ମୁମ୍ବାଇ : ଫିଲ୍ମ ‘କଳଙ୍କ’ର ଶୁଟିଂରେ ବ୍ୟସ୍ତ ସୋନାକ୍ଷୀ ସିହ୍ନାଙ୍କ ପାଦ ଏବେ ତଳେ ଲାଗୁନାହିଁ । ଅଭିଷେକ ବର୍ମନ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ସୋନାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ । ଫିଲ୍ମଟି ସୋନାଙ୍କ ଅନ୍ୟ ଅଭିନୀତ ଫିଲ୍ମଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଚର୍ଚ୍ଚା ହେଉଛି । ସବୁଠୁ ବଡ଼ କଥା ଏଥିରେ ୧୯୭୭ ମସିହାର ଫିଲ୍ମ ‘ଇନ୍କାର୍’ର ଲୋକପ୍ରିୟ ଗୀତ ‘ମୁଙ୍ଗ୍ଡ଼ା’ର ରିକ୍ରିଏଟ୍ ଭର୍ସନ୍ରେ ଠୁମ୍କା ଲଗାଇବେ ସୋନାକ୍ଷୀ । ଏହି ଗୀତଟି ସେତେବେଳେ ହେଲେନ୍ ଏବଂ ଅମଜାଦ୍ ଖାନ୍ଙ୍କ ଉପରେ ଦୃଶ୍ୟାୟିତ ହୋଇଥିଲା । କିନ୍ତୁ ପୁଣିଥରେ ଦର୍ଶକଙ୍କ ପୁରୁଣା ସ୍ମୃତିକୁ ତାଜା କରିବାକୁ ଯାଇ ଯେଉଁ ଅଦ୍ଭୁତ ପରିବର୍ତ୍ତନ ଅଣାଯାଇଛି ଏ ଗୀତରେ ତାହା ପୂର୍ବାପେକ୍ଷା ଅଧିକ ପସନ୍ଦ ଆସିବ ବୋଲି ଆଶା କରିଛନ୍ତି ସିନେନିର୍ମାତା ।

ଏଣେ ହେଲେନ୍ଙ୍କ ଭଳି ଅଭିନେତ୍ରୀଙ୍କ ଉପରେ ଚିତ୍ରାୟିତ ହୋଇଥିବା ଗୀତରେ ଯେଉଁ ସୁଯୋଗ ମିଳିଛି, ତାହାର ପୂରା ଫାଇଦା ଉଠାଇବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି ସୋନା । ସୋନା କହିଛନ୍ତି, ସେ ଏହି ଗୀତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ଏହା ତାଙ୍କ ପାଇଁ ହେଲେନ୍ଙ୍କର ଦ୍ୱିତୀୟ ଗୀତ ହେବ । କାରଣ ଏହା ପୂର୍ବରୁ ‘ହ୍ୟାପି ଫିର୍ ଭାଗ୍ ଜାଏଗୀ’ରେ ମଧ୍ୟ ସୋନା ‘ଚିନ୍ ଚିନ୍ ଚୂ’ କରିସାରିଛନ୍ତି ।
