ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ଏବଂ ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାର ଯୋଗାଇ ଦେବା ଦାବି ନେଇ
ଭୁବନେଶ୍ୱର : ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି । ଓଡିଶାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟସରକାର ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଅନ୍ୟପଟେ ଯୁବକମାନେ ଏଠି କାମ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ବିଶେଷ କରି ଯୁବପୀଢିଙ୍କୁ ନିୟୁକ୍ତି ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଥିବା ବେଳେ ଯୁବକ ମାନଙ୍କୁ ଧୋକ୍କା ଦେଇଛନ୍ତି ରାଜ୍ୟ ଶାସନ କ୍ଷମତାରେ ରହିଥିବା ମୁଖ୍ୟମନ୍ତ୍ରୀ ଓ ବିଜେଡି ସରକାର । ନବୀନ ସରକାର ରୋଜଗାରର ହତ୍ୟା କରିଛନ୍ତି । ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ଏବଂ ବେକାର ଯୁବକ ଯୁବତୀମାନଙ୍କୁ ରୋଜଗାର ଯୋଗାଇ ଦେବା ଦାବି ନେଇ ଯୁବମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୮ ତାରିଖରେ ରାଜ୍ୟର ସମସ୍ତ ଜିଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଶେଷ କରି ଆଜି ବଲାଙ୍ଗୀରେ ମୁଖ୍ୟମନ୍ତ୍ରୀ ସମାବେଶ କରୁଥିବା ବେଳେ ଏ ଜିଲ୍ଲାର ଯୁବକ ଯୁବତୀ କଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଏହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ । ସେହିପରି ରାଜେନ୍ଦ୍ର କଲେଜକୁ ତତକାଳୀନ ଶିକ୍ଷାମନ୍ତ୍ରୀ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଘୋଷଣା କରିଥିଲେ । ଆଜି ଯୁବମୋର୍ଚ୍ଚା ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ନେଇ ପ୍ରଶ୍ନ ପଚାରିବା ପରେ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟ ପାଇଁ ଭିତିଭୂମି, ଆବଶ୍ୟକୀୟ ଉପକରୀଣ, ଅଧ୍ୟାପକ ନିଯୁକ୍ତି ଏବଂ କେତେ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ସରିବ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି । ଏଥି ସହ ରାଜେନ୍ଦ୍ର କଲେଜରେ ୪୦ ପ୍ରତିଶତ ଅଧ୍ୟାପକ ପଦବୀ କେବେ ପୂରଣ ହେବ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିିଛନ୍ତି ।
ଦୀର୍ଘ ବର୍ଷ ଶାସନ ଗାଦିରେ ଶାସକ ବିଜେଡି ରହିବା ପରେ ବି ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିପାରିଲେ ନାହିଁ, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ପଡିଛି, ନିଯୁକ୍ତି ମେଳା ନାଁରେ ଯୁବକମାନଙ୍କୁ ପ୍ରତାରିତ କରି କୋଟି କୋଟି ଟଙ୍କା ହଡପ କରିଛନ୍ତି, ବିଭିନ୍ନ ଶିଳ୍ପମାନଙ୍କ ସହ ଏମଓୟୁ କରି ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେଇନାହାଁନ୍ତି ବୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି ।
‘ସେଲଫି ୱିଥ୍ ଓଡିଆ’ କାର୍ଯ୍ୟକ୍ରମ ଶୁଭାରମ୍ଭ କଲା ଯୁବମୋର୍ଚ୍ଚା
ଯୁବ କାର୍ଯ୍ୟକର୍ତାମାନେ ସାଢେ ୪ କୋଟି ଓଡିଆଙ୍କ ପାଖରେ ପହଂଚି ସେମାନଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବେ
ନବୀନ ସରକାର ରୋଜଗାରର ହତ୍ୟା କରିଛନ୍ତି
ଯୁବପୀଢିଙ୍କୁ ନିୟୁକ୍ତି ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ
ଯୁବକ ମାନଙ୍କୁ ଧୋକ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ
ଏଥିସହ ଆଜି ‘ସେଲଫି ୱିଥ୍ ଓଡିଆ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଓଡିଆ ଲୋକଙ୍କ ସହ ସେଲଫି ନେଇ ସେମାନଙ୍କ ସମସ୍ୟା ଶୁଣିବେ । ଯୁବ କାର୍ଯ୍ୟକର୍ତାମାନେ ସାଢେ ୪ କୋଟି ଓଡିଆଙ୍କ ପାଖରେ ପହଂଚି ସେମାନଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣିବେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀ ତ୍ରିପାଠୀ ଗଂଜାମ ଜିଲ୍ଲାର ଏକ ଭିକ୍ଷୁକ ସହ ସେଲଫି ଉଠାଇ ତାର ସମସ୍ୟା ଶୁଣିଥଲେ । ବିଏ ପାସ କରି ପୁଅ ବେକାର ହୋଇ ଘରେ ବସିଥିବା କଥା ଭିକ୍ଷୁକ ଜଣକ କହିବା ସହ ରାଜ୍ୟସରକାରଙ୍କ ଯୁବ ମାରଣ ନୀତିକୁ ବିରୋଧ କରିଥିଲେ । ଅନ୍ୟପଟେ ଶ୍ରୀ ତ୍ରିପାଠୀ ‘ସେଲଫି ୱିଥ୍ ସିଏମ’ କାର୍ଯ୍ୟକ୍ରମକୁ ସମାଲୋଚନା କରି କହିଛନ୍ତି କି, ରାଜ୍ୟରେ ବିଭିନ୍ନ ସମସ୍ୟାର ସମାଧାନ ନକରି ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ନଯାଇ ସାଧାରଣ ଲୋକଙ୍କୁ ଦଳୀୟ କାର୍ଯ୍ୟାଳୟକୁ ଡାକି ଡିଜିଟାଲ ମାଧ୍ୟମରେ ସେଲଫି ନେବାକୁ କହିବା ଅତ୍ୟନ୍ତ ନିନ୍ଦନୀୟ ।
ସମାଜର ସବୁଠାରୁ ବଡ ବର୍ଗ ଯୁବସମାଜଙ୍କୁ ନବୀନ ସରକାର ଧୋକ୍କା ଦେଇଚାଲିଛନ୍ତି । ଯେଉଁ ପର୍ଯ୍ୟନ୍ତ ରାଜ୍ୟସରକାର ଯୁବକମାନଙ୍କୁ ନିଯୁକ୍ତି ଯୋଗାଇନାହଁନ୍ତି ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ, ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ, ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ସଂପାଦିକା ଅର୍ପିତା ଅପରାଜିତା ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍ )
