ନୂଆଦିଲ୍ଲୀ : ବଳାତ୍କାରର ଶିକାର ହୋଇଥିବା ନାବାଳିକାଙ୍କ କୌଣସି ବି ଫଟୋ ଟିଭି କିମ୍ବା ଖବର କାଗଜରେ ଦେଖାଇ ହେବ ନାହିଁ। ଏମିତିକି ମର୍ଫ ଫଟୋ ବି ପ୍ରକାଶ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଆଜି ନିଜ ଆଡୁ ଏମିତି ଏକ ନିର୍ଦ୍ଦେଶନାମା ଦେଇଛନ୍ତି।
ଦିଲ୍ଲୀର ନିର୍ଭୟା, କୋରାପୁଟର କୁନ୍ଦୁଲୀ ପୀଡ଼ିତା, କାଶ୍ମୀରର କାଠୁଆ ପୀଡ଼ିତା ଏବଂ ବିହାରର କନ୍ୟାଶ୍ରମର କୋମଳମତି ଶିଶୁଙ୍କ ପ୍ରତି ପାଶବିକ ଅତ୍ୟାଚାର ଖବର। ଏସବୁ ଖବର ସାରା ଦେଶକୁ ଦୋହଲାଇଦେଇଥିଲା। ଜନମାନସରେ ସୃଷ୍ଟି କରିଥିଲା କ୍ରୋଧ। ସୋସିଆଲ ମିଡିଆରୁ ଆରମ୍ଭ କରି ଖବର କାଗଜ ଓ ଟେଲିଭିଜନରେ ଏସବୁ ଖବର ଲଗାତର ଭାବେ ଘୁରି ବୁଲିଥିଲା। ନାବାଳିକାଙ୍କ ପ୍ରତି ହେଉଥିବା ପାଶବିକ ନିର୍ଯାତନା ନେଇ ସାରା ଦେଶରେ ଏବେ ଉଦ୍ବେଗ ପ୍ରକାଶ ପାଉଛି। ଏସବୁ ଭିତରେ ଆଉ ଏକ ସମ୍ବେଦନଶୀଳ କଥା ଦେଖିବାକୁ ମିଳୁଛି ଯେ ଯୌନ ନିର୍ଯାତନାର ଶିକାର ହେଉଥିବା ଶିଶୁମାନଙ୍କର ଫଟୋକୁ ପ୍ରସାରଣକାରୀ ସଂସ୍ଥା ସାମ୍ନାକୁ ନେଇ ଆସୁଛନ୍ତି। ବେଳେ ବେଳେ ମର୍ଫ ଫଟୋ ବା ଫଟୋକୁ ସାମାନ୍ୟ ବ୍ଲର କରି ପ୍ରକାଶ କରୁଛନ୍ତି। ଯାହାକି ସଂପୃକ୍ତ ଶିଶୁଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଉଛି। ଏହାକୁ ଅନୁଧ୍ୟାନ କରି ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ନିଜ ଆଡୁ ଜାରି କରିଛନ୍ତି। ଯୌନ ନିର୍ଯାତନାର ଶିକାର ହୋଇଥିବା ନାବାଳିକାଙ୍କର କୌଣସିବି ଫଟୋ ଟିଭି କିମ୍ବା ଖବରକାଗଜରେ ସ୍ଥାନ ଦିଆଯାଇପାରିବ ନାହିଁ। ଏମିତିକି ମର୍ଫ ଫଟୋ ମଧ୍ୟ ଦେଖାଇହେବ ନାହିଁ।
ଦେଶରେ ଦିନକୁ ୧୦୬ ବଳାତ୍କାର ଘଟଣା ସାମ୍ନାକୁ ଆସୁଛି। ଆଉ ପ୍ରତି ୧୦ଟି ଯୌନ ନିର୍ଯାତନା ଘଟଣାରେ ୪ ଜଣ ହେଉଛନ୍ତି ନାବାଳିକା। ମଧ୍ୟପ୍ରଦେଶରେ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଓଡ଼ିଶା, ତାମିଲନାଡୁରେ ସ୍ଥିତି ଉଦ୍ବେଗଜନକ। ବାଳନିର୍ଯାତନା ଆଇନ କଡ଼ାକଡ଼ି ହେବା ପରେ ଏ ସଂପର୍କିତ ଅଧିକରୁ ଅଧିକ ମାମଲା ପଂଜିକୃତ ହେଉଛି। କେବଳ ୨୦୧୫ରୁ ୨୦୧୬ ମଧ୍ୟରେ ପାଖାପାଖି ୯୦ ପ୍ରତିଶତ ଅଧିକ ମାମଲା ପଂଜୀକୃତ ହୋଇଥିଲା। ଅନେକ କ୍ଷେତ୍ରରେ ଏଭଳି ଘଟଣା ମିଡିଆରେ ହାଇଲାଇଟ ହେବାରୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ବରନ୍ବିତ ହୋଇଛି। ଏଥିସହିତ ମିଡିଆ ମଧ୍ୟ ଯୌନ ନିର୍ଯାତନାର ଶିକାର ହୋଇଥିବା ନାବାଳିକାର ଭବିଷ୍ୟତ ପ୍ରତି ଯତ୍ନବାନ ହେବା ଗୁରୁତ୍ବ ରଖୁଛି।
ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ମିଡିଆକୁ ଅଧିକ ସତର୍କ କରିବ ଏଥିସହିତ ନାବାଳିକାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ବିରୋଧରେ ଲୋକଙ୍କୁ ମଧ୍ୟ ଅଧିକ ସଚେତନ କରିବ।
