ନୀଳ କନ୍ଦରକୁ ଫେରିଲେ ତିନି ଠାକୁର, ଆନନ୍ଦ ବଜାରେ ଅବଢା ପାଇବେ ଭକ୍ତ

ପୁରୀ : ସରିଲା ଘୋଷ ଯାତ୍ରା । ଜନ୍ମ ବେଦୀରେ ଦର୍ଶନ ଦେଇ ସାରି ନୀଳ କନ୍ଦରକୁ ଫେରିଲେ ତିନି ଠାକୁର । ଶ୍ରୀ ଗୁଣ୍ଡିଚା ଠାରୁ ଶ୍ରୀ ମନ୍ଦିର ଛାଡି ଭାଇ ଭଉଣୀ ଓ ସୁଦର୍ଶନଙ୍କୁ ସାଙ୍କରେ ନେଇ ରଥ ଚଢି ଜନ୍ମ ବେଦୀକୁ ଯାତ୍ରା କରିଥିଲେ କାଳିଆ ଠାକୁର । ବାହୁଡାରେ ଜନ୍ମ ବେଦୀରୁ ଫେରିଥିଲେ ବି ଭକ୍ତଙ୍କୁ ପାଖରେ ପାଇ ଛାଡି ଯିବାକୁ ମନ କରି ନଥିଲେ ମହା ବାହୁ । ଆଉ ରଥରେ ସୁନାବେଶରେ ଦର୍ଶନ ଦେଇ ଅଧର ପଣା ନୀତି ପରେ ଆଜି ନିଳାଦ୍ରୀ ବିଜେ କରିଛନ୍ତି ମହାବାଦୁ । ସିଂହଦ୍ୱାରରେ ରଥାରୁଢ଼ ମହାପ୍ରଭୁଙ୍କୁ ଭକ୍ତମାନେ ହର୍ଷୋଲ୍ଲାସ ସହିତ ‘ରସଗୋଲା’ ଭୋଗ ଅର୍ପଣ କରିଛନ୍ତି। କେହି କେହି ଏହି ପ୍ରସାଦକୁ ଖୁସିରେ ବାଣ୍ଟିଛନ୍ତି। ଶ୍ରୀମନ୍ଦିର ପରଂପରା ଅନୁସାରେ ଶ୍ରୀଜିଉମାନଙ୍କୁ ବର୍ଷର କେବଳ ଗୋଟିଏ ଦିନ (ନିଳାଦ୍ରୀ ବିଜେ) ଅବସରରେ ବାହାରୁ ପ୍ରସ୍ତୁତ ରସଗୋଲା ଭୋଗ ଅର୍ପଣ କରାଯାଇ ଥାଏ।

ଘୋଷଯାତ୍ରାର ଅନ୍ୟ ସମସ୍ତ ନୀତି ଭଳି ଆଜି ମଧ୍ୟ ସଅଳ ହୋଇଥିଲା ନୀଳାଦ୍ରି ବିଜେ। ହଣ୍ଡି ପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ଘଣ୍ଟା ଆଗରୁ ବିଜେ କାହାଳୀ ବାଜିଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ର ଓ ପରେ ଦେବୀ ସୁଭଦ୍ରାଙ୍କୁ ପହଣ୍ଡିରେ ନିଆଯାଇ ଥିଲା। ଶେଷରେ ଟାହିଆ ହଲାଇ ନୀଳାଦ୍ରି ବିଜେ ପହଣ୍ଡିରେ ବାହାରିଥିଲେ ସମସ୍ତଙ୍କ ପ୍ରିୟ କାଳିଆ ଠାକୁର। ତେବେ ତାଙ୍କୁ ବାଟରେ ଅଟକାଇଥିଲେ ଅଭିମାନୀ ମାଆ ଲକ୍ଷ୍ମୀ ଠାକୁରାଣୀ। ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ ହେବା ପରେ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥିଲେ ପ୍ରଭୁ ଜଗନ୍ନାଥ। ଆସନ୍ତାକାଲିଠାରୁ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି। ତା’ସହ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା।

Leave A Reply

Your email address will not be published.