ମାରିନ ବିଚରେ କରୁଣାନିଧିଙ୍କ ସମାଧି ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦେଶ

ଚେନ୍ନାଇ: ଦିବଂଗତ ଡିଏମକେ ନେତା ଏମ୍‍ କରୁଣାନିଧିଙ୍କ ପାର୍ଥିବ ଶରୀରକୁ ମାରିନ୍‍ ବିଚ୍‍ରେ ସମାଧି ଦିଆଯିବ। ସେଠାରେ ସମାଧି ପାଇଁ ତାମିଲନାଡ଼ୁ ସରକାର ଅନୁମତି ଦେଇ ନଥିବାରୁ ସମାଧି ସ୍ଥଳକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତେବେ ଆଜି ପୂର୍ବାହ୍ନରେ ଡିଏମ୍‍କେର ଆବେଦନକୁ ଗ୍ରହଣ କରି ମାଡ୍ରାସ୍‌ ହାଇକୋର୍ଟ ମାରିନ୍‍ ବିଚ୍‍ରେ ହିଁ କରୁଣାନିଧିଙ୍କ ସମାଧି ପାଇଁ ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପରେ ତାଙ୍କ ପାର୍ଥିବ ଶରୀରକୁ ଆନ୍ନା ମେମୋରିଆଲ୍‍ ନିକଟରେ ସମାଧି ଦିଆଯିବ। ସେଠାରେ ଏମଜିଆର ଓ ଜୟଲଳିତାଙ୍କୁ ସମାଧି ଦିଆଯାଇଛି। କରୁଣାନିଧିଙ୍କ ଏକ ସ୍ମାରକୀ ନିର୍ମାଣ ପାଇଁ ତାଲିମନାଡ଼ୁ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ୍‌ ଅନ୍ନାଦୁରାଇ, ଏମ୍‌ଜି ରାମଚନ୍ଦ୍ରନ୍‌ ଏବଂ ଜେ ଜୟଲଳିତା ଆଦି ମୁଖ୍ୟମନ୍ତ୍ରୀଙ୍କ ସମାଧିସ୍ଥଳ ମେରିନା ବିଚ୍‌ରେ କରୁଣାନିଧିଙ୍କୁ ସମାଧି ଦିଆଯାଉ ବୋଲି ଡିଏମ୍‌କେ କର୍ମୀ ମଙ୍ଗଳବାର ଦିନ ତାମିଲନାଡୁ ସରକାରଙ୍କୁ ଔପଚାରିକ ଭାବେ ଅନୁରୋଧ କରିଥିଲେ।

ଏହାର ଜବାବରେ ତାମିଲନାଡୁ ସରକାର କହିଥିଲେ କି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସମାଧିସ୍ଥଳ ଉପରେ ଆଇନ୍‌ ପ୍ରଶ୍ନ ଉଠାଇ ଥିବାରୁ ସେଠାରେ କରୁଣାନିଧିଙ୍କୁ ସମାଧି ଦିଆଯାଇ ପାରିବ ନାହିଁ। ସରକାର ଅନ୍ୟ ଏକ ସ୍ଥାନରେ ତାଙ୍କ ସମାଧି ପାଇଁ ଦୁଇ ଏକର ସ୍ଥାନ ଯାଚିଥିଲେ।

ଶେଷରେ ଡିଏମ୍‌କେ ମାମଲା ମାଡ୍ରାସ୍‌ ହାଇକୋର୍ଟକୁ ନେଇଥିଲା। ମଙ୍ଗଳବାର ରାତି ସାଢ଼େ ଦଶଟା ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହୁଲୁବାଦି ଜି ରମେଶ ବିଳମ୍ବିତ ରାତ୍ରୀ ଶୁଣାଣି କରିବାରେ ଦ୍ୱିତୀୟ ଶୁଣାଣି ବୁଧବାର ସକାଳ ୮ଟାକୁ ନିର୍ଦ୍ଧାରଣ କରିଥିଲେ।

 

Leave A Reply

Your email address will not be published.