ଭୁବନେଶ୍ବର : ଆଜି ଗୁରୁ ଦିବସ, ହେଲେ ସ୍କୁଲରେ ତାଲା ପକାଇ ଶିକ୍ଷକ ପାଳିଲେ କଳା ଦିବସ । ପୂର୍ଣ୍ଣ ଅନୁଦାନ ଦାବିରେ ରାଜ୍ୟର ହଜାର ହଜାର ଶିକ୍ଷକ ୨୧ ଦିନ ହେଲା ଭୁବନେଶ୍ବରରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକମାନେ କଳା ଦିବସ ପାଳିଲେ । ସେପଟେ ଶିକ୍ଷକଙ୍କ ପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୁରୁ ଦିବସରେ ଶିକ୍ଷକ ସମ୍ବର୍ଦ୍ଧନାକୁ ବନ୍ଦ କରି, ରାଜ୍ୟ ସରକାର ଗୁରୁମାନଙ୍କୁ ଅସମ୍ମାନ କରିଥିବା ସେମାନେ କହିଛନ୍ତି । ସରକାର କିନ୍ତୁ କହୁଛନ୍ତି, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ, ଶିକ୍ଷକମାନେ ପ୍ରଥମେ ଆନ୍ଦୋଳନରୁ ଓହରନ୍ତୁ ।
ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରେ ପାଳନ ହେଲାନି ଗୁରୁ ଦିବସ । ଶୁଭିଲାନି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମେହେଶ୍ବର ଶ୍ଲୋକ । ପୂର୍ଣ୍ଣ ଅନୁଦାନ ଦାବିରେ ୨୧ ଦିନ ହେଲା ଶିକ୍ଷକମାନେ ଭୁବନେଶ୍ବରରେ ଆନ୍ଦୋଳନ ଚଳାଇଥିବା ଶିକ୍ଷକ, ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଛନ୍ତି । ଛାତିରେ କଳା ବ୍ୟାଜ୍, ପୁଣି ଝିପି ଝିପି ବର୍ଷାରେ ଭିଜି ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି ଶିକ୍ଷକ । ଯେଉଁ ପାଟିରେ ଆଜି ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ କରିବା କଥା, ସେହି ପାଟିରୁ ଶୁଭୁଛି ସରକାର ବିରୋଧୀ ସ୍ବର । ତେବେ ଗୁରୁ-ଶିଷ୍ୟର ପରମ୍ପରା ରକ୍ଷା କରିବାକୁ ରାସ୍ତା ଉପରେ ସର୍ବପଲ୍ଲୀ ରାଧାକିଷ୍ଣନଙ୍କ ଫଟୋକୁ ପୂଜା କରିଛନ୍ତି ଶିକ୍ଷକମାନେ । ସେପଟେ ସ୍କୁଲରେ ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ମଧ୍ୟ ରାସ୍ତାରେ ଗୁରୁ ପୂଜା କରିଛନ୍ତି ।
ଶିକ୍ଷକ ଆନ୍ଦୋଳନରୁ ବିରୋଧୀ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିଛନ୍ତି । ବିଜେପି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ନାରାବାଜି କରିବା ସହ ଲୋୟର୍ ପିଏମଜିରେ ଶିକ୍ଷକଙ୍କୁ ଭେଟିଛି । ବିରୋଧୀ ଦଳ ନେତା ଓ ପିସିସି ସଭାପତିଙ୍କୁ ମିଶାଇ କଂଗ୍ରେସର ଏକ ଟିମ୍ ମଧ୍ୟ ଆନ୍ଦୋଳନରତ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିକ୍ଷକ ସମାଜକୁ ଗୁରୁଦିବସର ଶୁଭେଚ୍ଛା ଜଣାଇଛନ୍ତି । ଶିକ୍ଷକଙ୍କ ସମସ୍ୟା ସମାଧାନ ନହେବା ଏବଂ କଳା ଦିବସ ପାଳନକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଯାହାର ଜବାବ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଶିକ୍ଷକମାନେ ଆନ୍ଦୋଳନରୁ ଓହରିବାକୁ ଅପିଲ କରିଛନ୍ତି ସରକାର
ଗୁରୁ ଦିବସକୁ ଶିକ୍ଷକମାନେ କଳା ଦିବସ ଭାବେ ପାଳନ କରିଥିବା ବେଳେ କାଲିଠାରୁ ସମସ୍ତ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜରେ ତାଲା ଝୁଲାଇବାକୁ ଚେତାବନୀ ଦେଇଛି ଶିକ୍ଷକ ମଞ୍ଚ । ଏହା ସହ କାଲି, ପହର ଦିନ ୨ ଦିନ ଧରି ଶିକ୍ଷକମାନେ ସବୁ ବିଧାୟକଙ୍କ ବାସଭବନ ଘେରିବେ । ୧୦ ତାରିଖରେ ବ୍ଲକ୍ ଅଫିସ୍ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ମଞ୍ଚ ।
