ନ୍ୟୁଜିଲାଣ୍ଡର ଗୋଟିଏ ଗ୍ରାମରେ ବିରାଡ଼ି ପୋଷିବା ଉପରେ କଟକଣା ଜାରି କରାଯାଇଛି । ସାଉଥଲ୍ୟାଣ୍ଡ ପରିବେଶ ବିଭାଗ ଅଭିଯୋଗ କରିଛି ଯେ ପୋଷା ବିରାଡ଼ି କେତେକ ବିରଳ ପ୍ରଜାତିର ଛୋଟଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ପରିବେଶ ସୁରକ୍ଷା ପାଇଁ ଏହି କ୍ଷୁଦ୍ରଜୀବଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ପ୍ରଶାସନିକ ଅଧିକାରୀଙ୍କ ମତରେ ମୂଷା, ବୁଢ଼ିଆଣୀ, ଝିଟିପିଟି, ଅସରପା, ଚୁଚୁନ୍ଦ୍ରା, କଲିକତରା, ଏଣ୍ଡୁଅ, ଝିଣ୍ଟିକା ପରି ଛୋଟ ଛୋଟ ଜୀବଗୁଡ଼ିକ ଘର ଭିତରେ ଅବା ଆଖପାଖରେ ରହି ମାନବ ସମାଜର ବହୁବିଧ କଲ୍ୟାଣ କରିଥାନ୍ତି । କିନ୍ତୁ ଘରେ ବିଲେଇଟିଏ ରହିଲେ ଅସରପା, ଝିଟିପିଟି, ଏଣ୍ଡୁଅ, ଚୁଚୁନ୍ଦ୍ରା, ମୂଷାଙ୍କୁ ମାରି ପରିବେଶ ବିଗାଡ଼ି ଦିଅନ୍ତି ।
କେବଳ ସେତିକି ନୁହେଁ, ମୃତ ଜୀବଙ୍କ ଦେହାବଶେଷକୁ ଏଣେତେଣେ ପକାଇ ଦୁର୍ଗନ୍ଧମୟ ବାତାବରଣ ସୃଷ୍ଟି କରିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନ୍ୟୁଜିଲାଣ୍ଡର ଦକ୍ଷିଣ ଭାଗରେ ଅବସ୍ଥିତ ଉମାଉଇ ଗ୍ରାମରେ ଉପଲବ୍ଧ ମୂଷା, ପୋଜମ୍ସ, ନେଉଳ ବଂଶର ବିରଳ ପ୍ରଜାତି କ୍ରମେ ପୋଷା ବିରାଡ଼ିଙ୍କ ଶିକାର ହୋଇ ବିଲୁପ୍ତ ପ୍ରାୟ । ତେଣୁ ବିରାଡ଼ି ମାଲିକଙ୍କୁ ପ୍ରଶାସନ ନିକଟରେ ନାମ ପଞ୍ଜୀକରଣ କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି ।
