ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ମଙ୍ଗଳବାର ୧୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୫ଟି ଜିଲ୍ଲାର ଗ୍ରାମାଞ୍ଚଳରେ ପାଇଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଟେଣ୍ଡରକୁ ମିଳିଛି ମଞ୍ଜୁରୀ । ଭଦ୍ରକ ଜିଲ୍ଲାର ଲୁଣିପାଣି ଅଂଚଳକୁ ପାଇପ ପାଣି ଯୋଗାଣ ହେବ। ଏହା ଦ୍ୱାରା ଜିଲ୍ଲାର ୫ଟି ବ୍ଲକ ଉପକୃତ ହେବେ। ଏହି ପ୍ରକଳ୍ପରେ ମୋଟ ୭୫୪ କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦୁଝର ଜିଲ୍ଲାରେ ପାନୀୟ ଜଳ ପାଇଁ ୯୭୯ କୋଟି ଟେଣ୍ଡର ମଂଜୁରୀ ହୋଇଛି। ସେହିଭଳି ଅନୁଗୁଳ ଜିଲ୍ଲାର ଖଣି ଅଂଚଳରେ ପାନୀୟ ଜଳ ପାଇଁ ୭୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ। କେନ୍ଦୁଝର ଓ ଅନୁଗୁଳ ଜିଲ୍ଲା ପାଇଁ ଡିଏମ୍ଏଫ ପାଣ୍ଠିରୁ ଖର୍ଚ୍ଚ ହେବ। ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ପାନୀୟ ଜଳ ପାଇଁ ୩୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ୩ ହଜାର କୋଟିରୁ ଅଧିକ ଟଙ୍କାର ଟେଣ୍ଡରକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍ । ଏହାସହ ରାଜ୍ୟ ହସ୍ତତନ୍ତ ନୀତିକୁ ମଞ୍ଜୁରୀ ପ୍ରଦାନ କରିଛି କ୍ୟାବିନେଟ୍। ଡାଟା ଏଣ୍ଟ୍ରି ଅପରେଟରଙ୍କ ନିଯୁକ୍ତି ଓ ଚାକିରୀ ସର୍ତ୍ତାବଳୀରେ ସଂଶୋଧନ ମଧ୍ୟ ହୋଇଛି। ସେହିପରି ପଞ୍ଚାୟତ କାର୍ୟ୍ୟନିର୍ବାହୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ସଂଶୋଧନ ହୋଇଛି। ଅଙ୍ଗନୱାଡି କର୍ମୀଙ୍କ ଚାକିରୀ ଓ ପଦୋନ୍ନତି ପ୍ରକ୍ରିୟାରେ ମଧ୍ୟ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସିଆନ୍ ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ (ଏଏସବିଏମ)କୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
