୨୦୩୦ ପୂର୍ବରୁ ମ୍ୟାଲେରିଆ ଶୂନ୍ୟ ଓଡ଼ିଶା
ଭୁବନେଶ୍ୱର : ଓଡ଼ିଶାରେ ରେକର୍ଡ ପରିମାଣରେ ମ୍ୟାଲେରିଆ ହ୍ରାସ ପାଇଛି । ଏହି ରେକର୍ଡ ପରିମାଣ ହ୍ରାସ ପଛରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ ଓ ୪୭ ହଜାର ଆଶା କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି । କେବଳ ରାଜ୍ୟ ସରକାରଙ୍କ ଉଦ୍ୟମ ନୁହେଁ ଡବ୍ଲୁଏଚ୍ଓ, ମ୍ୟାଲେରିଆ ନୋ ମୋର୍ ଓ ଆବୋଟ୍ ପରି ସଂସ୍ଥାଗୁଡ଼ିକର ସହଯୋଗ ରହିଛି । ଓଡ଼ିଶାରେ ଯେଉଁମାତ୍ରାରେ ମ୍ୟାଲେରିଆ ହ୍ରାସ ହେବାରେ ଲାଗିଛି । ତାହ ଆସନ୍ତା ୨୦୩୦ ପୂର୍ବରୁ ଭାରତରେ ଓଡ଼ିଶା ମ୍ୟାଲେରିଆ ଶୂନ୍ୟ ରାଜ୍ୟର ମାନ୍ୟତା ପାଇବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଶା ବ୍ୟକ୍ତ କରିଥିଲେ । ‘ମ୍ୟାଲେରିଆ ନୋ ମୋର୍’ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆବୋଟ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ଏହି ସୂଚନା ଦେଇଛନ୍ତି । ‘ମ୍ୟାଲେରିଆ ନୋ ମୋର୍’ ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଆବୋଟ୍ ପକ୍ଷରୁ ରାଜ୍ୟକୁ ୧ ନିୟୁତ ରାପିଡ୍ ଚିହ୍ନଟ ପରୀକ୍ଷଣ(ଆର୍ଡିଟିଏସ୍) ଏବଂ ଆବଶ୍ୟକ ଜ୍ଞାନକୌଶଳ ବିଶେଷଜ୍ଞ ଯୋଗାଇ ଦିଆଯିବ । ଏହାଦ୍ୱାରା ସର୍ଭେଲାନ୍ସ ଏବଂ ଚିହ୍ନଟ ପ୍ରକିୟା ବେଶ୍ ସଶକ୍ତ ହୋଇପାରିବ । ଏହା ସହିତ ଆବୋଟ୍ ପକ୍ଷରୁ ଅତିରିକ୍ତଭାବେ ୩ ବର୍ଷ ପାଇଁ ୫୨ ନିୟୁତ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ । ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଯୋଜନାବଦ୍ଧଭାବେ କାର୍ଯ୍ୟଧାରା ପ୍ରସ୍ତୁତ କରାଯାଇ ଓଡ଼ିଶାକୁ ଏକ ମଡେଲ୍ ଭାବେ ଗ୍ରହଣ କରାଯିବାର ଯୋଜନା ରହିଛି । ମ୍ୟାଲେରିଆକୁ ଅତି ସହଜରେ ଓ ଅତ୍ୟାଧୁନିକ ପ୍ରଣାଳୀରେ ଚିହ୍ନଟ ପାଇଁ ରାପିଡ୍ ଚିହ୍ନଟ ପରୀକ୍ଷଣ କିଟ୍ ସାହାଯ୍ୟରେ ୨୦ ମିନିଟ୍ ଭିତରେ ମ୍ୟାଲେରିଆ ଅଛି କି ନାହିଁ ଜଣାପଡ଼ିବ । ଏହି କିଟ୍ ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ରାଜ୍ୟରେ ମେଲେରିଆ ମୁକାବିଲା ଲାଗି ରାଜ୍ୟ ସରକାର ଗତ ଅଗଷ୍ଟମାସରେ ଏହି ଦୁଇଟି ସଂସ୍ଥା ସହିତ ଏମ୍ଓୟୁ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଓଡ଼ିଶାରେ ୨୦୧୭ ମସିହା ଜାନୁଆରୀଠାରୁ ସେପ୍ଟେମ୍ବର ମଧ୍ୟରେ ୩.୨୩ ଲକ୍ଷ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଥିଲା । ରାଜ୍ୟ ସରକାର ମ୍ୟାଲେରିଆର ନିୟନ୍ତ୍ରଣ ଲାଗି ନିଜସ୍ୱ ‘ଦମନ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେଥିଲାଗି ୨୦୧୮ ମସିହା ସେପ୍ଟେମ୍ବର ସୁଦ୍ଧା ଏହି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମି ୫୫ହଜାର ୩୬୮କୁ ଖସି ଆସିଥିଲା । ଓଡ଼ିଶାର ଗୋଟିଏ ବର୍ଷ ଭିତରେ ୮୪ ପ୍ରତିଶତ କମିଛି । ଏହି ରେକର୍ଡ ପରିମାଣ ହ୍ରାସ ପାଇଁ ଓଡ଼ିଶା ସରକାରଙ୍କୁ ଡବ୍ଲୁଏଚ୍ଓ ଓ ଅନ୍ୟ କେତେକ ବିଶ୍ୱସ୍ତରୀୟ ସଂଗଠନ ଉଚ୍ଚ ପ୍ରଶଂସା କରିଛି ବୋଲି ଶ୍ରୀ ଜେନା କହିଛନ୍ତି । ଓଡ଼ିଶାରେ ଗତ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ କ୍ଷେତ୍ରରେ ଦ୍ରୁତ ହ୍ରାସ ସମ୍ଭବ ହୋଇ ପାରିଛି । ରାଜ୍ୟରେ ୪୭,୦୦୦ ସ୍ୱୀକୃତି ପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ( ଆଶା)ଙ୍କ ଦ୍ୱାରା ଏହି ସଫଳତା ହାସଲ କରିବାକୁ ସକ୍ଷମ ହୋଇ ପାରିଛି । ସେମାନେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ତଥା ଲୋକଙ୍କ ପାଖରେ ପହଞ୍ôଚ ରାପିଡ୍ ଚିହ୍ନଟ ପରୀକ୍ଷଣ ଦ୍ୱାରା ମ୍ୟାଲେରିଆ ଆକ୍ରାନ୍ତଙ୍କ ଜୀବନ ରକ୍ଷା କରିବାକୁ ସକ୍ଷମ ହୋଇପାରିଛନ୍ତି । ଓଡ଼ିଶା ମ୍ୟାଲେରିଆର ନିୟନ୍ତ୍ରଣ କ୍ଷେତ୍ରରେ ବିଶ୍ୱରେ ପରିଚୟ ପାଇଛି । ଏତେ କମ୍ ସମୟରେ ରେକର୍ଡ ପରିମାଣରେ ହ୍ରାସ ପାଇଁ ବିଶ୍ୱସ୍ତରରେ ପ୍ରଶଂସା ଲାଭ କରିଛି । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ‘ଦମନ’ କାର୍ଯ୍ୟକ୍ରମର ନୀତି ଓ କାର୍ଯ୍ୟ ଶୈଳୀରୁ ଅନ୍ୟ ଦେଶରେ ପ୍ରୟୋଗ ପାଇଁ ଯୋଜନା ଚାଲିଛି । ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ହେଲେ ରୋଗୀ ତୁରନ୍ତ ଆରୋଗ୍ୟ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଲାଗି ରାପିଡ୍ ଟେଣ୍ଟିଂ ରାପିଡ୍ ଡାଇଗ୍ନୋଷ୍ଟିକ୍ ବ୍ୟବସ୍ଥା କରାଯାଇଛି । ନୋ ମୋର୍ ସଂସ୍ଥା ପକ୍ଷରୁ ଏହି ସହଯୋଗ କରାଯାଇଛି ବୋଲି ନୋ ମୋର୍ ସଂସ୍ଥାର ସିନିୟର ଆଡ୍ଭାଇଜର ପ୍ରତୀକ୍ କୁମାର କହିଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ହର ପ୍ରସଦା ପଟ୍ଟନାୟକ, ଆବୋଟ୍ର ସଭାପତି ସଞ୍ଜୀବ ଜୋହର ପ୍ରମୁଖ ଉପସ୍ଥିତ ରହି ମ୍ୟାଲେରିଆ ନିୟନ୍ତ୍ରଣ ଉପରେ ନିଜ ନିଜର ମତ ରଖିଥିଲେ ।
