ଆଜିଠୁ ରଥନିର୍ମାଣ ସେବକଙ୍କ କୋଭିଡ ପରୀକ୍ଷା

ପୁରୀ : ଆଜିଠୁ ରଥନିର୍ମାଣ ସେବକଙ୍କ କୋଭିଡ୍ ପରୀକ୍ଷା। ରଥ ନିର୍ମାଣରେ ନିୟୋଜିତ ମହାରଣା, ଭୋଇ, ରୂପକାର, କମାର ସେବକଙ୍କ ଆଜି କରୋନା ପରୀକ୍ଷା କରାଯିବ । ସେହିପରି ଆଗକୁ ସ୍ନାନ ଯାତ୍ରା ଥିବାରୁ ଦଇତାପତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସ୍ନାନଯାତ୍ରା ପୂର୍ବରୁ ସେମାନଙ୍କୁ ସଂଗରୋଧରେ ରହିବାକୁ ପ୍ରସ୍ତାବ ଦିଆଯାଇଛି । ଜୁନ୍ ୫ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏନେଇ ଦଇତାପତିଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି। ଜୁନ୍ ୫ତାରିଖରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ। ସେଠାରେ ଠାକୁରଙ୍କୁ ୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରାଯିବା ସହ ଆକର୍ଷଣୀୟ ଗଜାନନ ବେଶ କରାଯିବ। ସ୍ନାନଯାତ୍ରା ଆଉ ଅଳ୍ପଦିନ ବାକିଥିବାରୁ ଦଇତାପତିଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି।  ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡ. ଉମାଶଙ୍କର ଦାଶ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ।

Leave A Reply

Your email address will not be published.