କାଲି ସ୍ନାନଯାତ୍ରା : ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆସନ୍ତା କାଲି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ନୀତି ଓ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ମହାପ୍ରଭୁଙ୍କ ରତ୍ନ ସିଂହାସନରେ ଚାରମାଳ ବନ୍ଧା ସହ ସେନାପଟା ଲାଗି ନୀତି ଶେଷ ହୋଇଛି । ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସୁରକ୍ଷା ଓ ଭକ୍ତଙ୍କ ସୁରୁଖୁରୁ ଦର୍ଶନ ବ୍ୟବସ୍ଥା ପାଇଁ କେନ୍ଦ୍ରାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଇଛି ।  ସେପଟେ ଅଲାରନାଥ ପୀଠ ମଧ୍ୟ ଚଳଚଞ୍ଚଳ । ମହାପ୍ରଭୁଙ୍କ ୧୪ଦିନର ଅଣବସର ସମୟରେ ଏଠାରେ ଭକ୍ତଙ୍କ ପ୍ରବଳ ଭିଡ ସମ୍ଭାବନା ଦେଖି ସମସ୍ତ ବ୍ୟବସ୍ଥା କରାଯାଇଛି

ଆସନ୍ତା କାଲି ଶ୍ରୀଜିଉଙ୍କ ଆଦ୍ୟ ପର୍ବର ଦେବସ୍ନାନ ପୂର୍ଣ୍ଣିମା । ଯାହାକୁ ନେଇ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ। ପ୍ରବଳ ବର୍ଷା ସତ୍ତ୍ୱେ ସ୍ନାନଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋଠ ସୁଆଁସିଆ ସେବାୟତମାନେ ରତ୍ନସିଂହାସନରେ ଚାରମାଳ ବନ୍ଧା ନୀତି ଶେଷ କରିଥିବାବେଳେ ଦଇତାପତି ମାନେ ସେନାପଟା ଲାଗି ଶେଷ କରିଛନ୍ତି । ଆସନ୍ତାକାଲି ଭୋର ୫ ଟାରୁ ମହାପ୍ରଭୁଙ୍କ ପହଣ୍ତି, ମଧ୍ୟାହ୍ନ ୧୨ ଟାରେ ସ୍ନାନ ଓ ଅପରାହ୍ନ ୪ ଟାରେ ହାତୀବେଶ ଅନୁଷ୍ଠିତ ହେବ । ଭକ୍ତମାନେ ମହାପ୍ରଭୁଙ୍କ ହାତୀବେଶକୁ ସାହାଣମେଲା ସମୟରେ ଶ୍ରୀମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରିବେ । ତେବେ ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ପର୍ଶ ଉପରେ କଡ଼ା କଟକଣା ଲଗାଇଛି ପ୍ରଶାସନ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ଆଜି ସ୍ନାନଯାତ୍ରାର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା । ପ୍ରାୟ ୪୨ ପ୍ଲାଟୁନ୍ ଫୋର୍ସ ସହ ୩ ଜଣ କମାଣ୍ତାଣ୍ଟ, ୯ ଜଣ ଅତିରିକ୍ତ ଏସପି, ୧୫ ଜଣ ଡ଼ିଏସପି ସଂପୁର୍ଣ୍ଣ ସୁରକ୍ଷା ଓ ଟ୍ରାଫିକ ଦାୟିତ୍ୱରେ ରହିବେ । ଏହାସହ କ୍ୱିକ୍ ରିଆକ୍ସନ ଟିମ୍, ସନ୍ଧାନୀ କୁକୁର, ବମ୍ ଡ଼ିସ୍ପୋଜାଲ୍ ଟିମ୍ ମଧ୍ୟ ସହରର ଗୁରୁତ୍ୱପୁର୍ଣ୍ଣ ସ୍ଥାନ ମାନଙ୍କରେ ମୃତୟନ ରହିବେ।

ସେପଟେ ମହାପ୍ରଭୁଙ୍କ ଅଣସର ଦର୍ଶନ ପାଇଁ ଅଲାରନାଥ ପୀଠ ପ୍ରସ୍ତୁତ । ୧୪ ଦିନ ଧରି ଚାଲିବ ଅଣସର ଦର୍ଶନ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଅଲାରନାଥଙ୍କ କ୍ଷୀରି ପ୍ରସାଦ ଭୋଗ ଭକ୍ତଙ୍କୁ ପ୍ରଦାନ କରିବାର ପରମ୍ପରା ରହିଛି । ତେବେ ଅଣସର ସମୟରେ ଭକ୍ତଙ୍କୁ ମହାପ୍ରଭୁ ପଟ୍ଟି ଦିଅଁ ରୂପେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଦର୍ଶନ ଦେବେ । ଏଥିପାଇଁ ଚିତ୍ରକର ସାହି ଓ ବାସେଳୀ ସାହିରେ ଚାଲିଛି ପଟ୍ଟିଦିଅଁ ପ୍ରସ୍ତୁତି । ସ୍ନାନବେଦୀରୁ ଠାକୁରଙ୍କ ବାହୁଡ଼ା ପହଣ୍ଡି ପରେ ବିଳମ୍ବିତ ରାତିରେ ଚିତ୍ରକର ସାହିରୁ ଏହି ପଟିଦିଆଁକୁ ବିରାଟ ପଟୁଆରରେ ଅଣାଯାଇ ପୂଜାର୍ଚନା ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ରଖାଯିବ ।

Leave A Reply

Your email address will not be published.