁ ପୂଜାପାଠ ସମ୍ପର୍କରେ ଭିନ୍ନ ଟ୍ୟାକ୍ସ ଦେଉଥିଲା । ଏଗୁଡ଼ିକୁ ଶେଷ କରିବାକୁ ମଧ୍ୟ ସେ ସମସ୍ତଙ୍କୁ ପରାମର୍ଶ ଦେଉଥିବା ପୁଲିସ୍ ଜାଣିବାକୁ ପାଇଛି । ଡାଏରୀରେ ଆହୁରି ଲେଖା ହୋଇଛି ଯେ ୧୧ ଦିନ ପରେ ପରିବାରର ୧୧ ଜଣ ସଦସ୍ୟ ଫେରିବେ । ଅର୍ଥାତ ମୃତ୍ୟୁର ୧୧ ଦିନ ପରେ ଭାଟିଆ ପରିବାରର ସମସ୍ତ ସଦସ୍ୟ ପୁନଃ ଏହି ସ୍ଥାନକୁ ଫେରିବେ । ଅନ୍ୟପକ୍ଷରେ ପୁଲିସ୍ ଗତକାଲି ଗୀତା ମା’ ନାମ୍ନୀ ଜଣେ ମାତାଜୀଙ୍କୁ ଜେରା କରିଥିଲା । ଏହି ମାତାଙ୍କ ସହ ଲଳିତ ବାରମ୍ବାର ଫୋନ୍ ଯୋଗେ କଥା ହେଉଥିଲେ ଏବଂ ତାଙ୍କରି ଇସାରାରେ ଏଭଳି ଆତ୍ମହତ୍ୟା ଘଟିଛି ବୋଲି ପୁଲିସ୍ ସନ୍ଦେହ କରୁଛି । କିନ୍ତୁ ଗୀତା ମା’ ଏହାକୁ ଖଣ୍ଡନ କରିଛନ୍ତି ।
