ଉଜ୍ଜ୍ୱଳା ଯୋଜନାକୁ ନେଇ ପଲିଟିକ୍ସ : ବିଜେଡି-ବିଜେପି ମୁହାଁମୁହ

ଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନା ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ଜନତା ଦଳ । ଦଳର ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ଯୋଜନାରେ ଅନ୍ତର୍ଭୁକ୍ତ ମହିଳାମାନେ ପ୍ରଥମ ଥର ଗ୍ୟାସ୍ ଉଠାଇବା ପରେ ଆଉ ଉଠାଉନାହାନ୍ତି । ସେହିପରି ହିତାଧିକାରୀ ଚୟନରେ ଅନିୟମିତତା ହୋଇଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ନିକଟରେ ଦାବି କରିଛି ଯେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଭାରତର ୫କୋଟି ମହିଳାଙ୍କୁ ଏଲ୍‍ପିଜି ଗ୍ୟାସ୍‍ ସଂଯୋଗ ଦିଆଯାଇଛି । ତଦ୍ଦ୍ୱାରା ଯେଉଁ ମହିଳାମାନେ ଚୁଲିରେ ରୋଷେଇ କରୁଥିଲେ ସେମାନେ ଧୂଆଁରୁ ରକ୍ଷା ପାଇଁ ସ୍ୱଚ୍ଛ ପରିବେଶ ମଧ୍ୟରେ ରୋଷେଇ କରିପାରିବେ । ଏହା ଏକ ସଫଳ ଯୋଜନା ବୋଲି ମଧ୍ୟ କେନ୍ଦ୍ର ସରକାର ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ ମାରି ନିଜ ଢୋଲ ନିଜେ ପିଟୁଥିଲେ । ଏହି ଯୋଜନା ଦେଶରେ କେତେ ସଫଳତା ହାସଲ କରିଛି, ସେ ବିଷୟରେ ଆମେ ଅତୀତରେ ପ୍ରଶ୍ନ କରିଥିଲୁ । ଯେଉଁ ମହିଳା ବା ହିତାଧିକାରୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ, ପ୍ରକୃତରେ ସେମାନେ ଲାଭବାନ ହେଉଛନ୍ତି କି? କିନ୍ତୁ ମାନ୍ୟବର କେନ୍ଦ୍ର ତୈଳ ମନ୍ତ୍ରୀ କହିଥିଲେ ଯେ ଯଦି ଏ ପ୍ରଶ୍ନ ସଂସଦରେ ପଚରାଯାଏ, ତେବେ ଆମେ ତା’ର ଉତ୍ତର ଦେବୁ । ଏ ବିଷୟରେ ବାରମ୍ବାର ସଂସଦରେ ପ୍ରଶ୍ନ ଉଠାଯାଇଥିଲା, କିନ୍ତୁ କୌଣସି ଉତ୍ତର ମିଳିନଥିଲା ବୋଲି ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଚଳିତ ଅଧିବେଶନରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନ ସଂଖ୍ୟା ୧୭୨୫ ନଂରେ ପଚରାଯାଇଥିଲା ଯେ ଓଡ଼ିଶାରେ କେତେଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆର୍ôଥକ ବର୍ଷ ୨୦୧୬-୧୭ ଏବଂ ୨୦୧୭- ୧୮ରେ କେତେଜଣ ହିତାଧିକାରୀ ଦ୍ୱିତୀୟଥର ପାଇଁ ଗ୍ୟାସ୍‍ ସିଲିଣ୍ଡର ଭରିଛନ୍ତି? ପ୍ରଶ୍ନର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଥିଲେ ଯେ ଯୋଜନା ଆରମ୍ଭ ହେବା ଦିନ ଠାରୁ ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରେ ତାଙ୍କ ଘରୋଇ ଜିଲ୍ଲା ଅନୁଗୁଳରେ ୧୦୫୫୦୮ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ଉଲ୍ଲେଖ ଅଛି । ଆର୍ôଥକ ବର୍ଷ ୨୦୧୬-୧୭ରେ ମାତ୍ର ୩୫୪୦୬ ଜଣ ଦ୍ୱିତୀୟ ରିଫିଲ୍‍ ନେଇଥିବା ବେଳେ ୨୦୧୭-୧୮ରେ ଅଦ୍ୟାବଧି ୧୬୯୫୦ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୦ଲକ୍ଷ ୪୮ ହଜାର ହିତାଧିକାରୀଙ୍କ ମଧ୍ୟରୁ ଆର୍ôଥକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ୍‍ ନେଇଛନ୍ତି ଏବଂ ୨୦୧୭-୧୮ରେ ବର୍ତ୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଞ୍ôଚଛି । ଏଠାରେ ଦେଖାଯାଉଛି ପ୍ରତିବର୍ଷ ଏହି ସଂଖ୍ୟା ହ୍ରାସ ପାଉଛି ବରଂ ବଢ଼ୁନାହିଁ । ଗଣମାଧ୍ୟମରେ ବିଜେପି ଏହି ଯୋଜନାକୁ ସଫଳ ଯୋଜନା ବୋଲି ପ୍ରଚାର କରୁଛି ଯାହା ବାସ୍ତବରେ ଭୁଲ । ଯଦି ହିତାଧିକାରୀ ରିଫିଲ୍‍ ନେବା ପାଇଁ ଆସୁନାହିଁ, ପ୍ରକୃତପକ୍ଷେ ଏହି ଯୋଜନା ବିଫଳ ବୋଲି ଧରାଯିବ । ସଂସଦରେ କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରୁ ଯାହା ଜଣାପଡୁଛି, ହିତାଧିକାରୀ ଥରେ ଚୟନ ହେଲା ପରେ ସେ ଆଉ ଦ୍ୱିତୀୟଥର ପାଇଁ ରିଫିଲ୍‍ ନେଉନାହିଁ । ସମୁଦାୟ ହିସାବକୁ ଦେଖିଲେ ସର୍ବାଧିକ ୨୫ରୁ ୩୦ ପ୍ରତିଶତ ହିତାଧିକାରୀ ରିଫିଲ୍‍ ନେଉଛନ୍ତି, ବାକି ୭୦/୭୫ ପ୍ରତିଶତ ଲୋକ ନେଉନାହାନ୍ତି । ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଦ୍ୱିତୀୟ ରିଫିଲ୍‍ ବଜାର ଦର ଅନୁସାରେ ନେବାକୁ କୁହାଯାଉଛି । ସବ୍‍ସିଡି ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ । ଜଣେ ହିତାଧିକାରୀ ଯଦି ୫/୭ ମାସ ପରେ ତା’ର ସବ୍‍ସିଡି ଅର୍ଥ ପାଇବ, ତେବେ ସେ ପର୍ଯ୍ୟନ୍ତ କ’ଣ ବଜାର ଦର ଅନୁସାରେ ରିଫିଲ୍‍ କିଣିବ? ବିଜୁ ଜନତା ଦଳ ଆରମ୍ଭରୁ କହିଥିଲା ଯେ ଯେହେତୁ ଏହା ବ୍ୟାଙ୍କ ଏବଂ ଇଇଣ୍ଟରନେଟ ସହିତ ଜଡ଼ିତ, ତେଣୁ ଏହି କ୍ଷେତ୍ରକୁ ସୁଦୃଢ଼ କରାଯାଉ । ସେ କହିଛନ୍ତି ଯେ, ଏଠାରେ ପ୍ରମୁଖ କଥା ହେଲା ହିତାଧିକାରୀ ଚୟନ । ଏହି ହିତାଧିକାରୀ ଚୟନକୁ ନେଇ ଅତୀତରେ ଅନେକ ତର୍କବିତର୍କ ସୃଷ୍ଟି ହୋଇଛି । ହିତାଧିକାରୀଙ୍କୁ ଚୟନ କରି କିଏ ବାଣ୍ଟନ କରିବ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା । ସେତେବେଳେ କୁହାଯାଇଥିଲା ଯେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦ୍ୱାରା ବଣ୍ଟାଯିବ କିନ୍ତୁ ସେଭଳି କରାଗଲା ନାହିଁ । ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବିଜେପିର ନେତାମାନେ ନିଜେ ଚୟନ କଲେ, ଆଇଓସିଏଲ୍‍ କାର୍ଯ୍ୟକ୍ରମ ଆୟୋଜନ କଲା ଏବଂ ଏମାନେ ବାଣ୍ଟିଲେ ତେବେ ସେହି ହିତାଧିକାରୀମାନେ ପୁନର୍ବାର ଆସୁନାହାନ୍ତି କାହିଁକି? ଏହି ଯୋଜନାଟି ସଫଳ ଯୋଜନା ବୋଲି ଯେଉଁ ଡିଣ୍ଡିମ ପିଟାଯାଉଛି, ତାହା ନିଶ୍ଚିତ ରୂପେ ମିଥ୍ୟା ବୋଲି ଏଥିରୁ ପ୍ରମାଣିତ ହୋଇଛି । ଏଭଳି ଯୋଜନାଟି ସଫଳ ହେବା ପାଇଁ ଯେଉଁ ଆନୁସଙ୍ଗିକ ପଦକ୍ଷେପ ନିଆଯିବା କଥା, ତାହା କେନ୍ଦ୍ର ସରକାର ନେଇନାହିଁ । ଏଠାରେ ବିଜୁ ଜନତା ଦଳ ଆଶା ରଖୁଛି, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏ ବିଷୟରେ ସଠିକ୍‍ ସ୍ପଷ୍ଟୀକରଣ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଦେବେ ଯେ ବାସ୍ତବ ଚିତ୍ର କ’ଣ? ବିଜେପି ଗଣମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଏଭଳି ଯୋଜନାକୁ କେନ୍ଦ୍ର କରି ଯେଉଁ ବାତାବରଣ ସୃଷ୍ଟି କରିଛି, ଜନସାଧାରଣ ଠିକଣା ସ୍ଥାନରେ ତା’ର ଉଚିତ୍‍ ଜବାବ ଦେବେ ବୋଲି ଆଜି ବିଜେଡି ମୁଖପାତ୍ର ତଥା ସାଂସଦ ଶ୍ରୀ ଦେବ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଡ. ସସ୍ମିତ ପାତ୍ର ଏବଂ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ । ଉଜ୍ଜ୍ୱଳା ଯୋଜନା ନେଇ ବିଜେଡି ଉଠାଇଥିବା ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ଯେଉଁମାନେ ଅଜ୍ଞ ସେମାନଙ୍କୁ ଉତ୍ତର ନାହିଁ । ଉଜ୍ଜ୍ୱଳା ଯୋଜନା ସଫଳ ବୋଲି ସାରା ଦେଶ ଜାଣିଛି । ବିଜେଡି ଏହାକୁ ବିରୋଧ କରି ମହିଳାମାନଙ୍କ ବିରୋଧରେ ଯାଉଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଏହି ଯୋଜନା ଦ୍ୱାରା ମହିଳାମାନେ ସଶକ୍ତ ହୋଇଛନ୍ତି ।

ବିଜେଡିକୁ ଘାରିଛି ଧର୍ମେନ୍ଦ୍ର ଭୂତ: ବିଜେପି

ଭୁବନେଶ୍ୱର ୍: ଦେଶରେ ମା ଭଉଣୀଙ୍କ ଆଖିରେ ଲୁହ ପୋଛି ସମସ୍ତ ଗରିବଙ୍କ ଘରେ ଉଜ୍ଜଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ କରିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀଙ୍କ ଏକମାତ୍ର ସଂକଳ୍ପ । ସାରା ଦେଶରେ ଏହି ଯୋଜନା ମାଧ୍ୟମରେ ୫ କୋଟିରୁ ଉଦ୍ଧ୍ୱର୍ ମହିଳା ଉପକୃତ ହୋଇଛନ୍ତି । ଏହି ଯୋଜନା ସାରା ବିଶ୍ୱରେ ଆଦୃତ ହୋଇଥିବା ବେଳେ ଶାସକ ବିଜେଡି ରାଜ୍ୟରେ ତଥ୍ୟ ନଦେଖି କେବଳ ହୀନ ରାଜନୀତି କରି ଭିତ୍ତିହୀନ ମନ୍ତବ୍ୟ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଗ୍ୟାସ ସିଲିଣ୍ଡର ନେବାର ଦୁଇ ତିନି ଦିନ ମଧ୍ୟରେ ହିତାଧିକାରୀର ବ୍ୟାଙ୍କ ଖାତାକୁ ସବସିଡି ଅର୍ଥ ଆସିଥାଏ । ସ୍ୱାଧୀନତା ପରଠାରୁ ୨୦୧୪ ମସିହା ଦୀର୍ଘ ୬୭ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଏଲପିଜି ଉପଭୋକ୍ତା ସଂଖ୍ୟାା

ମାତ୍ର ୨୦ ଲକ୍ଷ ଥିଲା ବେଳେ ଏବେ ଗତ ୪୮ ମାସରେ ତାହା ୬୯ ଲକ୍ଷ ୨୪ ହଜାରରେ ପହଂଚିଛି । ଜୁନ୍ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଉଜ୍ଜଳା ଯୋଜନା କାର୍ଯ୍ୟକାରୀ କରାଇଥିଲେ । ଏହାପରେ ରାଜ୍ୟରେ ୨୫ ମାସରେ ୩୦ ଲକ୍ଷ ଉପଭୋକ୍ତାଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ଯଦି ଶାସକ ବିଜେଡି ପାଖରେ ତଥ୍ୟ ନାହିଁ ତେବେ ଏଲପିଜି ୱେବସାଇଟକୁ ଯାଇ ସମସ୍ତ ହିତାଧିକାରୀଙ୍କ ନାଁ ଦେଖନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ୪ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପ୍ରବେଶ କଲା ପରେ ତାଙ୍କର ଏକମାକ୍ର ସଂକଳ୍ପ ଥିଲା କି, ଭାରତବର୍ଷରେ କୌଣସି ମା’ ଭଉଣୀଙ୍କ ଆଖିରେ ଆଉ ଲୁହ ବୋହିବାକୁ ଦେବେ ନାହିଁ । କାଠ ଚୁଲି ଫୁଙ୍କି ଯେଉଁ ଗରିବ ମା ଓ ଭଉଣୀମାନେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ସେହି ଭାରତବର୍ଷର କୋଟି କୋଟି ମା’ଙ୍କ ଲୁହ ପୋଛିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରତିଶୃତି ବଦ୍ଧ । ଉଜ୍ଜଳା ଯୋଜନାର ସଫଳ ରୂପାୟନର ଦାୟିତ୍ୱ ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେଇ ସମଗ୍ର ବିଶ୍ୱରେ ବିଭିନ୍ନ ସଂସ୍ଥା ଦ୍ୱାରା ଆଦୃତ କରାଇଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ସୁନା ଚାମଚରେ ଖାଇକି ବଢ଼ିଥିବା ଲୋକ ଏବଂ ରାଜ ଉଆସରେ ଜନ୍ମ ହୋଇଥିବା ବ୍ୟକ୍ତି କେବେବି ଗରୀବ ମା’ର ଦୁଃଖ ବୁଝିପାରେ ନାହିଁ । କେନ୍ଦ୍ରୀୟ ଯୋଜନାଗୁଡ଼ିକୁ କିପରି ହଡ଼ପ କରାଯିବ ତାହା ବିଜେଡି ସରକାରର ଏକମାତ୍ର ଉଦ୍ଦେଶ୍ୟ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଛାଇ ଦେଖିଲେ ଶାସକ ବିଜେଡି ନେତାଙ୍କ ନାହି ଡେଉଛି ବୋଲି ଶ୍ରୀ ଆଚାର୍ଯ୍ୟ ତାତ୍ସଲ୍ୟ କରି କହିଛନ୍ତି । ବିଜେଡି ସାଂସଦ ପ୍ରତାପ ଦେବ ବିଷୟ ବସ୍ତୁକୁ ଅନୁଧ୍ୟାନ ନକରି ଆଜି ଉଜ୍ଜଳା ଯୋଜନା ସଂପର୍କରେ ଭିତ୍ତିହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଉଜ୍ଜ୍ୱଳା ଯୋଜନାରେ ଭାରତର ୫ କୋଟି ହିତାଧିକାରୀ ମହିଳା ସାମିଲ ହୋଇଛନ୍ତି । ଯେଉଁ ଯୋଜନାକୁ ସାରା ବିଶ୍ୱରେ ‘ବ୍ଲୁ ଫ୍ଲେମ’ ଅର୍ଥାତ୍ ‘ନୀଳଶିଖା’ ବିପ୍ଲବ ଭାବେ ପ୍ରଶଂସା କରାଯାଉଛି ସେହି ସମୟରେ ଅସହିଷ୍ଣୁ ବିଜେଡି ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ଦେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ରାଜ୍ୟରେ ବସବାସ କରୁଥିବା ସମସ୍ତ ଗରିବ ମା’ ଓ ଭଉଣୀଙ୍କ ଆଖିରୁ ଲୁହ ଝରୁ ବୋଲି ପ୍ରତାପ ଦେବ ଚାହୁଁଛନ୍ତି କି? ସେମାନେ କାଠ ଚୂଲି ଫୁଙ୍କି ଶ୍ୱାସ ରୋଗରେ ପଡନ୍ତୁ ବୋଲି ସେ କାମନା

କରୁଛନ୍ତି କି? ତାହା ହିଁ ଆଜି ତାଙ୍କ ପ୍ରେସ ବିବୃତିରେ ସ୍ପଷ୍ଟ ହୋଇଛି । ରାଜ୍ୟର ମା ଭଉଣୀମାନଙ୍କୁ ଅର୍ଥନୀତିକ ସ୍ୱାବଲମ୍ବୀ କରିପାରିନି ବୋଲି ନିଜ ମୁହଁରେ ଶାସକ ବିଜେଡି ସ୍ୱୀକାର କରୁଛି । ୧୯ବର୍ଷ ଓଡ଼ିଶାକୁ ଲୁଟିଲା ପରେ ବି ରାଜ୍ୟର ମା’ ଭଉଣୀମାନେ ସେମିତି ଅବହେଳିତ ହୋଇ ରୁହନ୍ତୁ ବୋଲି ଶାସକ ବିଜେଡି ଚାହୁଁଛି । ବିଜେଡି ସମ୍ବେଦନଶୀଳ ହୁଅନ୍ତୁ ଏବଂ ମା ର ଦୁଃଖ ବୁଝନ୍ତୁ । ମାତୃଶକ୍ତିର ବିକାଶ ପାଇଁ ଯଦି କିଛି ଯୋଜନା ଅଛି ତାକୁ ଦେଖାଇ ରାଜ୍ୟର ମା’ ଓ ଭଉଣୀମାନଙ୍କୁ ସ୍ୱାବଲମ୍ବୀ କରାଅ ବୋଲି ଶ୍ରୀ ଆଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । ନଚେତ୍ ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଜବାବ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.