କାହ୍ନା ପ୍ରେମରେ ଉବୁଟୁବୁ ସୁନ୍ଦରୀ

ଅନଗୁଳ : ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ନେଇ ପୁଣି ଚର୍ଚ୍ଚା । ଏଥର ଚର୍ଚ୍ଚା ସୁନ୍ଦରୀର ହିଂସ୍ର ଅବତାରକୁ ନେଇ ନୁହେଁ, ବରଂ କାହ୍ନା ସହ ପ୍ରେମକୁ ନେଇ । ଆଠମଲ୍ଲିକ ଛାଡି ସୁନ୍ଦରୀ ଏବେ ସାତକୋଶିଆର କୋର୍ ଏରିଆରେ । ସୁନ୍ଦରୀଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି କାହ୍ନା । ଉଭୟଙ୍କ ମଧ୍ୟ​‌ରେ ଦୂରତା ଯେତିକି କମୁଛି ସେତିକି ଉତ୍ସାହିତ ହୋଇପଡୁଛନ୍ତି ବନ କର୍ମଚାରୀ ଏବଂ ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ଟିମ୍ । କାରଣ ଉଭୟଙ୍କ ମିଳନ ହେଲେ ଇତିହାସ ରଚିବ ସାତକୋଶିଆ ।

କାହ୍ନା ପ୍ରେମରେ ଉବୁଟୁବୁ ସୁନ୍ଦରୀ । କାହ୍ନାର ସାନ୍ନିଧ୍ୟ ପାଇବାକୁ ସାତକୋଶିଆର କୋର୍ ଏରିଆରେ ବ୍ୟାକୁଳ ସୁନ୍ଦରୀ । କାହ୍ନ ମଧ୍ୟ ସୁନ୍ଦରୀ ପ୍ରତି ଆକୃଷ୍ଟ ହେବାରେ ଲାଗିଛି । କାହ୍ନ ସହ ମିଳନ ପରେ ଗର୍ଭବତୀ ହୋଇଥିବା ପୁରୁଣା ବାଘୁଣୀକୁ ଛାଡି ସୁନ୍ଦରୀ ଆଡୁଛି ଢଳୁଛି କାହ୍ନା । କାହ୍ନା ଓ ସୁନ୍ଦରୀର ପ୍ରେମକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ବନ କର୍ମଚାରୀ ଏବଂ ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର ଟିମ୍ । କାରଣ ପାଞ୍ଚ ୬ ଦିନର ପରିଶ୍ରମ ପରେ ଓ୍ବାଇଲ୍ଡ ଲାଇଫ ଟିମ୍ ବାଘୁଣୀ ସୁନ୍ଦରୀକୁ କୋର୍ ଏରିଆକୁ ନେବାରେ ସଫଳ ହୋଇଛନ୍ତି ଏବଂ କାହ୍ନା ସହ ସୁନ୍ଦରୀର କିପରି ମିଳନ ହେବ ସେଇ ଯୋଜନାରେ ସମସ୍ତେ ଉତ୍କଣ୍ଠିତ ବି ଅଛନ୍ତି।  । ଏହାକୁ ଶୁଭସଙ୍କେତ କହିଛନ୍ତି ପରିବେଶ ବିତ୍ ।

ଜନ ବସତି ନିକଟରେ ସୁନ୍ଦରୀ ବୁଲୁ ନଥିବାରୁ ଆଖପାଖର ଲୋକେ ଆଶ୍ବସ୍ତ  ମଧ୍ୟ ହୋଇଛନ୍ତି।  ହିଂସ୍ର ଅବତାର ଛାଡି ସୁନ୍ଦରୀ କୋର୍ ଏରିଆରେ ରହୁଥିବାରୁ ତାକୁ ନେଇ ଯେଉଁ ସମସ୍ୟା ଦେଖାଦେଇଥିଲା ତାହା ଦୂର ହୋଇଛି । ସୁନ୍ଦରୀ ଏବେ ଆଠମଲ୍ଲିକ ଛାଡି ପୁରୁଣାକୋଟ ରେଞ୍ଜ୍ ଚୁଆଁରି ନିକଟରେ ଥିବାବେଳେ,  ବାଘ କାହ୍ନା ମାତ୍ର ୨ କିଲୋମିଟିର ଦୂର ପମ୍ପାସର ରେଞ୍ଜ୍ ର ଲବଙ୍ଗି ଅଂଚଳରେ ରହିଛି। ତଥାପି ସୁନ୍ଦରୀ ହଟାଅ ଦାବି ହଟିନି । ଏବେବି ସୁନ୍ଦରୀକୁ ଫେରାଇ ନେବାକୁ ଦାବି କରୁଛନ୍ତି ସାତକୋଶିଆ ଆଖପାଖର ଗାଁ ଲୋକ । ତେବେ ଏନେଇ ଆସନ୍ତା ୬ ତାରିଖରେ ପ୍ରଶାସନ ସହ ବୈଠକ ବସିବ ।

ବାଘୁଣୀ ସୁନ୍ଦରୀ ସଂପର୍କରେ କିନ୍ତୁ କ୍ୟାମେରା ଆଗରେ କିଛି ବି ମତାମତ ଦେବାକୁ ନାରାଜ ବନ ଅଧିକାରୀ ଏବଂ ଡବ୍ଲୁ.ଆଇ.ଆଇ ଟିମ୍ ।

Leave A Reply

Your email address will not be published.