ଅଭିନନ୍ଦନ ଭାରତବାସୀ, ପୁଅ ପରେ ମୋ ଝିଅ ବି ଗିରଫ ହେବ: ରିୟାଙ୍କ ବାପା

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ଚାଲିଛନ୍ତି ଚକ୍ରବର୍ତ୍ତୀ ପରିବାର। ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସୁଥିବା ବେଳେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରିୟାଙ୍କ ପିତା।ପୁଅ ସୌଭିକ୍ ଗିରଫ ହେବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ନିଜର ଅସନ୍ତୋଷ ଜାହିର କରିଛନ୍ତି।

ପୁଅ ଗିରଫ ହେବା ପରେ ଇନ୍ଦ୍ରଜିତ୍ କହିଛନ୍ତି, “ଅଭିନନ୍ଦନ ଭାରତବାସୀ, ଆପଣମାନଙ୍କ ପାଇଁ ମୋ ପୁଅ ଗିରଫ ହୋଇଛି। ମୁଁ ନିଶ୍ଚିତ ଯେ, ପୁଅ ପରେ ମୋ ଝିଅ ମଧ୍ୟ ଗିରଫ ହେବ ଏବଂ ଆଗକୁ କିଏ ଗିରଫ ହେବ ମୁଁ ଜାଣେ ନାହିଁ? ଆପଣ ଏକ ମଧ୍ୟବିତ୍ତ ପରିବାରକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। କିନ୍ତୁ ଅବଶ୍ୟ, ନ୍ୟାୟ ପାଇଁ ସବୁକିଛି ଯଥାର୍ଥ ଅଟେ । ଜୟ ହିନ୍ଦ। ”

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ଯାଞ୍ଚର ଅଂଶବିଶେଷ ଭାବେ ଶୁକ୍ରବାର ସନ୍ଧ୍ୟାରେ ସୌଭିକ୍ ଏବଂ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି।

ଜାଣିବାକୁ ମିଳିଛି ଯେ , ଏହି ଡ୍ରଗ୍ସ ଲିଙ୍କରେ ଏନସିବି ରବିବାର ରିୟାଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି । ଏବଂ ପଚରାଉଚରା ପରେ ଅଭିନେତ୍ରୀଙ୍କୁ ଗିରଫ କରାଯିବ ବୋଲି କଳ୍ପନାଜଳ୍ପନା ଲାଗି ରହିଛି।

ଜୁନ ୧୪ ରେ ମୁମ୍ବାଇର ବାନ୍ଦ୍ରା ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଜୁଲାଇରେ, ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଏବଂ ତାଙ୍କ ପରିବାରକୁ ଆତ୍ମହତ୍ୟାରେ ଜଡିତ ଥିବା ଏବଂ ଟଙ୍କା ହଡପ କରିବା ଅଭିଯୋଗରେ ସ୍ୱର୍ଗତ ଅଭିନେତାଙ୍କ ପିତା କେ.କେ ସିଂ ପାଟନାରେ ଏଫଆଇଆର ଦାଖଲ କରିଥିଲେ। ଏହାସହ ଅଗଷ୍ଟରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ମାମଲା କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.