ୱାଶିଂଟନ : ଜନୈକ ଚାକରାଣୀ ସହ ଟ୍ରମ୍ପଙ୍କର ଅନୈତିକ ସମ୍ପର୍କ ଥିଲା । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି ବୋଲି ଟ୍ରମ୍ପ ୱାର୍ଲଡ ଟାୱାରର ପୂର୍ବତନ ଦରୱାନ୍ ଅଭିଯୋଗ କରିଛନ୍ତି । ଆମେରିକାନ୍ ମିଡିଆ ଇନ୍କର୍ପୋରେସନ୍ ସହ ଦରୱାନ ଡିନୋ ସାଜୁଦିନ୍ ଏକ ଚୁକ୍ତିପତ୍ରରେ ଆବଦ୍ଧ ହୋଇଥିବାରୁ ଏ ସମ୍ପର୍କରେ ପାଟି ଫିଟାଉ ନଥିଲେ । ଚୁକ୍ତିପତ୍ରର ଅବଧି ଶେଷ ହୋଇଯିବା ପରେ ଏବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୈତିକ ସମ୍ପର୍କ ନେଇ ତୁଣ୍ଡ ଖୋଲିଛନ୍ତି । ଶୁକ୍ରବାର ସାଜୁଦିନଙ୍କ ଓକିଲ ମାର୍କ ହେଲ୍ଡ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି । ଆମେରିକାନ୍ ମିଡିଆ ଇନ୍କର୍ପୋରେସନ୍ (ଏଏମ୍ଆଇ) ସାଜୁଦିନଙ୍କ କାହାଣୀ ନେଇ ‘ନ୍ୟାସନାଲ ଇନକ୍ୱେୟାରର’ ପ୍ରକାଶନ କରିଥାନ୍ତା । ଚୁକ୍ତିନାମା ବଳରେ ଏଏମ୍ଆଇ ଟ୍ରମ୍ପଙ୍କ ରାଷ୍ଟ୍ରପତି ନିର୍ବାଚନ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା କରି ସତର୍କତାର ସହ ଏହାକୁ ଦୂରେଇ ଦେଇପାରିଥିଲେ । ଏଏମ୍ଆଇ ମାଲିକ ଡେଭିଡ୍ ପେକରଙ୍କ ସହ ସାଜୁଦିନଙ୍କର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା ୨୦୧୫ ନଭେମ୍ବର ୧୫ ତାରିଖରେ ।
ଚୁକ୍ତିପତ୍ର ଅନୁସାରେ ସାଜୁଦିନଙ୍କ କାହାଣୀର ଏକମାତ୍ର ସତ୍ତ୍ୱାଧିକାରୀ ହେଉଛି ଏଏମ୍ଆଇ । କାହାଣୀ ପ୍ରକାଶିତ ନହେବା ପର୍ଯ୍ୟନ୍ତ ସାଜୁଦିନ ଟଙ୍କାଟିଏ ପାଇବେନି । କାହାଣୀ ପ୍ରକାଶନର ପାଞ୍ଚଦିନ ମଧ୍ୟରେ ସାଜୁଦିନ ୩୦,୦୦୦ ଡଲାର ପାଇବାର ଚୁକ୍ତିପତ୍ରରେ ଉଲ୍ଲେଖ ଥିଲା । ଚୁକ୍ତିପତ୍ରରେ ଆବଦ୍ଧ ହେବା ଫଳରେ ସାଜୁଦିନ ଅନ୍ୟ କୌଣସି ଗଣମାଧ୍ୟମ ନିକଟକୁ ଯାଇପାରିଲେନି କି ଟ୍ରମ୍ପଙ୍କ ଅନୈତିକ ସମ୍ପର୍କର ଗୁମର ବିକି ପାରିଲେନି । ଚୁକ୍ତିନାମା ଖତମ ହେବାପରେ ସାଜୁଦିନଙ୍କୁ ତୁଣ୍ଡ ଫିଟାଇବାକୁ ଅଧିକାର ମିଳିଗଲା ସିନା; ହେଲେ ଗତ ତିନିବର୍ଷ ଧରି ତୁଣ୍ଡ ବନ୍ଦ କରିବା ଫଳରେ ଯେଉଁ ଆର୍ଥିକ କ୍ଷତି ସେ ସହିଲେ, ତାକୁ କେହି ଭରଣା କରିବେ କି? ଆଗାମୀ ଦିନରେ ଟ୍ରମ୍ପଙ୍କ ଅନୈତିକ କାହାଣୀ ଲୋକଲୋଚନକୁ ଆସିବ । ଗତ ଏପ୍ରିଲରେ ସାଜୁଦିନ୍ ଗୋଟିଏ ଗଣମାଧ୍ୟମକୁ କ୍ୟାଚ୍-ଆଣ୍ଡ୍-କିଲ୍ ଚୁକ୍ତିନାମାର ନକଲ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଡୁ ତାଙ୍କର ପୂର୍ବତନ ଚାକରାଣୀ ଗୋଟିଏ ପୁତ୍ର ସନ୍ତାନର ଜନନୀ ହୋଇଥିବା କହିଥିଲେ । ଚୁକ୍ତିନାମା ପରେ ଏଏମ୍ଆଇ ସାଜୁଦିନଙ୍କ କଥାକୁ ମନଗଢ଼ା କହି ହସି ଉଡ଼େଇ ଦେଇଥିଲା ।
ଟ୍ରମ୍ପ ଓ ତାଙ୍କର ପୂର୍ବତନ ଓକିଲ କୋହେନଙ୍କ ସହ କାହାଣୀର ସତ୍ୟତା ନ ଥିବା ଯୁକ୍ତି କରିଥିଲେ ଏଏମ୍ଆଇ କର୍ତ୍ତୃପକ୍ଷ । ଟ୍ରମ୍ପଙ୍କ ଅନୈତିକ କାର୍ଯ୍ୟ ସମ୍ପର୍କରେ ହ୍ୱାଇଟ୍ ହାଉସ୍ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେଠାରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ଏ ସମ୍ପର୍କରେ ଏଏମ୍ଆଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେଠାରୁ ମଧ୍ୟ କୌଣସି ଉତ୍ତର ମିଳିନାହିଁ । ଅନ୍ୟପକ୍ଷରେ ସାଜୁଦିନ ତାଙ୍କ ବକ୍ତବ୍ୟ ଉପରେ ଦୃଢ଼ ଅଛନ୍ତି । ସେ କହିଛନ୍ତି, ନିରପେକ୍ଷ ଅନୁସନ୍ଧାନ କରାଯାଉ, ପ୍ରକୃତ ସତ୍ୟ ପ୍ରକାଶିତ ହେବା ଦରକାର । ଏଏମ୍ଆଇ ସହ ସାଜୁଦିନଙ୍କ ଚୁକ୍ତିନାମା ଅବଧି ଶେଷ ହେବା ପରେ ଆଉ ଗୋଟିଏ ରାଜିନାମା ଜରିଆରେ ସାଜୁଦିନ ସ୍ୱାଧୀନ ମତ ପୋଷଣ କରିବାର ଅଧିକାର ପାଇଛନ୍ତି ବୋଲି ତାଙ୍କ ଆଟର୍ଣ୍ଣି କହିଛନ୍ତି । ଏବେ ସେ ଟ୍ରମ୍ପଙ୍କ ବିବାଦୀୟ କାହାଣୀ ଯେ କୌଣସି ଗଣମାଧ୍ୟମକୁ ବିକିପାରିବାର ଅଧିକାର ରଖିଛନ୍ତି ।
