ଆଜି ନୀଳାଦ୍ରି ବିଜେ: ଜଗା ଘରେ ଲାଗିବ କଳି,ବାଟ ଛାଡିବେନି ଲକ୍ଷ୍ମୀ ସାଆନ୍ତାଣୀ

ପୁରୀ : ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଶ୍ରୀଜିଉମାନଙ୍କର ନୀଳାଦ୍ରି ବିଜେ ନୀତି । ଆଡ଼ପ ମଣ୍ଡପ ଓ ରଥ ଉପରେ ଭକ୍ତମାନଙ୍କୁ ଦର୍ଶନ ଦେବା ପରେ ମହାପ୍ରଭୁ ରଥ ଉପରୁ ଓହ୍ଲାଇ ରତ୍ନସିଂହାସନକୁ ଫେରିବେ । ଗୁରୁବାର ଦିନ ଶ୍ରୀମନ୍ଦିରରେ ଉପଲବ୍ଧ ହେବ ଅବଢ଼ା, ଯାହା ନୀଳାଚଳ ଅବଢ଼ା ନାମରେ ଖ୍ୟାତ । ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି ଏହି ନିଳାଚଳ ଅବଢ଼ାକୁ । ଅନବସରରେ ମହାପ୍ରଭୁ ୧୪ଦିନ ଧରି ରହିଥିବାରୁ ତାଙ୍କ ନିକଟରେ ଅନ୍ନ ମହାପ୍ରସାଦ ଭୋଗ ଲାଗିନଥିଲା । ପରେ ନବଦିନ ଯାତ୍ରାରେ ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବାରୁ ଶ୍ରୀମନ୍ଦିରରେ ଅନ୍ନ ମହାପ୍ରସାଦ ରନ୍ଧନ ହେଉ ନଥିଲା । ଦୀର୍ଘ ୨୭ଦିନ ପରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭୋଗ କରାଯିବ ଅନ୍ନ ମହାପ୍ରସାଦ । ତେଣୁ ନୀଳାଚଳ ଅବଢ଼ାର ଯଥେଷ୍ଟ ଗୁରୁତ୍ୱ ରହିଛି ।  ସନ୍ଧ୍ୟାପରେ ମହାପ୍ରଭୁମାନଙ୍କୁ ରଥ ଉପରୁ ରତ୍ନ ସିଂହାସନକୁ ଗୋଟି ପହଣ୍ଡିରେ ବିଜେ କରିବେ ।

ବାଟ ଛାଡିବେନି ଲକ୍ଷ୍ମୀ ସାଆନ୍ତାଣୀ

ପ୍ରଥମେ ଶ୍ରୀସୁଦର୍ଶନ, ଦେବୀ ସୁଭଦ୍ରା ଓ ପ୍ରଭୁ ବଳଭଦ୍ର ପହଣ୍ଡି ବିଜେ ହୋଇ ରତ୍ନ ସିଂହାସନାରୂଢ ହେବା ପରେ ମହାଲକ୍ଷ୍ମୀ ବିଜେ ହୋଇ ଚାହାଣି ମଣ୍ଡପକୁ ଆସିବେ ଓ ମହାପ୍ରଭୁ ଜଗନ୍ନାଥଙ୍କୁ ରଥ ଉପରେ ଦେଖିବା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ସିଂହଦ୍ୱାର ବନ୍ଦ କରିଦିଆଯିବ । ରଥ ଉପରୁ ପହଣ୍ଡି ବିଜେ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ମଧ୍ୟରେ ବଚନିକା ହେବ । ପରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ନେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ଶ୍ରୀବିଗ୍ରହମାନେ ରତ୍ନସିଂହାସନରେ ଆରୂଢ଼ ହେବା ପରେ ରତ୍ନ ସିଂହାସନରୁ ଚାରମାଳ ଖୋଲାଯିବ ଏବଂ ସମୟକୁ ଚାହିଁ ଅନ୍ୟାନ୍ୟ ନୀତି ସମ୍ପାଦିତ ହେବ । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପହଣ୍ଡି ଭଳି ନୀଳାଦ୍ରି ବିଜେ ପହଣ୍ଡି ଦେଖିବା ପାଇଁ ବହୁ ଭକ୍ତ ସମବେତ ହୋଇଥାନ୍ତି । ବିଧି ଅନୁଯାୟୀ ଶ୍ରୀମନ୍ଦିରର କନକମୁଣ୍ଡିରେ ବନ୍ଧା ହେବ ନୂଆ ଚାନ୍ଦୁଆ ଏବଂ ନୀଳଚକ୍ରରେ ବନ୍ଧା ହେବ ୧୨ହାତ ଲମ୍ବର ନୂଆ ବାନା ।

ସରିଲା ଅଧରପଣା ନୀତି

ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ତିନିରଥ ଉପରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି । ଏହି ନୀତି ଦେଖିବା ପାଇଁ ରଥ ତଳେ ଓ ସମ୍ମୁଖ ଭାଗରେ ବହୁସଂଖ୍ୟକ ଭକ୍ତ ସମବେତ ହୋଇଥିଲେ । ଅଧରନୀତି ଅବସରରେ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ ଅଧରପଣା । ଏହାପରେ ଅଧରପଣା ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଇଥାଏ । ସେହି କ୍ରମରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଆଜି ୯ ହାଣ୍ଡି ଅଧରପଣା ଭୋଗ କରାଯାଇଛି । ତୁମ୍ବ ଆକୃତିର ମୃତ୍ତିକା ପାତ୍ର ମାନଙ୍କରେ ଶ୍ରୀଜିଉମାନଙ୍କୁ ଅଧରପଣା ଭୋଗ କରାଯାଇଥିଲା । ରଥ ଉପରେ ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ବେଶ , ଗୋପାଳବଲ୍ଲଭ, ସକାଳଧୂପ, ମଇଲମ, ମହାସ୍ନାନ, ସର୍ବାଙ୍ଗ ଓ ମଧ୍ୟାହ୍ନଧୂପ ପରେ ଅଧରପଣା ନୀତି ଆରମ୍ଭ ହୋଇଥିଲା । ପାଳିଆ ମହାସୁଆର ସେବାୟତ ଛେନା, ସର, ଛାଚି, କଦଳୀ, କର୍ପୂର, ଜାଇଫଳ ଓ ଗୋଲମରିଚ ଗୁଣ୍ଡ ଆଦି ସାମଗ୍ରୀ ଅଧରପଣା ତିଆରି ପାଇଁ ବୋହି ଆଣି ରଥ ଉପରେ ରଖିଥିଲେ । ଶ୍ରୀବିଗ୍ରହମାନଙ୍କ ଅଧର ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ତୁମ୍ବାକୃତି ମାଟିହାଣ୍ଡିମାନ ରଖାଯାଇଥିଲା । ରଥ ଉପରେ ମୁରୁଜ ପକାଇ ପୂଜାଠା କରିଥିଲେ ପତ୍ରିବଡୁ । ପୂଜାଠା ଉପରେ ତିନୋଟି ଲେଖାଏଁ ଅଧରପଣା ହାଣ୍ଡି ରଖାଯାଇଥିଲା । ପାଣିଆ ଆପଟ ସେବାୟତମାନେ ଛାଉଣୀ ମଠସମ୍ମୁଖସ୍ଥ କୂଅରୁ ପାଣି ବୋହିଆଣି ଅଧରପଣା ପ୍ରସ୍ତୁତ ପାଇଁ ପିତ୍ତଳ ହାଣ୍ଡିମାନଙ୍କରେ ରଖିଥିଲେ । ମହାସୁଆର, ଭିତରଚ୍ଛ ଓ ପୁଷ୍ପାଳକ ସେବକମାନେ ଉପସ୍ଥିତ ରହିଥିଲେ । ଅଧର ତୁମ୍ବ ସମ୍ମୁଖରେ ନୂତନ କରିଆ ଗାମୁଛାରେ ଟେରା ବନ୍ଧାଯାଇଥିଲା । ଅଧରପଣା ପ୍ରସ୍ତୁତ ହୋଇଥିବା ତୁମ୍ବାକୃତି ହାଣ୍ଡି ଉପରେ ଘୋଡ଼ାଯାଇଥିଲା ଖଣ୍ଡିଏ ଲେଖାଏଁ ଧଳା କରିଆ । ମହାସୁଆର ସେବକମାନେ ଅଧରହାଣ୍ଡିରେ ପଣା ରଖିଥିଲେ । ପତ୍ରିବଡୁ, ସୁଆରବଡୁ ଓ ଗରାବଡୁଙ୍କ ଦ୍ୱାରା ପୂଜାଠା କରାଯିବା ପରେ ପାଳିଆ ପୂଜାପଣ୍ଡା ଭୋଗ କରିଥିଲେ । ଏହାପରେ ବିଧିମୁତାବକ ଅଧରହାଣ୍ଡି ଭଙ୍ଗାଯାଇଥିଲା । ସୂଚନାଯୋଗ୍ୟ ଯେ, ରଥ ଚତୁଃପାଶ୍ୱର୍ରେ ଥିବା ଅଶରୀରୀ ମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧର ହାଣ୍ଡିକୁ ଭୋଗ ପରେ ଭାଙ୍ଗି ଦିଆଯାଇଥାଏ । ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ ଅଧରପଣା । ପ୍ରାୟ ୪୫୦ ବର୍ଷ ପୂର୍ବରୁ ଅଧରପଣା ନୀତି ପ୍ରଚଳିତ ହୋଇ ଆସିଥିବା ଲୋକାଚାର ରହିଛି ।

Leave A Reply

Your email address will not be published.