ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ରର ସୁଦିନ ଫେରିବ । ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଅଣଅଟା ଭିଡ଼ିଛନ୍ତି । ଏଥିପାଇଁ ଚିଠାନୀତି ପ୍ରସ୍ତୁତି ନିମନ୍ତେ ଗଠନ ହୋଇଛି ମନ୍ତ୍ରୀସ୍ତରୀୟ କମିଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବା ସହ ଏହି ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଅଧ୍ୟକ୍ଷ ଅଛନ୍ତି । ଅନ୍ୟ ଦୁଇ ସଭ୍ୟ ହେଲେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ । ଶିଳ୍ପ ସଚିବ ସଂଜୀବ ଚୋପ୍ରା କମିଟିର ଆବାହକ ଅଛନ୍ତି । ଆସନ୍ତା ଏକ ମାସ ମଧ୍ୟରେ ଏହି କମିଟି ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ରିପୋର୍ଟ ପ୍ରସ୍ତୁତ କରିବ । ଏହି ରିପୋର୍ଟ ଆଧାରରେ ଏକ ଚିଠାନୀତି ପ୍ରସ୍ତୁତ ହେବ । ଆଜିର ବୈଠକରେ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ସହ ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପର ପ୍ରସାର ପାଇଁ ବିଭିନ୍ନ ସିନେମା ହଲ୍ର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ମନ୍ତ୍ରୀ ଶ୍ରୀ ସାମଲ, ଶ୍ରୀ ଦାସ, ଉନ୍ନୟନ କମିଶନର୍ ଆର୍ ବାଲକ୍ରିଷ୍ଣନ୍, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଉପସ୍ଥିତ ଥିଲେ
