ଲାଗିଲା କଟକଣା: ରଥଯାତ୍ରାରେ ସେବାୟତଙ୍କୁ ଭକ୍ତଙ୍କଠାରୁ ଦାନ ଦକ୍ଷିଣା ମନା

ଭୁବନେଶ୍ୱର : ଏଥର ରଥଯାତ୍ରାରେ ସେବାୟତଙ୍କୁ ଭକ୍ତଙ୍କଠାରୁ ଦକ୍ଷିଣା ନେବା ମନା । ରଥଯାତ୍ରା ସମୟରେ ସେବାୟତମାନେ କୌଣସି ଦାନ ଦକ୍ଷିଣା ଭକ୍ତଙ୍କଠାରୁ ନେଇ ପାରିବେ ନାହିଁ । ଭକ୍ତ କିଛି ଦକ୍ଷିଣା ଦେବାକୁ ଚାହିଁଲେ ତାହା ହୁଣ୍ଡିରେ ପ୍ରଦାନ କରିବେ । ଏଥିପାଇଁ ରଥରେ ୧୨ଟି ହୁଣ୍ଡି ଏବଂ ଗୁଣ୍ଡିଚାମନ୍ଦିରରେ ଲାଗିବ ୬ଟି ହୁଣ୍ଡି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଖାଯିବ । ଯେଉଁମାନଙ୍କର ଯାହା ଦେବା କଥା ସେମାନେ ହୁଣ୍ଡିରେ ଦାନ କରିବେ । ଏହାକୁ ସେବାୟତମାନେ ମଧ୍ୟ ଗ୍ରହଣ କରିଛନ୍ତି । ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶପରେ ଏହି ପଦକ୍ଷେପ ନିଆଯାଇଛି । ଭକ୍ତମାନଙ୍କଠାରୁ କୌଣସି ଦାନ ଦକ୍ଷିଣା ସେବାୟତମାନେ ନେଇ ପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ କଟକଣା ଜାରି କରିଛନ୍ତି । ଏହାକୁ ନେଇ ଶ୍ରୀମନ୍ଦିର କାନ୍ଥରେ ପ୍ରଶାସନ ପକ୍ଷରୁ ପୂର୍ବତନ ମୁଖ୍ୟ ପ୍ରଶାସକ ଥିଲାବେଳେ ନୋଟିସ୍ ମାରାଯାଇଥିଲା । ସେତେବେଳେ ଏହାକୁ ନେଇ ସେବାୟତମାନେ ବହୁ ତୁମ୍ବିତୋଫାନ କରିଥିଲେ । ପୂର୍ବତନ ପ୍ରଶାସକଙ୍କ ବିରୋଧରେ ବିଶୋଦ୍ଗାର କରିଥିଲେ । ଏପରି କି ରଥଯାତ୍ରା ସୁରୁଖୁରୁରେ କରାଇ ଦେବେ ନାହିଁ ବୋଲି ପରୋକ୍ଷରେ ଧମକ ଦେଇଥିଲେ । ବିଶୃଙ୍ଖଳା କରିବା ପାଇଁ ସେମାନେ ଏକପ୍ରକାକର ଚେତାବନୀ ଶୁଣାଇଥିଲେ । ହେଲେ ଏବେ ସେହି ସେବାୟତମାନେ ଆଲୋଚନା ପରେ ଆଜି ସହମତି ପ୍ରକାଶ କରିଛନ୍ତି । ସେମାନେ କୌଣସି ଆପତ୍ତି ନ ଉଠାଇ ଗ୍ରହଣ କରି ନେଇଛନ୍ତି । ଏଥର ରଥଯାତ୍ରାରୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ କରାଯିବ ନାହିଁ ।

Leave A Reply

Your email address will not be published.