‘ଫନି’ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଦ୍ୱାରା କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୩୩୩୮.୨୨ କୋଟି ଟଙ୍କା ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, କେନ୍ଦ୍ରର ସହାୟତାରେ ମିଳିଥିବା ଟଙ୍କାକୁ ବିପର୍ଯ୍ୟସ୍ତ ଭିତ୍ତିଭୂମି ଓ ପ୍ରଭାବିତ ହୋଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ବିନିଯୋଗ କରାଯିବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ଯ୍ୟୟ ପାଣ୍ଠି (ଏନ୍‌ଡିଆର୍‌ଏଫ୍‌)ରୁ ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ ୩୩୩୮.୨୨ କୋଟିର ସହାୟତା ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି। ଓଡ଼ିଶା ସମେତ ୩ଟି ରାଜ୍ୟ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି। ତେବେ ସାମୁଦ୍ରିକ ବାତ୍ୟା ଫନିର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ୫୨୨୭.୬୮ କୋଟିର ସହାୟତା ଲାଗି ଦାବି କରାଯାଇଥିଲା। ଏହାକୁ ବିଚାରକୁ ନେଇ ଆଜି ୩୩୩୮.୨୨ କୋଟିର ସହାୟତା ରାଶି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଭୟଙ୍କର ବାତ୍ୟା ଫନି ଯୋଗୁଁ ଓଡ଼ିଶାର ୧୪ଟି ଜିଲ୍ଲାରେ ୨୪,୧୭୬ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୯,୩୧୫ କୋଟି ଟଙ୍କା ଦରକାର ଥିବା ଅନୁମାନ କରାଯାଇଥିଲା। କେବଳ ଭିତ୍ତିଭୂମି ସଜାଡ଼ିବାରେ ଏହି ଅର୍ଥର ୪୨ ପ୍ରତିଶତ ଖର୍ଚ୍ଚ ହେବ। ସେହିପରି ଗୃହ ନିର୍ମାଣ ସମେତ ଅନ୍ୟ ସାମାଜିକ କ୍ଷେତ୍ରରେ ୩୬ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ୧୦୦ରୁ ଅଧିକ ବିଶେଷଜ୍ଞ ଦଳ ଏହି ଆକଳନ କରିଥିଲେ।

Leave A Reply

Your email address will not be published.