ଆଜି ବାହୁଡ଼ାଯାତ୍ରା : ବାହୁଡିବେ ମହାବାହୁ

ଭୁବନେଶ୍ୱର : ଆଜି ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହୁଡ଼ାଯାତ୍ରା । ନବଦିନ ଯାତ୍ରାସାରି ଭାଇ ଭଉଣୀଙ୍କ ସହ ରଥାରୂଢ଼ ହୋଇ ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିବର୍ଷ ରଥଯାତ୍ରା ତୁଳନାରେ ବାହୁଡ଼ାଯାତ୍ରାରେ ଅଧିକ ଭକ୍ତଙ୍କ ସମାଗମ ହୋଇଆସୁଥିଲେ ମଧ୍ୟ ଚଳିତବର୍ଷ ଲଘୁଚାପଜନିତ ଲଗାଣ ବର୍ଷା ପ୍ରତିବନ୍ଧକ ସୃଷ୍ଟି କରିଛି । ଆଜି ପ୍ରତ୍ୟୁଷରୁ ପ୍ରବଳ ବର୍ଷା ଲାଗିରହିଥିବାରୁ ବଡ଼ଦାଣ୍ଡରେ ଜନଗହଳି ନଥିଲା । ଶରଧାବାଲିରେ ବ୍ୟବସାୟୀ ଓ ଉଠାଦୋକାନୀମାନେ ହାତବାନ୍ଧି ବସିଥିଲେ । ପଲ୍ଲିଶ୍ରୀ ମେଳାରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି । ବାହୁଡ଼ାଯାତ୍ରାର ସରସତା ବର୍ଷା ଧୋଇ ନେଇଛି । ତେବେ ବାହୁଡ଼ାଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେବାୟତଙ୍କ ସହିତ ସମନ୍ୱୟ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନ ଚତୁର୍ଦ୍ଧାମୂର୍ତ୍ତିଙ୍କର ସମସ୍ତ ନୀତିକାନ୍ତି ସଂପାଦନ କରାଉଛି । ୧୨ଟାରେ ପହଣ୍ଡି ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ରେ ବେଶ ଶେଷ କରାଯିବ । ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ହେବ । ଅପରାହ୍ନ ୪ଟାରେ ରଥ ଟଣାଯିବ । ଆସନ୍ତାକାଲି ତିନିରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ôଚବ । ସୋମବାର ମହାପ୍ରଭୁଙ୍କ ସୁନାବେଶ ନୀତି ରଥ ଉପରେ କରାଯିବ । ଆସନ୍ତାକାଲି ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ôଚବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀନଅର ସମ୍ମୁଖକୁ ଆସିବେ । ଗଜପତି ମହାରାଜା କରାଇବେ ଲକ୍ଷ୍ମୀନାରାୟଣ ଭେଟ । ଏହାପରେ ରଥ ଟଣାଯାଇ ସିଂହଦ୍ୱାର ସମ୍ମୁଖରେ ଲାଗିବ । ବାହୁଡ଼ାଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି । ସହରର ସମସ୍ତ ପ୍ରବେଶ ପଥରେ କଡ଼ାଯାଞ୍ଚ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.