ଏସିଆନ୍ ଗେମ୍ସ : ତାଜିନ୍ଦର ଭାରତକୁ ଆଣିଲେ ୭ମ ସ୍ୱଣ୍ଣ
ଜାକର୍ତ୍ତା,: ଏସିଆନ ଗେମ୍ସର ପୁରୁଷ ଶଟ୍ପୁଟ୍ରେ ଭାରତର ତାଜିନ୍ଦର ପାଲ ସିଂ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଶନିବାର ଅନୁଷ୍ଠିତ ୭ମ ଦିନ ଇଭେଣ୍ଟରେ ତାଜିନ୍ଦର ୨୦.୭୫ ମିଟରକୁ ଶଟ୍ପୁଟ୍ ଫିଙ୍ଗି ଏସିଆନ ଗେମ୍ସରେ ନୂଆ ରେକର୍ଡ କରିବା ସହ ଭାରତ ଲାଗି ୭ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ବ୍ୟତୀତ ଭାରତୀୟ ସ୍କ୍ୱାଶ ଖେଳାଳି ସେମିଫାଇନାଲରେ ପରାଜିତ ହେବା ଫଳରେ ୩ଟି ବ୍ରୋଞ୍ଜ ପଦକ ପାଇଛନ୍ତି । ଦୁଇ ମହିଳା ଖେଳାଳି ଦୀପିକା ପାଲିକଲ, ଜ୍ୟୋସ୍ନା ଚିନାପ୍ପା ଓ ପୁରୁଷ ବିଭାଗରେ ସୌରଭ ଘୋଷାଲ ଏହି ପଦକ ଜିତିବାରେ ସମର୍ଥ ହୋଇଛନ୍ତି । ସେହିପରି ବ୍ରିଜ୍ ସେମିଫାଇନାଲ ପ୍ରବେଶ ସହ ଭାରତକୁ ଆଉ ଦୁଇଟି ପଦକ ମିଳିବା ନିଶ୍ଚିତ ହୋଇଯାଇଛି । ୭ମ ଦିନ ସୁଦ୍ଧା ଭାରତ ୭ଟି ସ୍ୱର୍ଣ୍ଣ, ୫ ରୌପ୍ୟ ଏବଂ ୧୭ ବ୍ରୋଞ୍ଜ ସହ ୨୯ ପଦକ ହାସଲ କରିଛି । ଅନ୍ୟ ଇଭେଉୟ’ଗୁଡ଼ିକ ମଧ୍ୟରେ ମହିଳା ହକି ଦଳ ସାଉଥ କୋରିଆକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି । ଆଥଲେଟିକ୍ସରେ ଓଡ଼ିଆ ପ୍ରତିଯୋଗୀ ଦୂତି ଚାନ୍ଦ ମହିଳା ୧୦୦ ମିଟରକୁ ୧୧.୩୮ ସେକେଣ୍ଡରେ ଅତିକ୍ରମ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଅନ୍ୟ ଭାରତୀୟ ପ୍ରତିଯୋଗୀ ମହମ୍ମଦ ଆନସ ଓ ରାଜୀବ ଆରୋକିଆ ପୁରୁଷ ୪୦୦ ମିଟର, ହାଇଜମ୍ପରେ ଚେତନ୍ ସୁବ୍ରମଣ୍ୟମ ଏବଂ ଲଙ୍ଗଜମ୍ପରେ ଶ୍ରୀଶଙ୍କର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ହାମର ଥ୍ରୋ’ରେ ସରିତା ରୋମିତ ସିଂ ୫ମ ସ୍ଥାନ ହାସଲ କରିଛନ୍ତ ।
