ଟାଇମ୍‌ ପ୍ରଭାବଶାଳୀ ନେତାଙ୍କ ତାଲିକାରେ ମୋଦି

ନୂଆଦିଲ୍ଲୀ: ଟାଇମ୍‌ ମାଗାଜିନ୍‌ର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ୨୦୨୦ରେ ପୃଥିବୀର ଶହେ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପୁଣି ମୋଦିଙ୍କ ନାମ ରହିଛି।

ଚଳିତ ବର୍ଷ ଏହି ତାଲିକାରେ ପୃଥିବୀର ୨୪ରୁ ଅଧିକ ନେତାଙ୍କ ନାମ ରହିଛି। ତାଲିକାରେ ମୋଦିଙ୍କ ସହିତ ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା, ରବିନ୍ଦର ଗୁପ୍ତା, ମୂଳଭାରତୀୟ ସୁନ୍ଦର ପିଚାଇଙ୍କ ନାମ ମଧ୍ୟ ସ୍ଥାନ ପାଇଛି। ଦିଲ୍ଲୀର ଶାହିନ୍‌ବାଗ ପ୍ରଦର୍ଶନରେ ସାମିଲ୍‌ ହୋଇଥିବା ୮୨ ବର୍ଷ ବୟସ୍କା ବୃଦ୍ଧା ବିଲକିସ୍‌ ଦାଦୀଙ୍କ ନାମ ମଧ୍ୟ ତାଲିକାରେ ସ୍ଥାନ ପାଇଛି। ବିଲକିସ୍‌ ଦାଦୀ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରୁଥିଲେ। ପୃଥିବୀର ବୃହତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ବିପୁଳ ଜନମତ ନେଇ ମୋଦି କ୍ଷମତା ଦଖଲ କରିଥିଲେ। ରୋଜଗାରର ପ୍ରତିଶ୍ରୁତି ଦେଇ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିଥିଲେ ବି ବହୁ ବାଧାର ସମ୍ମୁଖୀନ ହୋଇଥିବା ଟାଇମ୍‌ ପକ୍ଷରୁ ଲେଖା ପ୍ରକାଶ ପାଇଛି। ଭାରତ ଏବେ କରୋନା ମହାମାରୀ ସହିତ ଯୋଜାନବଦ୍ଧଭାବେ ଲଢ଼େଇ ଜାରି ରଖିଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଏହି ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, କମଳା ହାରିସ୍‌, ଜୋ ବିଡେନ୍‌, ଏଞ୍ଜଲା ମର୍କେଲ, ନୈନ୍ସି ପୋଲୋସି ପ୍ରମୁଖ ରାଜନେତାଙ୍କ ନାମ ରହିଛି। ସୂଚନାଯୋଗ୍ୟ, ଟାଇମ୍‌ ମାଗାଜିନ୍‌ ପକ୍ଷରୁ ପ୍ରତିବର୍ଷ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ଶହେ ଜଣ ବ୍ୟକ୍ତିଙ୍କ ତାଲିକା ପ୍ରକାଶିତ ହୋଇଥାଏ।

Leave A Reply

Your email address will not be published.