ପୁଅକୁ ପୋଲିସ ପିଟିବାରୁ ଧାରଣାରେ ବସିଲେ ବିଧାୟକ

ରାଉଲକେଲା: ମୋ ପୁଅ ସାଙ୍ଗମାନଙ୍କ ସହ ବିବାହ ମଣ୍ଡପ ସମ୍ମୁଖରେ ଛିଡା ହୋଇଥିଲା । ପିସିଆର ଭ୍ୟାନ ପହଂଚି ସେମାନଙ୍କୁ ମାଡ ମାରିଥିଲା । ବିନା କାରଣରେ ମୋ ପୁଅକୁ ବାଡେଇବା ପରେ ଏବେ ପୋଲିସ କହୁଛନ୍ତି ଆମେ ମାରପିଟ କରିନୁ । ଏଭଳି ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ।

ପୁଅର ଭୁଲ ନ ଥାଇ ପୋଲିସ ଅଧିକାରୀ ମାରପିଟ କରିଥିବା କାରଣରୁ ଏହାକୁ ବିରୋଧ କରି ବିଧାୟକ ଗତକାଲି ରାତିରୁ ରଘୁନାଥପାଲି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଆଜି ସକାଳେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ମିଳିବା ପରେ ସେ ଧାରଣାରୁ ଉଠିଥିଲେ।

ସୂଚନାଅନୁସାରେ, ଗତକାଲି ରାତିରେ ବିଧାୟକଙ୍କ ପୁଅ ଓ ତାଙ୍କର କିଛି ସାଙ୍ଗ ରାଉରକେଲା ଜେଲ୍‌ ରୋଡ୍‌ରେ ଥିବା ଏକ ବିବାହ ମଣ୍ଡପ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ପୋଲିସ ଆସି ସେମାନଙ୍କୁ ଘରକୁ ଯିବାକୁ କହିଥିଲା। ଏହି କଥାକୁ ନେଇ ପୋଲିସ ଏବଂ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏହାପରେ ପୋଲିସ ଯୁବକମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ଯୁବକମାନେ ବିଧାୟକଙ୍କୁ ଖବର ଦେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାୟକ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଆଜି ସକାଳେ  ଡିଏସ୍‌ପି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ବିଧାୟକ ଧାରଣାରୁ ଉଠିଥିଲେ।

ଏନେଇ ବିଧାୟକ ଶଙ୍କର ଓରାମ କହିଛନ୍ତି, “ ଗତକାଲି ରାତି ପ୍ରାୟ ସାଢ଼େ ନଅଟା ବେଳେ ବିବାହ ମଣ୍ଡପରେ ବାହାଘର ଚାଲିଥିଲା। ମଣ୍ଡପ ଗେଟ୍ ପାଖରେ ମୋ ପୁଅ ସହ କିଛି ପିଲାମାନେ ଠିଆ ହୋଇଥିଲେ। ସେହି ସମୟରେ ପିସିଆର ଭ୍ୟାନ୍ ଆସି ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲା।

ଖବର ପାଇବା ପରେ ମୁଁ ରଘୁନାଥପାଲି ଥାନା ଆଇଆଇସିଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲି। ହେଲେ ସେ କିଛି ଜାଣି ନଥିବା କହିଥିଲେ। ଘଟଣାର ତଦନ୍ତ କରିବାକୁ ମୁଁ କହିଥିଲି। ଏହାପରେ ମୁଁ ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲି। ହେଲେ ତାଙ୍କ ମୋବାଇଲ୍ ସୁଇଚ୍‌ ଅଫ୍ ଥିଲା। ମୁଁ ଥାନାକୁ ଆସି ଘଟଣା ସମ୍ପର୍କରେ ପଚାରିବାରୁ କୌଣସି ମାରପିଟ୍ ହୋଇନି ବୋଲି ଥାନା ପକ୍ଷରୁ କୁହାଗଲା। ଏହା ପ୍ରତିବାଦରେ ଆମେ ଧାରଣାରେ ବସିଥିଲୁ। ”

 

 

Leave A Reply

Your email address will not be published.