କଳାହାଣ୍ଡି/ଭୁନେଶ୍ବର : ଶିକ୍ଷା ସହାୟକ ଚୟନର ଶେଷ ଦିନରେ ବି କଳାହାଣ୍ଡିରେ ଜିଲ୍ଲା ବାହାରର ଆଶାୟୀଙ୍କୁ ବିରୋଧ । ଜିଲ୍ଲା ଭିତିରେ ଚୟନ ଦାବିରେ ବିକ୍ଷୋଭକାରୀ କଳାହାଣ୍ଡି ବନ୍ଦ ଡାକରା ଦେଇ ରାସ୍ତା ଅବରୋଧ କରିଥିଲେ । ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର ନେତା ପତିଆରା ବଢାଇବାକୁ ଏମାନଙ୍କୁ ସମର୍ଥନ ଦେବାରୁ ଆଞ୍ଚଳିକ ଭେଦଭାବର ଶିକାର ହୋଇଛନ୍ତି ଜିଲ୍ଲା ବାହାରର ଆଶାୟୀ । ପ୍ରତିବାଦରେ ଶତାଧିକ ଆଶାୟୀ ରାଜ୍ୟ ଓପେପା କାର୍ଯ୍ୟାଳୟ ଘେରିବା ସହ ନିର୍ଦେଶକଙ୍କୁ ଫେରାଦ ହୋଇଛନ୍ତି ।
ଶିକ୍ଷା ସହାୟକ ଚୟନରେ ଆଞ୍ଚଳିକ ଭେଦଭାବ । କଳାହାଣ୍ଡିରେ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ଦୃଢ ବିରୋଧ । ଜିଲ୍ଲାର ପ୍ରର୍ଥୀଙ୍କୁ ଅଗ୍ରାଧିକାର ଦାବିରେ ଆଶାୟୀ, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳର ଦବଂଗିରି । କଳାହାଣ୍ଡି ବନ୍ଦ ପାଳନ । ବିଭିନ୍ନ ସ୍ଥାନରେ ରାସ୍ତାରେ ଜଳିଛି ନିଆଁ । ତୃତୀୟ ତଥା ଅନ୍ତିମ ଦିନରେ ଜୋରଦାର ହୋଇଛି ଆନ୍ଦୋଳନ । ଫଳରେ ଜିଲ୍ଲା ବାହାରୁ ଆସିଥିବା ଶହ ଶହ ପ୍ରାର୍ଥୀ ନିରାଶ । କେଉଠି ପ୍ରାର୍ଥୀଙ୍କ ଆଖିରେ ଲୁହ ତ କେଉଁଠି ବିକ୍ଷୋଭକାରୀଙ୍କ ନାଲି ଆଖି ଡରରେ ଚୟନ ପ୍ରକ୍ରିୟାରୁ ଓହରି ଯାଇଛନ୍ତି ବାହାର ପ୍ରାର୍ଥୀ । ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ ସହ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ ବି ବାହାର ଜିଲ୍ଲାର ବହୁ ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ବଞ୍ଚିତ ହୋଇଛନ୍ତି
କଳାହାଣ୍ଡିର ରିଆକ୍ସନ ରାଜଧାନୀରେ ।କଳାହାଣ୍ଡିରେ ଆଞ୍ଚଳିକ ଭେଦଭାବର ଶିକାର ହୋଇଥିବା ଆଶାୟୀ ରାଜଧାନୀରେ ଓପେପା କାର୍ଯ୍ୟାଳୟ ଘେରିଥିଲେ । ୫ ଶହରୁ ଅଧିକ ଶିକ୍ଷା ସହାୟକ ଆଶାୟୀ ଆନ୍ଦୋଳନ କରିବା ସହ ଓପେପା ପ୍ରକଳ୍ପ ନିର୍ଦେଶକଙ୍କୁ ଫେରାଦ ହୋଇଛନ୍ତି । ଏହାକୁ ନେଇ ବେଶ୍ କିଛି ସମୟ ଧରି ଲାଗି ରହିଥିଲା ଉତ୍ତେଜନା । ସୁଯୋଗରୁ ବଞ୍ଚିତ ଆଶାୟୀଙ୍କୁ ସୁଯୋଗ ଦେବାକୁ ନୂଆ ତାରିଖ ଘୋଷଣା କରାଯିବ ବୋଲି ନିର୍ଦେଶକ କହିଛନ୍ତି ।
କଳାହାଣ୍ଡି ଜିଲ୍ଲାରେ ୧୬ ଶହ ୫ ପଦବୀ ପାଇଁ ଚାଲିଛି ନିଯୁକ୍ତି ପ୍ରକ୍ରିୟା । ନିୟମ ଅନୁଯାୟୀ ରାଜ୍ୟର ଯେକୌଣସି ଅଞ୍ଚଳରୁ ଆଶାୟୀ ଗୋଟିଏ ଜିଲ୍ଲା ପାଇଁ ଆବେଦନ କରିପାରିବେ । କିନ୍ତୁ ବାହାର ଜିଲ୍ଲାର ଆଶାୟୀଙ୍କୁ କଳାହାଣ୍ଡିରେ ବିରୋଧ କରାଯାଉଛି । .. ..
