ଭୁବନେଶ୍ବର : ସବୁଦିନ ରେକର୍ଡ ଭାଙ୍ଗୁଛି ତେଲ ଦର । ଲୋକେ ତ୍ରାହି ତ୍ରାହି ଡାକିଲେଣି, ହେଲେ ଟିକସକୁ ହିସାବ ଛିଣ୍ତୁନି। ରାଜ୍ୟ ସରକାର ଭାଟ ଛାଡିବାକୁ ପ୍ରସ୍ତୁତ ନୁହନ୍ତି କି କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ଛାଡ କରୁନାହାନ୍ତି । ଉଭୟ ନିଜ ଜିଦରେ ଅଟଳ । ଭାଟ ଛାଡ କରିବାକୁ କେନ୍ଦ୍ରମନ୍ତ୍ରୀ ରାଜ୍ୟକୁ କହୁଥିବାବେଳେ କେନ୍ଦ୍ର ଉତ୍ପାଦ ଶୁଳ୍କ ୧୦ ଟଙ୍କା ଛାଡ କରିବାକୁ ଦାବି କରିଛି ରାଜ୍ୟସରକାର ।
କେବେ କମିବ ତେଲ ଦର । ତେଲ ଦର ବଢିବା ପାଇଁ କିଏ ଦାୟୀ । କିଏ କମାଇବ ତେଲ ଉପରୁ ଟିକସ, କେନ୍ଦ୍ର ନା ରାଜ୍ୟ । କେନ୍ଦ୍ର ଉତ୍ପାଦ ଶୁଳ୍କ କମାଇବ ନା ରାଜ୍ୟ କମାଇବ ଭାଟ । ଦେଶ ସାରା ଏମିତି ପ୍ରଶ୍ନ । କିନ୍ତୁ ତେଲ ଦର ଉପରେ ଲଗାମ କଷିବା ସମ୍ଭବ ହେଉନି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୭୬.୨୮ଟଙ୍କା , ଡିଜେଲ ୭୩.୪୬ଟଙ୍କା । ଆଜି ପୁଣି ୩୦ପଇସା ବଢିଯାଇଛି । ମୁମ୍ବାଇରେ ପେଟ୍ରୋଲ ସର୍ବାଧିକ ୮୫.୨୯ ଟଙ୍କା ଏବଂ ଡିଜେଲ ୭୨.୯୬ଟଙ୍କା । ଗତ ୧୦ ଦିନରେ ପେଟ୍ରୋଲ ଲିଟର ୨ଟଙ୍କା ୫୪ ପଇସା ଏବଂ ଡିଜେଲ ୨ଟଙ୍କା ୪୧ ପଇସା ବଢିଛି । ସାଧାରଣ ଲୋକ ତ୍ରାହି ତ୍ରାହି ଡାକିଲେଣି, ଏଣେ ଏହାର ପ୍ରଭାବ ଦରଦାମ ବୃଦ୍ଧି ଉପରେ ପଡିବା ଆଶଙ୍କା ବି ରହିଛି । ହେଲେ ଟିକସ ଛାଡ କରିବାକୁ କେନ୍ଦ୍ର ଓ ରାଜ୍ୟ ଉଭୟ ଅମଙ୍ଗ । ତୈଳଦର କମାଇବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଆଶ୍ବାସନା ଦେଇଛନ୍ତି । ରାଜ୍ୟ ସରକାର ଭାଟ ଛାଡ କରୁନଥିବା କହି ଦୋଷ ଲଦିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ଯୁକ୍ତି ବାଢି କହିଛନ୍ତି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ୧୦ଟଙ୍କା କମାଇ ଦେଲେ ଭାଟ ମଧ୍ୟ କମିଯିବ।
କେନ୍ଦ୍ର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷ ଦେଉଥିବା ବେଳେ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । କଂଗ୍ରେସ କହିଛି ଟିକସ ଛାଡକୁ ନେଇ ରାଜନୀତି ନହେଉ। କେନ୍ଦ୍ର ଏକ୍ସସାଇଜ ଡ୍ୟୁଟି ଛାଡ କରନ୍ତୁ ଏବଂ ରାଜ୍ୟସରକାର ଭାଟ ଛାଡ କରନ୍ତୁ । ନଚେତ ମୋଦିଙ୍କ ଗସ୍ତ ସମୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛିନ୍ତି କଂଗ୍ରେସ ନେତା । ଅନ୍ତର୍ଜାତୀୟ ବଜାରରେ ଦର ଅଶୋଧିତ ତେଲ ଦର ବଢୁଥିବାରୁ ପେଟ୍ରେଲ ଏବଂ ଡିଜେଲ ଦର ବଢୁଥିବା ଯୁକ୍ତି ରଖାଯାଉଛି ସତ ହେଲେ ସାଧାରଣ ଲୋକ ଅନାଇ ବସିଛନ୍ତି କେବେ ତ୍ରାହି ମିଳିବ ।
