ଭୁବନେଶ୍ୱର: ଦେଶରେ ପେଟ୍ରୋଲ, ଡିଜେଲ ଦରରେ ଏବେ ନିଆଁ ଲାଗିଛି ଏବଂ ସେହି ନିଆଁରେ ସାଧାରଣ ଲୋକ ଜଳୁଛନ୍ତି । ଅଥଚ ରୋମ ଶାସକ ନିରୋଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଂଶୀବାଦନ କରୁଛନ୍ତି । ରାଜ୍ୟର ବିଜେଡି ସରକାର ମଧ୍ୟ ସ୍ଥାଣୁ ପାଲଟିଛନ୍ତି । ସେହି ନିଆଁ ଦୁଇ ଦଳର ଏକଚାଟିଆ ନୀତିକୁ ଜାଳିପୋଡ଼ି ଛାରଖାର କରିଦେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏକ ବିବୃତିରେ ସେ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ତାହାକୁ ଜିଏସ୍ଟି ପରିସରଭୁକ୍ତ କରୁନାହାନ୍ତି । ଏଥିରୁ ଯେଉଁ ବର୍ଦ୍ଧିତ ଲାଭ ମିଳୁଛି ତାହାକୁ କେନ୍ଦ୍ରର ବିଜେପି ସରକାର ଆଗାମୀ ନିର୍ବାଚନରେ ବ୍ୟବହାର କରି ଭୋଟ କିଣିବାକୁ ଯୋଜନା କରିଛନ୍ତି ।
ପେଟ୍ରୋଲ, ଡିଜେଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିଜନିତ ବୋଝ ସେମାନଙ୍କୁ ଢେର ବାଧିଲାଣି । ସେମାନେ ଏହାର ଜବାବ ଦେବେ । ସେ କହିଛନ୍ତି ଯେ, ସେପ୍ଟେମ୍ବର ୪ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୮ଟଙ୍କା ୧୮ ପଇସା ରହିଥିଲା । ସେଥିରେ ପୂର୍ବଦିନ ତୁଳନାରେ ୨୮ ପଇସା ବୃଦ୍ଧି ଘଟିଛି । ସେହିଭଳି ଡିଜେଲ ଲିଟର ୭୬ ଟଙ୍କା ୬୦ ପଇସା ଥିଲା । ଡିଜେଲ ମୂଲ୍ୟ ପୂର୍ବଦିନ ଅପେକ୍ଷା ୩୨ ପଇସା ବୃଦ୍ଧିପାଇଛି । ୨୦୧୩ ଅକ୍ଟୋବର ୧ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ମୂଲ୍ୟ ୭୧.୬୪ ଓ ଡିଜେଲ ଲିଟର ପିଛା ମୂଲ୍ୟ ୫୪ ଟଙ୍କା ୬୦ ପଇସା ଥିଲା । ସେତେବେଳେ ଆନ୍ତର୍ଜାତିକ ବଜାରରେ ଅସ୍ଥିର ପରିସ୍ଥିତି ସତ୍ତେ୍ୱ ତକ୍ରାଳୀନ ୟୁପିଏ ସରକାର ତୈଳଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିଥିଲେ । ସେ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଉପରେ ସରକାର ନାନା ଟିକସ ଲଗାଇ ଦେଶବାସୀଙ୍କ ନିକଟରୁ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ଠକିନେଇ ସାରିଲେଣି । ଦୁଇଦଳର ଏଭଳି ଜନମାରଣ ନୀତି ଆଉ କେତେଦିନ ଚାଲିବ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।
