ପୁରୀ : ଶ୍ରୀ ମନ୍ଦିର ଛାଡି ଶରଧା ବାଲିରେ ତିନି ରଥ । ଗୁଣ୍ଡିଚା ମନ୍ଦିର ଆଗରେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ବଜ ଓ ଭଉଣୀ ସୁଭଦ୍ରାଙ୍କ ଦେବ ଦଳନ ରଥ ପହଁଚିଥିବାବେଳେ ଗହଲ ଲଗାଇ ପଛରେ ଆସୁଥିବା କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଅଟକିଛି ବଳଗଣ୍ଡି ଛକରେ । ଆଜି ନିର୍ଦ୍ଧାରିତ ସମୟ ଆଗରୁ ହୋଇଥିଲା ନୀତିକାନ୍ତି । ପହଣ୍ଡି ଠାରୁ ଆରମ୍ଭ କରି ରଥ ଟଣା ସବୁ କାମ ହୋଇଥିଲା ନିର୍ଘଣ୍ଟ ପୂର୍ବରୁ । ୪ଟାରେ ରଥ ଟଣା ହେବାକୁ ଥିବାବେଳେ ଦିନ ୨ଟା ୩୦ରୁ ଗଡିଥିଲା ରଥା । ଆଗରେ ବାହାରିଥିଲେ ବଡ ଭାଇ ପଛେ ପଛେ ଭଉଣୀ ସୁଭତ୍ରା ଆଉ ସବା ପଛରେ ଜନ୍ମବେଦୀକୁ ଗଡିଥିଲା କାଳିଆ ଠାକୁରଙ୍କ ରଥ ।ସଂଧ୍ୟା ସୁଦ୍ଧା ଶରଧାବାଲିରେ ତାଳଧ୍ବଜ ଏବଂ ଦେବଦଳନ ରଥ ଲାଗିଥିବା ବେଳେ ବଳଗଣ୍ଡି ଛକରେ ଅଟକିଛି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । କାଲି ସକାଳେ ପୁଣି ରଥ ଟଣା ହେବ ।
ଭାବ, ଭକ୍ତି, ରଙ୍ଗ ଓ ରସରେ ଭରି ଯାଇଛି ସାରା ଶ୍ରୀକ୍ଷେତ୍ର । ଭକ୍ତଙ୍କ ପାଇଁ ଗଣଦେବତା ରତ୍ନସିଂହାସନ ଛାଡି ବଡଦାଣ୍ଡକୁ ଆସି ଭକ୍ତଙ୍କ ସହ ଏକାକାର ହୋଇ ଯାଇଛନ୍ତି । ବର୍ଷତମାମ ଅପେକ୍ଷା ଥିଲା- ରଥ, ପଥ, ଭକ୍ତଙ୍କର । ଆଷାଢ ଶୁକ୍ଳା ଦ୍ବିତୀୟା ତିଥିରେ ଭକ୍ତର ଭାବଭରା ଡାକ ଶୁଣି ଦାଣ୍ଡକୁ ଓହ୍ଲାଇ ଆସି ଦର୍ଶନ ଦେଇଛନ୍ତି ମହାପ୍ରଭୂ । ସ୍ନାନପୂର୍ଣ୍ଣିମାରେ ୧୦୮ଗରା ପାଣିରେ ସ୍ନାନ ପରେ ଶ୍ରୀଜୀଉମାନେ ଏମିତି ଜ୍ବରରେ ପଡିଥିଲେ ଯେ ସ୍ନାନବେଦୀରୁ ଯାଇ ସିଧା ପଶିଥିଲେ ଅଣସର ଗମ୍ଭୀରାରେ । ୧୫ଦିନର ଗୁପ୍ତସେବା ପରେ ସୁସ୍ଥ ହୋଇ ଗତକାଲି ନବଯୌବନ ଦର୍ଶନ ଦେଇଥିଲେ । ଘୋଷଯାତ୍ରାରେ ମହାବାହୁଙ୍କୁ ନିକଟରୁ ଦର୍ଶନ କରିହେବ ଜାଣି ଖୁସି ହୋଇଥିଲେ । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ ବି ଭାଇ ଭଉଣୀ ଅପେକ୍ଷା କରିଥିଲେ ।
ବଡିଭୋରରୁ ଶ୍ରୀମନ୍ଦିର ନୀତିକାନ୍ତି ବଢିଥିଲା । ସକାଳ ୫.୧୫ରୁ ମଙ୍ଗଳଆଳତୀ ହୋଇଥିଲା । ରଥଯାତ୍ରାର ମୁଖ୍ୟ କର୍ତ୍ତା ଦଇତାପତି ସେବାୟତମାନେ ଚଳଚଞ୍ଚଳ ହୋଇ ଉଠିଥିଲେ । ମହାପ୍ରଭୂଙ୍କ ନବଦିନାତ୍ମକ ଯାତ୍ରା ଯେମିତି ସୁରୁଖୁରୁରେ ହେବ ସେନେଇ ସେବାୟତ ଲାଗି ପଡିଥିଲେ । ଏପଟେ ବଡଦାଣ୍ଡରେ ଭକ୍ତଙ୍କ ଗହଳି ଆରମ୍ଭ ହୋଇ ଯାଇଥିଲା । ମହାପ୍ରଭୂଙ୍କୁ ବୋହିନେବାର ପରମ ସୌଭାଗ୍ୟ ଲାଭ କରିବା ପାଇଁ ବଡଦାଣ୍ଡରେ ଅପେକ୍ଷା କରିଥିଲେ ୩ରଥ । ଅକ୍ଷୟ ତୃତୀୟାରୁ ରୂପ ନେଉଥିଲେ ୩ରଥ । ହେଲେ ଅପେକ୍ଷା ଥିଲା ଆଜିର ଦିନକୁ ।
ସକାଳ ସାଢେ ୮ଟାରେ ରଥ ପ୍ରତିଷ୍ଠା ହୋଇଥିଲା । ଶ୍ରୀମନ୍ଦିର ଭିତର ରୀତିନୀତିରେ ସମ୍ପନ୍ନ ହେବା ପରେ ସକାଳ ୮ଟା ୪୫ରେ ଆରମ୍ଭ ହୋଇଥିଲା ଶ୍ରୀଜୀଉମାନଙ୍କ ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ସେବାୟତମାନେ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ଆଣି ମା ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିଥିଲେ। ପରେ ପରେ ମନ୍ଦିର ଭିତରେ ବଡ଼ଠାକୁର , କାମପାଳ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ଦୋଳାୟିତ ଟାହିଆର ଅପୂର୍ବ ଶୋଭାରେ ଦର୍ଶକମାନଙ୍କୁ ବିମୋହିତ କରି ବଡ଼ଠାକୁର ତାଳଧ୍ବଜ ରଥଆଡ଼କୁ ଅଗ୍ରସର ହୋଇଥିଲେ । ଏପଟେ ଘଣ୍ଟଘଣ୍ଟା, କାହାଳିର ଶବ୍ଦ ସହିତ ଭକ୍ତମାନଙ୍କ ଜୟ ଜଗନ୍ନାଥ, ଜୟ ବଡ଼ଠାକୁର ଧ୍ୱନିରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ। ଏହାପରେ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ସେବାୟତ ମାନେ ଦର୍ପଦଳନ ରଥରେ ସ୍ଥାପନା କରିଥିଲେ । ଶେଷରେ ସିଂହଦ୍ବାର ସେପଟୁ ଦେଖିବାକୁ ମିଳିଥିଲା କାଳିଆଠାକୁରଙ୍କ ଟାହିଆ । ଝୁଲି ଝୁଲି ଧୀରେ ଧୀରେ ଶ୍ରୀଜଗନ୍ନାଥ ଆସିଥିଲେ । ଭକ୍ତ ଯେମିତି ଶିହରିତ ହୋଇ ଉଠିଥିଲେ । କମ୍ପି ଉଠିଥିଲା ବଡଦାଣ୍ଡରେ । ନନ୍ଦିଘୋଷ ରଥରେ ବିଜେ କରିଥିଲେ ନଟନାଗର ଶ୍ରୀଜଗନ୍ନାଥ । ଦିନ ୧୧.୪୫ରେ ଶେଷ ହୋଇଥିଲା ପହଣ୍ଡି ।
ଶ୍ରୀଜୀଉମାନେ ରଥାରୁଢ଼ ହେବା ପରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ନିଜ ଭକ୍ତଙ୍କ ଗହଣରେ ଆସି ଶ୍ରୀଜଗନ୍ନାଥ, ଶ୍ରୀ ବଳଦେବ ଓ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ। ଶଙ୍କରାଚାର୍ଯ୍ୟ ଫେରିଯିବା ପରେ ରାଜନଅରକୁ ନିମନ୍ତ୍ରଣ ଯାଇଥିଲା । ସାମ୍ୟତାର ପ୍ରତୀକ ଶ୍ରୀଜଗନ୍ନାଥ ସଂସ୍କୃତି । ଜଗନ୍ନାଥଙ୍କୁ ସେବା କରିବାର ପରମ୍ପରାର ବାହକ ଭାବେ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିଥିଲେ। ଅପରାହ୍ନ ୧.୩୦ସମୟରେ ଆରମ୍ଭ ହୋଇଥିଲା ଛେରାପହଁରା । ପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ ରଥରେ ଶ୍ରୀଜୀଉଙ୍କୁ ଦର୍ଶନ, ଆଳତି, ଚାମର ସେବା କରିବା ପରେ ମହାରାଜ ତାଳଧ୍ୱଜ ରଥର ଛେରାପହଁରା କରିଥିଲେ। ତାଳଧ୍ୱଜ ରଥରେ ଛେରା ପହଁରା ସମୟରେ ଆରମ୍ଭ ହୋଇଥିଲା ବର୍ଷା। ମାତ୍ର ସବୁ ନୀତିକାନ୍ତି ଚାଲିଥିଲା ଯଥାରୀତି ।
ମହାପ୍ରଭୁ ଜନ୍ମବେଦୀକୁ ଯିବା ଲାଗି ଯେମିତି ଥିଲେ ବ୍ୟଗ୍ର। କାହିଁକି ନା ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବାର ଥିଲା, କିନ୍ତୁ ଏହାର ପ୍ରାୟ ଦେଢଘଣ୍ଟା ଆଗରୁ ଅପରାହ୍ନ ପ୍ରାୟ ୨.୩୪ରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଥିଲା । ଏହି ଅପୂର୍ବ ମୂହୂର୍ତ୍ତର ସାକ୍ଷୀ ହେବା ଲାଗି ଅପେକ୍ଷା ଥିଲା । ଭକ୍ତଙ୍କ ଆବେଗ ବଢି ଯାଇଥିଲା । ଆକାଶ ଆଖିରୁ ବି ଆନନ୍ଦାଶ୍ରୁ ଖସି ପଡିଥିଲା । ରଥ ଚକ ବି ଚଳଚଞ୍ଚଳ ହୋଇ ଉଠିଥିଲା । ଆଉ ବଡଦାଣ୍ଡ ଶିହରିତ ହୋଇ ଯାଇଥିଲା । କିଛି ସମୟ ଲାଗି ବର୍ଷା ହୋଇଥିଲେ ବି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉତ୍ସାହ କମ ହୋଇ ନଥିଲା । ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିବା ଆରମ୍ଭ କରିଥିଲା ତାଳଧ୍ୱଜ। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ଧୀରେଧୀରେ ଗଡ଼ିବାରେ ଲାଗିଥିଲା ତାଳଧ୍ୱଜ। ରଥର ଚାରିପାଖରେ ପୁଲିସର କର୍ଡନ ଥିଲା, ରଥକୁ ଶୃଂଖଳିତ ଭାବରେ ଟାଣି ନେଉଥିଲେ ପୋଲିସମାନେ । ଅପରାହ୍ଣ ୩ଟା ୧୯ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଆଉ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅପରାହ୍ଣ ୪ଟା ୧୦ରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଥିଲା । ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡିଥିଲା ।
ନଅ ଦିନ ଧରି ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବ ଗହଳି । ଭାବ ବିନୋଦିଆ ଠାକୁର ଭକ୍ତଙ୍କ ପାଖକୁ ଆସିଛନ୍ତି । ସମସ୍ତଙ୍କ ମନରେ ଅପାର ଆନନ୍ଦ । ୩ରଥ ଗଡ଼ି ଚାଲିଥିଲା ଗୁଣ୍ଡିଚା ମନ୍ଦିର ଅଭିମୁଖେ, ପଛରେ ରହିଯାଇଥିଲା ଶ୍ରୀମନ୍ଦିର ଆଉ ରତ୍ନସିଂହାସନ ।
