ଭୁବନେଶ୍ୱର : ରସଗୋଲାର ଉତ୍ପତିସ୍ଥଳ ବିବାଦକୁ ନେଇ ଦାଏର ଜନସ୍ୱାର୍ଥ ମାମଲାରେ ଉଭୟ ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ୮ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ ଓ ଚେନ୍ନାଇସ୍ଥିତ ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ଅଫିସ, ପଶ୍ଚିମବଙ୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦକୁ କୋର୍ଟଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ନୋଟିସ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଆ ପର୍ବ ଓ ପୂଣ୍ୟଉତ୍କଳ ପକ୍ଷରୁ ଆଗତ ଏ ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ଚ୍ୟାଲେଞ୍ଜ କରାଯାଇଛି। ରସଗୋଲା, ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ତେଣୁ ଓଡ଼ିଶାରେ ଏହାର ବ୍ୟବହାର ବହୁ ପୁରୁଣା। ହେଲେ ଏହା ସତ୍ତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ପଶ୍ଚିମବଙ୍ଗ ଚଞ୍ଚକତା ପୂର୍ବକ ଜିଆଇ ମାନ୍ୟତା ହାସଲ କରିଥିବା ଆବେଦନକାରୀ ଦର୍ଶାଇଛନ୍ତି।
