କୃଷି ଓଡ଼ିଶା ପାଇଁ ମାସ୍କଟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର : କୃଷି ଓଡ଼ିଶା ପାଇଁ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋଗୋ ଉନ୍ମୋଚନ କରିଛନ୍ତି । ସେହିଭଳି ଚଳିତ ବର୍ଷର କୃଷି ଓଡ଼ିଶାର ପ୍ରତୀକ ଭାବେ କନ୍ଦମୂଳ ମାସ୍କଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା କନ୍ଦମୂଳ ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ହୋଇଥିବାରୁ ଏହାକୁ କୃଷି ଓଡ଼ିଶାର ପ୍ରତୀକ ଭାବେ ଚୟନ କରାଯାଇଛି । ସମଗ୍ର ଭାରତରେ କନ୍ଦମୂଳ ଫସଲରେ ଆୟତନ ଓ ଉତ୍ପାଦନରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । ରାଜ୍ୟରେ ସମୁଦାୟ ୪୦ ହଜାର ୪୦୯ ହେକ୍ଟର ଜମିରେ ଏହା ଚାଷ କରାଯାଏ । ଏଥିରୁ ୩.୮୨ ଲକ୍ଷ ମେଟ୍ରିକ ଟନ୍ କନ୍ଦମୂଳ ଉତ୍ପାଦିତ ହୋଇଥାଏ । ଏହାର ଉତ୍ପାଦକତା ବୃଦ୍ଧି ପାଇଁ ଗେନସ୍ ନାମକ ଏକ ପ୍ରକଳ୍ପ ୨୦୧୬- ୧୭ରୁ ରାଜ୍ୟରେ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ଆନୁକୂଲ୍ୟରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଯାହାଦ୍ୱାରା ପ୍ରାୟ ୬ ହଜାର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇପାରିଛି । ଜାନୁଆରୀ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି କୃଷି ଓଡ଼ିଶା ସମ୍ମିଳନୀ ଆୟୋଜିତ ହେବ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ଶିଳ୍ପ ମହାସଂଘ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଆସନ୍ତା ୧୫ ତାରିଖ ଦିନ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ କୃଷି ଆନୁଷଙ୍ଗିକ କ୍ଷେତ୍ରର ଉଦ୍ୟୋଗୀମାନେ ଯୋଗଦାନ କରିବେ । ଏଥିନିମନ୍ତେ ୧୮୦ଟି ପ୍ରଦର୍ଶନୀ ମଣ୍ଡପ ନିର୍ମାଣ କରାଯାଇଛି । ଏହି ୫ ଦିନିଆ ସମ୍ମିଳନୀରେ ରାଜ୍ୟର ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ । କୃଷି ଉଦ୍ୟୋଗୀକରଣ, ଜୈବିକ କୃଷି, ସାମୁଦ୍ରିକ ଓ ମଧୁର ଜଳ ମାଛର ପ୍ରକ୍ରିୟା କରଣ, ଶୀତଳିକରଣ, ଗୋଦାମ ଗୃହ, କୃଷି ଯାନ୍ତ୍ରିକୀକରଣ, କୃଷିକ୍ଷେତ୍ରରେ ଦକ୍ଷତା ବୃଦ୍ଧି, ମସଲା ଓ ସୁଗନ୍ଧ ଜାତୀୟ ଦ୍ରବ୍ୟର ବଜାର ସଂଯୋଗୀକରଣ ଏବଂ କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ଆଲୋଚନା କରାଯିବ । ଏହି ଆଲୋଚନା ଚକ୍ରରେ ବହୁ ଅଭିଜ୍ଞ ବିଶେଷଜ୍ଞମାନେ ଯୋଗଦେଇ ଆଧୁନିକ ଜ୍ଞାନ କୌଶଳ ବିଷୟରେ ଆଲୋଚନା କରିବେ । ଏଥିସହିତ କୃଷକ ବୈଜ୍ଞାନିକମାନଙ୍କ ମଧ୍ୟରେ ୭ଟି ବିଷୟରେ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ତଥା ରାଜ୍ୟ ବାହାରର କିଛି ଚାଷୀମାନେ ସେମାନଙ୍କର ଉପଲବ୍ଧ ଜ୍ଞାନ କୌଶଳ ଅନ୍ୟ ଚାଷୀମାନଙ୍କୁ ଜଣାଇବେ । ପ୍ରତ୍ୟେକ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆଲୋଚନା ଚକ୍ର ଓ କର୍ମଶାଳା ଆୟୋଜନ କରାଯିବ । ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ମଣ୍ଡପ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଏହି ସମ୍ମିଳନୀରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉକ୍ରର୍ଷ ଲାଭ କରିଥିବା ୧୨୦ ଜଣ କୃତୀ ଚାଷୀଙ୍କୁ ସମ୍ମାନିତ କରାଯିବ । ପ୍ରତ୍ୟେକ ଜିଲ୍ଲାରୁ ଚାଷୀମାନେ ଶିକ୍ଷା ମୂଳକ ପରିଭ୍ରମଣ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରତ୍ୟେକ ଦିନ ସଭାକାର୍ଯ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଜାନୁଆରୀ ଉଦଯାପନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମର ପ୍ରଚାର ପାଇଁ ରାଜ୍ୟରେ ରୋଡ଼ ଶୋ’ ର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.