ନୀତି ଆୟୋଗ ବୈଠକକୁ ନବୀନଙ୍କ ନା

ଭୁବନେଶ୍ବର : ମମତା ବାନାର୍ଜି ଓ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ନୀତି ଆୟୋଗ ବୈଠକକୁ ନବୀନଙ୍କ ନା । ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ଭିତରେ ଚାଲିଥିବା ତୁତୁ ମେଁମେଁ ପାଇଁ ରାଜ୍ୟ ସରକାର ଏହି ବୈଠକରୁ ଦୂରେଇ ରହିବେ ବୋଲି ଜଣା ପଡିଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

ନୀତି ଆୟୋଗ ଗଭର୍ଣ୍ଣିଙ୍ଗ କାଉନସିଲ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗନଦେବା ପ୍ରସଙ୍ଗରେ ଜୋର ଧରିଲା ରାଜନୀତି । ଆସନ୍ତାକାଲି ନୂଆଦିଲ୍ଲୀରେ ନୀତି ଆୟୋଗର ଏହି ବୈଠକରେ ଯୋଗଦେବାକୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଆମନ୍ତ୍ରଣ କରିଥିବା ବେଳେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ। ଏହି ବୈଠକରେ ଆୟୁଷ୍ମାନ ଭାରତ ଯୋଜନା ଭଳି କେନ୍ଦ୍ର ସରକାରଙ୍କର କିଛି ଫ୍ଲାଗସିପ୍ ଯୋଜନା ଉପରେ ଆଲୋଚନା ହେବ ଯାହାକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି। ସେହିପରି କୃଷକଙ୍କ ଆୟ ଦ୍ବିଗୁଣିତ କରିବା, ୧୧୫ ଆକାକ୍ଷିଂତ ଜିଲ୍ଲାର ବିକାଶର ରୋଡ୍ ମ୍ୟାପ ପ୍ରସ୍ତୁତ କରିବା ଉପରେ ଆଲୋଚନା ହେବ । ମିଶନ ୨୦୨୨ ନିୟୁ ଇଣ୍ଡିଆ ପାଇଁ ଭିଜନ ଡକ୍ୟୁମେଣ୍ଟ ଉପରେ ବି ଏଥିରେ ମୋହର ବାଜିବ । ହେଲେ ମମତା ବାନାର୍ଜୀ ଓ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ନବୀନ ନୀତି ଆୟୋଗର ଏହି ବୈଠକରେ ଯୋଗ ନଦେବାକୁ ସନ୍ଦେଶ ଦେଇଛନ୍ତି। ବିରୋଧି କହିଛନ୍ତି ସରକାର ରାଜ୍ୟର ବିକାଶକୁ ପ୍ରତିହତ କଲାଭଳି କିଛି କାମ ନକରିବା ଉଚିତ ।

ନୀତି ଆୟୋଗ ବୈଠକରୁ କାହିଁକି ନିଜକୁ ଦୂରେଇ ରଖୁଛି ଓଡିଶା । ଯେହେତୁ କେନ୍ଦ୍ର ସରକାର କିଛି କାର୍ଯ୍ୟକ୍ରମ ଜରିଆରେ ଲୋକପ୍ରିୟତା ଗୋଟାଇ ନିର୍ବାଚନୀ ବୈତରଣୀ ପାର ହେବାର ଲକ୍ଷ୍ୟ ରଖିଛନ୍ତି ସେଥିପାଇଁ ଏଭଳି ନିଷ୍ପତ୍ତି ନେଇଛି କି ରାଜ୍ୟ । ନା ଆୟୁଷ୍ମାନ ଭାରତ ଓ ଆଂକାକ୍ଷା ଜିଲ୍ଲା ବିବାଦ ପାଇଁ ଓଡିଶା ସରକାର ଓ କେନ୍ଦ୍ର ଭିତରେ ଚାଲିଥିବା ଛକାପଞ୍ଝା ଏହାର କାରଣ । ସେହିପରି ଧାନର ସହାୟକ ମୂଲ୍ୟ ବଢାଇବାକୁ ନେଇ ମଧ୍ୟ ରହିଛି ବିବାଦ। ତେବେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି ଯେ ନୀତି ଆୟୋଗ ବୈଠକରେ ଯୋଗ ଦେବା ବାଧ୍ୟତା ମୂଳକ ନୁହେଁ । ତେଣୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୈଠକକୁ କାହାକୁ ପଠାଯିବ କି ନାହିଁ।

କୁହାଯାଉଛି ଏଥର ନୀତି ଆୟୋଗ ବୈଠକରେ ୩ ବର୍ଷିଆ, ୭ ବର୍ଷିଆ ଓ ୧୫ ବର୍ଷିଆ ଏଭଳି ତିନୋଟି ଫେଜ୍  ରେ ବିକାଶ ପାଇଁ ଡେଡ୍ ଲାଇନ୍ ଘୋଷଣା ହେବ । ବିକାଶ ନେଇ ରାଜ୍ୟ ସରକାର ନିଜର ଫର୍ମୁଲା ପ୍ରସ୍ତୁତ କରୁଥିବା ବେଳେ ବୈଠକକୁ ବର୍ଜନ କରି ପ୍ରତିଯୋଗିତାକୁ ଆହୁରି ଜଟିଳ କରିଛି। ।

Leave A Reply

Your email address will not be published.