ଓଡିଶାର ଉନ୍ନତିବିନା ପୂର୍ବ ଭାରତର ସମୃଦ୍ଧି ସମ୍ଭବ ନୁହେଁ- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  :  ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ଓଡିଶାର ଉନ୍ନତିବିନା ପୂର୍ବ ଭାରତର ସମୃଦ୍ଧି ଚିନ୍ତାକରାଯାଇ ପାରେନା ।  ପୂର୍ବରୁ ଯେମିତି କଳିଙ୍ଗ ଯୁଦ୍ଧ ଓ ପାଇକ ବିଦ୍ରୋହର ନେତୃତ୍ୱ ଓଡ଼ିଶା ନେଇଥିଲା, ଏବେ ସମୃଦ୍ଧ ଭାରତ ଗଠନ ପାଇଁ ଓଡ଼ିଶାକୁ ସେହିପରି ନେତୃତ୍ୱ ନେବାକୁ ପଡ଼ିବ। ଏକବିଂଶ ଶତାବ୍ଦୀରେ ଭାରତବର୍ଷର ଅର୍ଥନୀତିକୁ ନେତୃତ୍ୱ ନେବାର ଦାୟିତ୍ୱ ଓଡିଶାର ଅଛି। ତେଣୁ ଓଡ଼ିଶାକୁ ଏକ ସମୃଦ୍ଧଶାଳୀ ରାଜ୍ୟ ଭାବେ ତିଆରି କରିବାକୁ ପଡ଼ିିବ। ଯାହାପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିିବ ବୋଲି ଶୁକ୍ରବାର ସୂଚନା ଭବନରେ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ, ଭାରତରେ ବ୍ରିଟିଶମାନଙ୍କ ବିରୋଧରେ ପାଇକ ଜାତି ପ୍ରଥମେ ଲଢେଇ କରିଥିଲା। ବିଭିନ୍ନ ସ୍ଥାନରେ ଏ ନେଇ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଉଛି। ପାଇକମାନଙ୍କର ଆମ ଜାତି ପ୍ରତି ସ୍ବତନ୍ତ୍ର ଅବଦାନ ରହିଛି। ଏବେ ଓଡ଼ିଶାର ସ୍ବାର୍ଥ ତଥା ଓଡ଼ିିଆ ଲୋକଙ୍କ ହକ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ଉଭୟ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାତ୍ର ୨୫ ଲକ୍ଷ ଘର ଥିବାବେଳେ ଗତ ୫ବର୍ଷରେ ଏହାର ସଂଖ୍ୟା ୨କୋଟିରୁ ଊର୍ଦ୍ଧ୍ୱ ଛୁଇଁଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏଲପିଜି ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଧାରୁ ଅଧିକ ଘରେ ବିଦ୍ୟୁତ ସଂଯୋଗ ହୋଇଛି। ରାଜ୍ୟରେ ଲିଙ୍ଗରାଜ ମନ୍ଦିର, ପୁରୀ ଶ୍ରୀମନ୍ଦିର, କୋଣାର୍କ ଭଳି ଭବ୍ୟ ସଂସ୍କୃତିର କେନ୍ଦ୍ର ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ଜିନିଷଗୁଡ଼ିକ କେବଳ ସାଂସ୍କୃତିକ ପ୍ରତିଛବି ନୁହେଁ ଏହା ପଛରେ ସମ୍ପନ୍ନତା ଓ ବଡ ଅର୍ଥନୀତି ପ୍ରତିଫଳିତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ପାଇକ ମହାସଂଘ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାଇକ ସଂଗଠନଗୁଡ଼ିକ ପକ୍ଷରୁ ସମରକଳା ପ୍ରଦର୍ଶନ କରାଯିବା ପରେ ଓଡ଼ିଶୀ ନୃତ୍ୟ ଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପରେ ଧାରାଶ୍ରୀ ଧାରା ପକ୍ଷରୁ ବଳଦେବ ମହାରଥାଙ୍କ ନେତୃତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଭାଜପା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଶିଷ୍ଟ ଶିକ୍ଷାବିତ୍‌ ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ରଫେସର ସୂର୍ଯ୍ୟ ମିଶ୍ର, ବରିଷ୍ଠ ଖବରଦାତା ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.